ସମନ୍ବୟ ଅଭାବ

କର୍ତ୍ତୃପକ୍ଷଙ୍କ ମଧ୍ୟରେ ସହଯୋଗ ଏବଂ ସମନ୍ବୟ ଅଭାବରୁ ଦେଶରେ ଗୁରୁତର କୋଇଲା ଓ ବିଦ୍ୟୁତ୍‌ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ଉପୁଜିଛି

ଭାରସାମ୍ୟହୀନ ପରିବେଶ ଓ ପରିବର୍ତ୍ତିତ ପାଣିପାଗ ଯୋଗଁୁ ଚଳିତବର୍ଷ ଆଗୁଆ ଗ୍ରୀଷ୍ମପ୍ରବାହ ଆରମ୍ଭ ହୋଇଯାଇଛି। କ୍ରମାଗତଭାବେ ଉତ୍ତାପ ବୃଦ୍ଧି ପାଉଥିବାରୁ ଗରମରେ ଛଟପଟ ହେଉଥିବା ଲୋକଙ୍କ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ପାଇବା ସ୍ବାଭାବିକ। ଆମ ଦେଶର ଶକ୍ତି ଉତ୍ପାଦନ ମୁଖ୍ୟତଃ ତାପଜ ବିଦ୍ୟୁତ୍‌ କେନ୍ଦ୍ର ଉପରେ ନିର୍ଭରଶୀଳ। ତେଣୁ ଦିନକୁ ଦିନ କୋଇଲା ଚାହିଦା ବୃଦ୍ଧି ପାଉଛି। ଏ କଥା ସତ ଯେ ବିକଳ୍ପ ଶକ୍ତି ଉତ୍ସ ପ୍ରତି ଯଥୋଚିତ ଧ୍ୟାନ ଦିଆଯାଉ ନଥିବାରୁ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକ ହିଁ ଆମ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପକାଉଛନ୍ତି। ସେ ଯାହା ହେଉ ଶକ୍ତିର ଚାହିଦା ପୂରଣ ପାଇଁ କୋଇଲା ଯୋଗାଣର ସ୍ବାଭାବିକତାକୁ କୌଣସି ପରିସ୍ଥିତିରେ ଗୌଣ ଦୃଷ୍ଟିରେ ବିଚାର କରାଯାଇ ପାରିବ ନାହିଁ। ଆମର ହସ୍ତଗତ ହୋଇଥିବା ତଥ୍ୟ ସୂଚାଉଛି ଯେ ଚାହିଦା ଅନୁରୂପ କୋଇଲା ଉତ୍ପାଦନରେ ବିଫଳତା ସାଙ୍ଗକୁ ରେଳବାଇରେ ପରିବହନଗତ ବିଭ୍ରାଟ ପାଇଁ ଏହି ପରିସ୍ଥିତି ଉପୁଜିଛି। ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକରେ ମାତ୍ର ଏକ ସପ୍ତାହ ପାଇଁ କୋଇଲା ମହଜୁଦ ଥିବାରୁ ୧୨ଟି ରାଜ୍ୟରେ ଭୟଙ୍କର ବିଦ୍ୟୁତ୍‌ ସଂକଟ ସୃଷ୍ଟି ହେବାର ଆଶଙ୍କା ଉପୁଜିଛି। କୋଲ୍‌ ଇଣ୍ଡିଆ ଓ ଭାରତୀୟ ରେଳବାଇ ମଧ୍ୟରେ ସମନ୍ବୟ ଅଭାବରୁ ଏହି ବିଭ୍ରାଟ ସୃଷ୍ଟି ହେବାକୁ ଯାଉଛି କୁହାଯାଇପାରେ।
