ସାଧୁତାର ମୂଲ୍ୟ: ସ୍ବାଧୀନ ସଂସ୍ଥା କେତେ ନିରପେକ୍ଷ?

ନ୍ୟତମ ନିର୍ବାଚନ କମିସନ ଅଶୋକ ଲୱାସା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର କାର୍ଯ୍ୟକାଳ ଆଉ ଦୁଇବର୍ଷ ଥିଲା ଏବଂ ସେ ମୁଖ୍ୟ ନିର୍ବାଚନ କମିସନ ହୋଇ ଅବସର ନେଇଥା’ନ୍ତେ। ତା’ ପୂର୍ବରୁ ତାଙ୍କୁ ମାନିଲାସ୍ଥିତ ଏସୀୟ ଉନ୍ନୟନ ବ୍ୟାଙ୍କର ଅନ୍ୟତମ ଉପସଭାପତି ଭାବେ ନିଯୁକ୍ତି ମିଳିବାରୁ ସେ ନୂଆ ଦାୟିତ୍ବ ଗ୍ରହଣ କରିବାକୁ ନିର୍ବାଚନ କମିସନ ପଦରୁ ଇସ୍ତଫା ଦେଇଛନ୍ତି। ଘଟଣାଟି ଯେତେ ସହଜ ଓ ସରଳ ଦେଖାଯାଉଛି ବାସ୍ତବରେ ସେୟା ନୁହେଁ। ଲୱାସାଙ୍କୁ ନିର୍ବାଚନ ଆୟୋଗରୁ ହଟାଇବାକୁ କେନ୍ଦ୍ର ସରକାରଙ୍କର ଏହା ଏକ ଶାସ୍ତିମୂଳକ ଚତୁର ​‌​‌କୌଶଳ। ତାଙ୍କ କାର୍ଯ୍ୟକଳାପରେ ମୋଦୀ ସରକାର ସନ୍ତୁଷ୍ଟ ନଥିଲେ ଏବଂ ସେ ଆୟୋଗରେ ରହି ଏହାର ମୁଖ୍ୟ ହୁଅନ୍ତୁ ଏକଥା ବୋଧହୁଏ ସରକାର ଚାହୁଁନ’ଥିଲେ। ତେଣୁ ଏକ ମର୍ଯ୍ୟାଦାପୂର୍ଣ୍ଣ ମାର୍ଗରେ ତାଙ୍କୁ ନିର୍ବାଚନ କମିସନରୁ ଅପସାରିତ କରି ଏସୀୟ ଉନ୍ନୟନ ବ୍ୟାଙ୍କ​‌ରେ ଥଇଥାନ କରାଯାଇଛି। ସେ ପଦ ଏହାଠାରୁ ଯେ ଅଧିକ ଗୁରୁତ୍ବପୂର୍ଣ୍ଣ ଏକଥା ନୁହେଁ। କେବଳ ଏକ ସମ୍ମାନଜନକ ଅପସାରଣ। ଲୱାସା ବୋଧହୁଏ ଏହି ନିଯୁକ୍ତିକୁ ଗ୍ରହଣ କରିବାକୁ ଉଚିତ ମନେ କରିଛନ୍ତି; କାରଣ ନିର୍ବାଚନ ଆୟୋଗରେ ଅଧିକ କାଳ ରହି ଅଧିକ ଅସୁବିଧାର ସମ୍ମୁଖୀନ ହେବାକୁ ସେ ଚାହିଁ ନଥିବେ।
ଲାୱାସା ୧୯୮୦ ବ୍ୟାଚର ହରିୟାନା କାଡରର ଜଣେ ଆଇଏଏସ ଅଫିସର। ସେ କେନ୍ଦ୍ରର ଅର୍ଥ, ବେସାମରିକ ବିମାନ ଏବଂ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ଓ ଜଙ୍ଗଲ ଭଳି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟର ସଚିବ ଭାବେ ବେଶ୍‌ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ସେ ଜଣେ ପରିଶ୍ରମୀ ଓ ଅତ୍ୟନ୍ତ ଦକ୍ଷ ଅଧିକାରୀ ଥିଲେ ଏବଂ ମୋଦୀ ସରକାରର ପ୍ରଥମ ପାଳିରେ ସରକାରଙ୍କ ଅତ୍ୟନ୍ତ ପ୍ରିୟ ଥିଲେ। ତାଙ୍କର ଦକ୍ଷତା ଆନୁଗତ୍ୟକୁ ବିଚାରକୁ ନେଇ ମୋଦୀ ସରକାର ତାଙ୍କୁ ଅବସର ପରେ ନିର୍ବାଚନ ଆୟୋଗର ଅନ୍ୟତମ ସଦସ୍ୟ ଭାବେ ନିଯୁକ୍ତି ଦେଇଥିଲେ। ବୋଧହୁଏ ନିର୍ବାଚନ କମିସନର ହେବାପରେ ତାଙ୍କର ସ୍ବାଧୀନ କାର୍ଯ୍ୟଧାରା ଓ ଦାୟିତ୍ବବୋଧ ତାଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲା। ୨୦୧୯ ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତତ୍କାଳୀନ ବିଜେପି ସଭାପତି ଅମିତ ଶାହାଙ୍କୁ ଦୋଷମୁକ୍ତ କରିବା ପ୍ରସ୍ତାବରେ ମୁଖ୍ୟନିର୍ବାଚନ କମିସନର ଓ ଅନ୍ୟ କମିସନରଙ୍କ ସହିତ ସେ ଏକମତ ହୋଇ ନ’ଥିଲେ। ପ୍ରସ୍ତାବଟି ୨-୧ ଭୋଟରେ ଗୃହୀତ ହୋଇଥିଲେ ମଧ୍ୟ ବିରୋଧ ଯୋଗୁଁ ଲୱାସା ଶାସକଦଳ ଓ ଏହାର ମୁଖିଆଙ୍କ ନିଶାଣରେ ରହିଥିଲେ।
