ଚୀନ ସାବଧାନ: ସରକାରଙ୍କ ନିଷ୍ଠା ଓ ଜନତାଙ୍କ ସହଯୋଗ ଆବଶ୍ୟକ

ଚୀନର ଆଧିପତ୍ୟ ସମାପ୍ତ ହେବାକୁ ଯାଉଛି। ଏବେ ବିଶ୍ୱ ବାଣିଜ୍ୟ, ଅର୍ଥନୀତି ଓ ସାମୂହିକ ବିକାଶରେ ଚୀନର ବିକଳ୍ପ ରୂପେ ଭାରତ ଆତ୍ମପ୍ରକାଶ କରିବ। କେବଳ ସାମରିକ ଶକ୍ତିରେ ଚୀନ୍‌କୁ ଟକ୍ଟର ଦେବ ନାହିଁ ବରଂ ନିର୍ମାଣ, ଉତ୍ପାଦନ, ମହାକାଶ ଗବେଷଣା, ସୂଚନା ପ୍ରଯୁକ୍ତି ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତ ଆଗାମୀ ଦିନରେ ବିଶ୍ୱର ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ ହେବ। ଏହା ହିଁ ହେବ ଚୀନକୁ ଭାରତର ଉଚିତ୍ ଜବାବ। ଐତିହାସିକ ଲାଲକିଲ୍ଲାରୁ ୭୪ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ଅନେକ ଅଂଶ ଏହି ଦିଗକୁ ପରୋକ୍ଷ ଇଙ୍ଗିତ କରୁଛି ବୋଲି ଯଦି କୁହାଯାଏ ତେବେ ତାହା ଭୁଲ୍ ହେବ ନାହିଁ।

ଚୀନର ଶକ୍ତି ହେଉଛି ଉତ୍ପାଦନ ଓ ରପ୍ତାନୀ ବାଣିଜ୍ୟଭିତ୍ତିକ ଅର୍ଥନୀତି। ଏ କ୍ଷେତ୍ରରେ ଭାରତକୁ ଚୀନ୍ ସମକକ୍ଷ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ରୂପରେଖ ପ୍ରସ୍ତୁତ କରିଛନ୍ତି ତାହା ହେଉଛି ‘ମେକ୍ ଇନ୍ ଇଣ୍ଡିଆ ଆଣ୍ଡ ମେକ୍ ଫର ୱାର୍ଲ୍ଡ(ବିଶ୍ୱ ପାଇଁ ଭାରତରେ ନିର୍ମାଣ)।’ ବର୍ତ୍ତମାନ ବିଶ୍ୱରେ ନିର୍ଭରଶୀଳତା ବୃଦ୍ଧି ପାଇଛି ଏବଂ ଭାରତ ଉପରେ ବିଶ୍ୱର ଦୃଷ୍ଟି ନିବଦ୍ଧ ରହିଛି। ଏହାର ସୁଯୋଗ ନେଇ ଭାରତ ବିଶ୍ୱ ବିକାଶରେ ପ୍ରମୁଖ ଭାଗୀଦାର ହୋଇପାରିବ ଏବଂ ବିଶ୍ୱର ଶ୍ରେଷ୍ଠ ବୋଲି ନିଜକୁ ପ୍ରମାଣିତ କରିପାରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି କରିଛନ୍ତି।