ଏଠାରେ ଉଲ୍ଲେଖ କରାଯାଇପାରେ କି ଏହି କୋଇଲା ସଙ୍କଟ କେବଳ ବିଦ୍ୟୁତ୍‌ ଉତ୍ପାଦନ ନୁହେଁ, ସିମେଣ୍ଟ, ଇସ୍ପାତ ଓ ଆଲୁମିନିୟମ ଭଳି ଗୁରୁଶିଳ୍ପର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେବ। କରୋନା ଅତିମାରୀରେ ଆମ ଅର୍ଥନୀତି ମୁମୂର୍ଷୁ ଅବସ୍ଥାରେ ଥିବାବେଳେ ତାହାକୁ ସୁଧାରିବା ପାଇଁ ସରକାର ଏକାଧିକ ପଦକ୍ଷେପ ନେଇଥିବାବେଳେ ଏହି ଦିଗକୁ କିଭଳି ଅଣଦେଖା କଲେ ବୁଝି ହେଉନି। ଏ କଥା ସତ ଯେ ୨୦୧୫ରୁ କୋଲ୍‌ ଇଣ୍ଡିଆର ଉତ୍ପାଦନ ବୃଦ୍ଧି ପାଇଁ ସରକାର ପ୍ରଭାବୀ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ତାହା ୧୦୦ କୋଟି ଟନ୍‌ ଲକ୍ଷ୍ୟ ହାସଲ କରିବାକୁ ସମର୍ଥ ହୋଇନାହିଁ। ଏଥିମଧ୍ୟରେ ୨୦୧୯-୨୦ ଅତିକ୍ରମ କରି ୨୦୨୨-୨୩ ଆର୍ଥିକ ବର୍ଷରେ ପହଞ୍ଚିଥିଲେ ମଧ୍ୟ ବାର୍ଷିକ କୋଇଲା ଉତ୍ପାଦନ ୬୨ କୋଟି ୬୦ ଲକ୍ଷ ଟନ୍‌ରେ ସ୍ଥିର ରହିଛି। ୧୫ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିବା ତ ଦୂରର କଥା ତାହା ୩.୪୪ ପ୍ରତିଶତରେ ସୀମିତ ରହିଛି। ତେଣୁ ଚାହିଦା ଅନୁଯାୟୀ କୋଇଲା ଉତ୍ପାଦନ ଯେ ହୋଇପାରୁ ନାହିଁ ଏ କଥା ସ୍ବୀକାର କରିବାକୁ ପଡ଼ିବ। କୋଇଲା ଖଣି ଅଞ୍ଚଳଠାରୁ ଯଥେଷ୍ଟ ଦୂରରେ ଥିବା ୧୫୦ରୁ ଊର୍ଦ୍ଧ୍ବ ତାପଜ ବିଦ୍ୟୁତ୍‌ କେନ୍ଦ୍ରଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ କୋଇଲା ଯୋଗାଣର ଆବଶ୍ୟକତା ରହିଛି। ରେଳବାଇ Ñକ୍‌ ଅଭାବ ଏ କ୍ଷେତ୍ରରେ ଭୟଙ୍କର ପ୍ରତିକୂଳ ପରିସ୍ଥିତି ସୃଷ୍ଟିକରିଛି। ଏଭଳି ପରିବହନ ବିଭ୍ରାଟର ତୁରନ୍ତ ସମାଧାନ କରାଯିବା ଦରକାର। ପ୍ରାପ୍ୟ ପ୍ରଦାନରେ ସମୟାନୁବର୍ତ୍ତିତା ରକ୍ଷା କରାଯାଉ ନଥିବାରୁ ଶକ୍ତି ଉତ୍ପାଦନ ସହ ସଂଶ୍ଳିଷ୍ଟ ତିନିପକ୍ଷ ମଧ୍ୟରେ କେବଳ ବାଦାନୁବାଦ ନୁହେଁ ସର୍ବନିମ୍ନ ସହଯୋଗ ବାତାବରଣ ବାଧାପ୍ରାପ୍ତ ହୋଇଥିବା