ନିର୍ବାଚନ କମିସନ ଭଳି ଏକ ସ୍ବାଧୀନ, ନିରପେକ୍ଷ ଓ ସାମ୍ବିଧାନିକ ସଂସ୍ଥାରେ ନୀତିନିୟମ ଓ ବିବେକ ଅନୁସାରେ କାର୍ଯ୍ୟ କରିବାର ପ୍ରତିଫଳ ତାଙ୍କୁ ତୁରନ୍ତ ମିଳିଯାଇଥିଲା। ତାଙ୍କ ପରିବାର ଓ ସମ୍ପର୍କୀୟମାନଙ୍କ ବିରୋଧରେ ଅବିଳମ୍ବେ ଆୟକର ଫାଙ୍କି ମାମଲା ଆରମ୍ଭ କରାଯାଇ ହଇରାଣ ହରକତ କରିବା କାମ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିଲା। ଏକଦା ସରକାରଙ୍କର ଅତ୍ୟନ୍ତ ବିଶ୍ବସ୍ତ ଅଧିକାରୀ ଜଣକ ରାତାରାତି ଶତ୍ରୁ ପାଲଟିଯିବା ପଛରେ ରାଜନୈତିକ ପ୍ରତିଶୋଧ ପରାୟଣତା ଯେ ପ୍ରଚ୍ଛନ୍ନ ଥିଲା ତାହା ବୁଝିବାକୁ ବାକି ନଥିଲା। ଶେଷରେ ସେ ଗଲେ ଏବଂ ହରକତକାରୀ ଆୟକର ମାମଲା ଆପଣାଛାଏଁ ବନ୍ଦ ହୋଇଯିବା ନିଶ୍ଚୟ। ସରକାର କେବଳ ତାଙ୍କ ପ୍ରତି ଏତିକି ଦୟା କରିଛନ୍ତି ଯେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ ନ’କରି ମର୍ଯ୍ୟାଦାଜନକ ଭାବେ ଦୂରେଇ ଦେଇଛନ୍ତି ଯେଉଁଠି ସେ ଏକ ପ୍ରକାର ବିସ୍ମୃତ ହୋଇଯିବେ। ଅନ୍ୟ କେହି ମଧ୍ୟ ଏଭଳି ଆଉ ଦୁଃସାହସ କରିବାକୁ ବୋଧହୁଏ ସାହସ ଜୁଟାଇବେ ନାହିଁ।
ଏହି ସମଗ୍ର ଘଟଣା ବିଷୟରେ ଯେଉଁମାନେ ଅବଗତ ସେମାନେ ଅବଶ୍ୟ ସ୍ବୀକାର କରିବେ ଯେ ସାଧୁତା ଓ ନିଷ୍ଠାପରତା ପ୍ରଦର୍ଶନ ପାଇଁ ପ୍ରାୟତଃ ଚରମ ମୂଲ୍ୟ ଅଧିକାଂଶ ସମୟରେ ଦେବାକୁ ପଡ଼େ। ସେ ନିଜେ ମଧ୍ୟ ଏକ ସାକ୍ଷାତ୍‌କାରରେ କହିଥିଲେ ‘ସାଧୁତାକୁ ନୀତି କଲେ ଏହାର କୁପରିଣାମ ଭୋଗିବାକୁ ପଡ଼ିଥାଏ।’ ସେ ଗଲେ, ତାଙ୍କ ସାଧୁତା ଓ ନିଷ୍ଠା ପାଇଁ ତାଙ୍କୁ ଦେଶ ବା ଜନତା ମନେ ରଖିବେ ନାହିଁ। ତେବେ ଏଭଳି ଘଟଣା ସବୁ ଆମ ସ୍ବାଧୀନ ନିରପେକ୍ଷ ସଂସ୍ଥା/ ପ୍ରତିଷ୍ଠାନଗୁଡ଼ିକୁ କିପରି ଅସହାୟ ଓ ପଙ୍ଗୁ କରିଦେଇଛି ଏବଂ ସରକାରୀ ଚାପ ଓ ହସ୍ତକ୍ଷେପ କେଉଁ ସ୍ତରରେ ପହଞ୍ଚିଛି ତାହା ଅବଶ୍ୟ ଲୋକେ ମନେ ରଖିବେ। ଏଭଳି ଘଟଣା ମୋଦୀଙ୍କ ଭାରତରେ ବିରଳ ନୁହେଁ। ଇନ୍ଦିରାଙ୍କ ଶାସନକାଳରେ ଏଭଳି ହେଉଥିଲା। ଏବେ ମଧ୍ୟ ତାହାର ପୁନରାବୃତ୍ତି ହେଉଛି। ତଥାକଥିତ ନୂଆ ଭାରତରେ ଗଣତନ୍ତ୍ର ପାକଳ ହେଉଛି ନା ଘୁଣ ଖାଉଛି ସେ ବିଚାର ଜନତାଙ୍କର। ଏଭଳି ଚାଲିଲେ ନିର୍ବାଚନ କମିସନ ସରକାରଙ୍କ ପୋଷାଜନ୍ତୁ ପାଲଟିଯିବ। ସାଧୁ ସାବଧାନ।

Comments
Loading...