ଚୀନର ସାମରିକ ଶକ୍ତି ହେଉଛି ତା’ର ବିଶାଳ ସୈନ୍ୟବାହିନୀ। ତା’ ସହିତ ସମକକ୍ଷ ହେବା ପାଇଁ ତଥା ଦେଶମାତୃକାର ସୁରକ୍ଷା ପାଇଁ ଏକ ସମର୍ପିତ ସୁରକ୍ଷା ବାହିନୀ ଗଢ଼ିତୋଳିବାକୁ ପଡ଼ିବ। ଛାତ୍ରଜୀବନରୁ ହିଁ ଦେଶପ୍ରେମର ଭାବନା ଜାଗ୍ରତ କରିବାକୁ ହେବ। ଏଥିପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନସିସି)ଉପରେ ଭରସା କରିଛନ୍ତି। ଦେଶର ୧୭୩ଟି ସୀମାନ୍ତ ଓ ଉପକୂଳବର୍ତ୍ତୀ ଜିଲାରେ ୧ ଲକ୍ଷ ଏନସିସି କ୍ୟାଡେଟଙ୍କୁ ସୁରକ୍ଷା ଦାୟିତ୍ୱ ଦେବା ପାଇଁ ତାଲିମ୍ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ବିଶ୍ୱ ଭାତୃତ୍ୱ, ସୌହାର୍ଦ୍ୟ ଓ ସହଯୋଗ ବୃଦ୍ଧି ସହିତ ସୁସମ୍ପର୍କ ପ୍ରତିଷ୍ଠା ଜରିଆରେ ଚୀନର ଆଧିପତ୍ୟକୁ ହ୍ରାସ କରିହେବ। ଏହି ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ‘ପଡ଼ୋଶୀ’ର ସଂଜ୍ଞା ନିର୍ଦ୍ଧାରଣ କରି କହିଛନ୍ତି ପଡ଼ୋଶୀର ସଂଜ୍ଞା କେବଳ ଭୌଗୋଳିକ ସୀମା ମଧ୍ୟରେ ସୀମିତ ନ ରହି ସମ୍ପର୍କ, ସୁରକ୍ଷା, ବିକାଶ, ସହାବସ୍ଥାନ ଓ ବିଶ୍ୱାସ ଆଧାରିତ ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣରେ ‘ୱାନ୍ ସନ୍, ୱାନ୍ ୱାର୍ଲ୍ଡ, ୱାନ୍ ଗ୍ରୀଡ୍’ ପ୍ରସ୍ତାବ ସ୍ଥାନ ପାଇଛି। ଚୀନ୍‌ର ‘ୱାନ୍ ବେଲ୍ଡ, ୱାନ୍ ରୋଡ୍’ର ଏହା ଯେ ସମାନ୍ତରାଳ ପରିକଳ୍ପନା ଏହା ଅସ୍ୱୀକାର କରିବାର ନାହିଁ। ଏହି ଯୋଜନାରେ ସମଗ୍ର ବିଶ୍ୱର ସୌରଶକ୍ତିକୁ ସବୁଦେଶରେ ଉପଲବ୍ଧ କରାଯାଇ ଅକ୍ଷୟ ଶକ୍ତି ଚାହିଦା ପୂରଣ କରାଯାଇପାରିବ ଓ ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବେ ପରିକଳ୍ପନା କରାଯାଇପାରିବ।

କରୋନା ମହାମାରୀ ସଙ୍କଟ କାଳରେ ଆମେରିକା ସମେତ ୧୫୦ରୁ ଊର୍ଦ୍ଧ୍ବ ଦେଶକୁ ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ବଟିକା ଯୋଗାଣ କରି ବିଶ୍ୱବନ୍ଧୁର ପରିଚୟ ଦେଇଥିବା ଭାରତର ବିଡ଼ମ୍ବନା ହେଉଛି ଏ ପର୍ଯ୍ୟନ୍ତ ଦେଶରେ ଉତ୍ପାଦିତ ସିଂହଭାଗ ଔଷଧର କଞ୍ଚାମାଲ୍ ପାଇଁ ଚୀନ୍ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହି ନିର୍ଭରଶୀଳତାକୁ ହ୍ରାସ କରି ଚିକିତ୍ସା କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ ‘ନ୍ୟାସ୍‌ନାଲ୍ ଡିଜିଟାଲ୍ ହେଲଥ୍‌ ମିଶନ୍’ ଆରମ୍ଭ କରିଛନ୍ତି, ଯାହାଦ୍ୱାରା ସ୍ୱାସ୍ଥ୍ୟ ସେବା ଅଧିକ ଲୋକାଭିମୁଖୀ, ସହଜ ଓ ସରଳ ହୋଇପାରିବ।