ପ୍ରକାଶ। ଏ କ୍ଷେତ୍ରରେ ମନ୍ତ୍ରିସ୍ତରୀୟ ଗୋଷ୍ଠୀ (ଜିଓଏମ୍‌) ଗଠନ କରି ସମସ୍ୟାର ଆଶୁ ସମାଧାନ ହେବା ଉଚିତ। କୋଇଲା ଉତ୍ପାଦନ ବୃଦ୍ଧି ଏକ ବିଳମ୍ବିତ ପ୍ରକ୍ରିୟା ହୋଇଥିବାବେଳେ ସରକାର ଅନ୍ୟ ଦୁଇଟି ଦିଗକୁ ନେଇ ପ୍ରତିବନ୍ଧକ ଦୂର କରିବାରେ ନିଶ୍ଚୟ ବିଶେଷ ସମୟ ନେବେନାହିଁ।
ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ମାସକୁ ହାରାହାରି କୋଇଲା ଯୋଗାଣ ପରିମାଣ ୫୧ ନିୟୁତ ଟନ୍‌ ଥିବାବେଳେ ପରିବର୍ତ୍ତିତ ପାରିବେଶିକ ପରିସ୍ଥିତି ପାଇଁ ହଠାତ୍‌ ଚାହିଦା ବୃଦ୍ଧି ପାଇଛି। ବର୍ଷକୁ ପ୍ରାୟ ଆଠ ମାସ ଧରି ଗରମ ବା ଉତ୍ତାପ ବୃଦ୍ଧି ଜାରି ରହୁଥିବାରୁ ଶକ୍ତି ଉତ୍ପାଦନ ଉପରେ ଅତିରିକ୍ତ ଚାପ ରହୁଛି। ବର୍ଷା ଓ ଶୀତ ଋତୁର ସମୟ ସଙ୍କୁଚିତ ହେଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ଏ ବର୍ଷ ଯେ ଏହା ନୂଆ ଅନୁଭବ ଏ କଥା ନୁହେଁ। ଗତ କିଛିବର୍ଷ ଧରି ବଦଳୁଥିବା ପାଣିପାଗ ସମ୍ପର୍କରେ ସରକାର ସଚେତନ ରହି ସମୟୋପଯୋଗୀ ପଦକ୍ଷେପ ନେବା ଉଚିତ। ବିକଳ୍ପ ଶକ୍ତି ଉତ୍ସ ବିଶେଷକରି ସୌରରଶ୍ମି ଓ ପବନ ବେଗର ଉପଯୋଗ କରି ବିଦ୍ୟୁତ୍‌ ଉତ୍ପାଦନକୁ ଯେଭଳି ଅଗ୍ରାଧିକାର ଦିଆଯିବା କଥା ସେଥିପ୍ରତି ଆମେ ଯଥେଷ୍ଟ ଧ୍ୟାନ ଦେଇନାହୁଁ। ପରିବର୍ତ୍ତିତ ପାଣିପାଗରେ ଏହି ବିକଳ୍ପ ବ୍ୟବସ୍ଥାର ସଦୁପଯୋଗ ଜରୁରୀ ହୋଇପଡ଼ିଛି। ତାପଜ ବିଦ୍ୟୁତ୍‌ କେନ୍ଦ୍ର ପରିବେଶ ଉପରେ ଯେଉଁ ପ୍ରତିକୂଳ ପ୍ରଭାବ ପକାଉଛି ତାହାକୁ ଦୃଷ୍ଟିରେ ରଖି ଆମକୁ ସେଥିରୁ କ୍ରମେ ମୁହଁ ଫେରାଇବାକୁ ପଡ଼ିବ। ଏଠାରେ ମନେ ରଖିବାକୁ ହେବ ଯେ ପରିବର୍ତ୍ତିତ ବିଶ୍ବରେ ସ୍ବଚ୍ଛ ଶକ୍ତିର ଚାହିଦା ଆଗକୁ ବୃଦ୍ଧି ପାଇବ ଓ ଆମକୁ ସେଥିଲାଗି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ହେବ।

Comments are closed.