କୋଭିଡ୍ ୧୯ ମହାମାରୀ ସମୟରେ ଅନ୍‌ଲାଇନ୍ ବା ଡିଜିଟାଲ୍ ଶିକ୍ଷା ହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନର ଏକମାତ୍ର ବିକଳ୍ପ ହୋଇଛି, କିନ୍ତୁ ସୂଚନାପ୍ରଯୁକ୍ତିର ଦୁର୍ବଳ ସାଧନ ଯୋଗୁଁ ପ୍ରାୟ ୬୦% ଛାତ୍ରଛାତ୍ରୀ ଅନ୍‌ଲାଇନ୍ ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ଭବିଷ୍ୟତରେ ଏହି ସମସ୍ୟାର ସମାଧାନ ପାଇଁ ପ୍ରତି ଗ୍ରାମ ସମେତ ଲାକ୍ଷାଦ୍ୱୀପକୁ ହଜାରେ ଦିନ ଭିତରେ ଅପ୍‌ଟିକାଲ୍ ଫାଇବର କେବୁଲ୍ ଜରିଆରେ ଇଣ୍ଟରନେଟ୍ ସେବା ପହଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ଲୋକଲୋଚନ ଆଢ଼ୁଆଳରେ ଦେଶର ଦୁର୍ଗମ ଅଞ୍ଚଳରେ ଅନେକ ପ୍ରତିଭା ରହିଛନ୍ତି, କିନ୍ତୁ ସାଧନ ଓ ସୁଯୋଗର ଅଭାବରୁ ସେମାନଙ୍କ ପ୍ରତିଭା ଓ ଦକ୍ଷତାକୁ ଦେଶବିକାଶରେ ବିନିଯୋଗ କରାଯାଇପାରୁନାହିଁ। ଇଣ୍ଟରନେଟ୍ ଜରିଆରେ ସୂଚନା ପ୍ରଯୁକ୍ତିରେ ବ୍ୟାପକ ପରିବର୍ତ୍ତନ ଅଣାଯାଇ ଦକ୍ଷତା ବିକାଶରେ ଉଲ୍ଲେଖନୀୟ ଅଗ୍ରଗତି ସମ୍ଭବ ହୋଇପାରିବ। ବସ୍ତୁତଃ ଏ କ୍ଷେତ୍ରରେ ମଧ୍ୟ ଚୀନକୁ ଟକ୍କର ଦେଇ ହେବ।

ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ପ୍ରମୁଖ ଯୋଜନା ମଧ୍ୟରେ ୧୦୦ ଟ୍ରିଲିୟନ(୧ ଟ୍ରିଲିୟନ=୧ ଲକ୍ଷ କୋଟି) ଟଙ୍କା ବ୍ୟୟରେ ସଡ଼କ ଭିତ୍ତିଭୂମି ପ୍ରକଳ୍ପ ଅନ୍ୟତମ। ଏହି ଯୋଜନା ସାକାର ହେଲେ ଲକ୍ଷଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହିତ ବାଣିଜ୍ୟ କାରବାର ସୁଗମ ହୋଇପାରିବ। ପରିବହନ ବ୍ୟବସ୍ଥା ସୁଦୃଢ଼ ହେଲେ ଚୀନ୍ ସମକକ୍ଷ ବିଶ୍ୱ ନିର୍ମାଣ ହବ୍ ଭାବେ ଭାରତ ନିଜକୁ ପ୍ରମାଣିତ କରିପାରିବ।
ସାମଗ୍ରିକ ଭାବେ ତର୍ଜମା କଲେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କ ଆଗରେ ଏକ ବିକଶିତ ଭାରତର ରୂପରେଖ ଉପସ୍ଥାପନା କରିଛନ୍ତି, ଯାହାର ଆଧାର ସ୍ୱାସ୍ଥ୍ୟ, ଶକ୍ତି, ସୂଚନାପ୍ରଯୁକ୍ତି ଓ ଭିତ୍ତିଭୂମି ଓ ପରିବେଶ ସୁରକ୍ଷା ଉପରେ ପର୍ଯ୍ୟବସିତ। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଅନେକ ସକାରାତ୍ମକ ଓ ସମ୍ଭାବନାପୂର୍ଣ୍ଣ ହୋଇଥିଲେ ହେଁ ଏଥିରେ କେତେକ ଦିଗ ରହିଛି, ଯାହା ଉପରେ ଅଧିକ ଆଲୋଚନା ଆବଶ୍ୟକ ବୋଲି ମନେ ହୁଏ। ପ୍ରଧାନମନ୍ତ୍ରୀ ପ୍ରଦୂଷଣ ସମସ୍ୟା ଉପରେ ଉଦ୍‌ବେଗ ପ୍ରକାଶ କରିବା ସହିତ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦୦ଟି ସହରକୁ ପ୍ରଦୂଷଣମୁକ୍ତ ସହର ରୂପେ ଗଢ଼ିତୋଳିବାକୁ ଲକ୍ଷ୍ୟ ରଖିଛନ୍ତି, କିନ୍ତୁ ବିକାଶମୁଖୀ ଅର୍ଥନୀତିରେ ପରିବେଶ ଯଥୋଚିତ ନ୍ୟାୟ ପାଇପାରୁନାହିଁ। ଅଟୋ ଶିଳ୍ପରେ ଚାହିଦା ହ୍ରାସ ମାନ୍ଦା ଅର୍ଥନୀତିର ଅନ୍ୟତମ କାରଣ। ଯଦି ଏହି ଶିଳ୍ପକୁ ଚଳଚଞ୍ଚଳ କରିବା ପାଇଁ କୋହଳ ନୀତି ପ୍ରଣୟନ କରାଯାଏ ତେବେ ସହରାଞ୍ଚଳକୁ ପ୍ରଦୂଷଣମୁକ୍ତ କରିବା ସମ୍ଭବପର ନୁହେଁ। ପ୍ରଦୂଷଣମୁକ୍ତ ପରିବେଶ ପାଇଁ ଜୀବାଶ୍ମ ଇନ୍ଧନ ଚାଳିତ ଗାଡ଼ି ବଦଳରେ ବିଦ୍ୟୁତ ଶକ୍ତି ଚାଳିତ ଗାଡ଼ିର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଏ ସମ୍ପର୍କରେ ପରିବ୍ୟାପ୍ତ ଦୃଷ୍ଟିକୋଣର ଆବଶ୍ୟକତା ରହିଛି। ସେହିପରି ବ୍ୟାଘ୍ର ଓ ଡଲ୍‌ଫିନ୍ ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ସୂଚନା ସହିତ ଆଦିମ ଅଧିବାସୀ ଓ ବନବାସୀଙ୍କ ଜୀବନଜୀବିକା ଯୋଡ଼ି ହୋଇ ରହିଛି। ସେହି ସମସ୍ୟାର ପ୍ରଥମେ ସମାଧାନ ହେବା ଆବଶ୍ୟକ। ଡିଜିଟାଲ୍ ସ୍ୱାସ୍ଥ୍ୟ ମିଶନ୍ ଏକ ସ୍ୱାଗତଯୋଗ୍ୟ ପ୍ରସ୍ତାବ, କିନ୍ତୁ ଏଥିପାଇଁ ଭାରତରେ ପ୍ରଥମେ ଡିଜିଟାଲ୍ ସାକ୍ଷରତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପଡ଼ିବ। ସେହିପରି ସରକାରୀ ଘୋଷଣା ସତ୍ତ୍ୱେ ପ୍ଲାଷ୍ଟିକ୍ ମୁକ୍ତ ଭାରତ ଓ ସ୍ୱଚ୍ଛ ଭାରତ ମିଶନ୍ ସମ୍ପୂର୍ଣ୍ଣ ସଫଳ ହୋଇନାହିଁ। ସରକାରୀ ତଥ୍ୟ ଓ ବାସ୍ତବତାରେ ବହୁ ପାର୍ଥକ୍ୟ ରହିଛି। ଏ ଦିଗରେ ଏକ ବାସ୍ତବବାଦୀ ଓ ପ୍ରଭାବଶାଳୀ ଘୋଷଣା ଆବଶ୍ୟକ ଥିଲା।
ମୋଟ ଉପରେ କହିବାକୁ ଗଲେ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ୱପ୍ନ ସାମ୍ପ୍ରତିକ ପରିସ୍ଥିତିରେ କଠିନ ମନେ ହେଉଥିଲେ ହେଁ ଅସମ୍ଭବ ନୁହେଁ। ଏହି ସ୍ୱପ୍ନକୁ ବାସ୍ତବବାଦୀ କରିବା ପାଇଁ ସରକାରୀ କଳର ଆନ୍ତରିକତା ଓ ନିଷ୍ଠା ଏବଂ ସର୍ବୋପରି ଜନସାଧାରଣଙ୍କ ସହଯୋଗ ଆବଶ୍ୟକ।

Comments
Loading...