ନାଟକ ସରି ନାହିଁ

ପାକିସ୍ତାନ ଭାରତ ପ୍ରତି ପୂର୍ବରୁ ଯେଉଁ ଆଭିମୁଖ୍ୟ ରଖିଥିଲା, ସମ୍ଭବତଃ ସେଥିରେ କିଛିଟା ପରିବର୍ତ୍ତନ ଆଣିଛି

ଗତ କିଛି ଦିନ ଧରି ପାକିସ୍ତାନରେ ଚାଲିଥିବା ନାଟକର ତଥାପି ଅନ୍ତ ହୋଇନାହିଁ; କାରଣ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଆରିଫ୍‌ ଆଲଭି ଏପ୍ରିଲ ୩ ତାରିଖରେ ସଂସଦ ଭଙ୍ଗକରି ସାନି ନିର୍ବାଚନ ନିମନ୍ତେ ଯେଉଁ ଆଦେଶ ଦେଇଥିଲେ ତାକୁ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ରାୟରେ ସେଠାକାର ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିବା ସହ ତାକୁ ‘ଅସାମ୍ବିଧାନିକ’ ଆଖ୍ୟା ଦେଇଛନ୍ତି। ଏଥିସହ ଅଦାଲତ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ ନିଷ୍ପତ୍ତିକୁ ମଧ୍ୟ ଅନୈତିକ ଦର୍ଶାଇଛନ୍ତି। ଏପ୍ରିଲ ୯ ତାରିଖରେ, ଅର୍ଥାତ ଆଜି ଏହି ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ କରାଯିବ। ଏହି ଭୋଟରେ ତାଙ୍କୁ ପରାଜୟ ବରଣ କରିବାକୁ ପଡ଼ିପାରେ ବୋଲି ସମ୍ଭବତଃ ଇମ୍ରାନ ଖାଁ ଆଶଙ୍କା କରୁଛନ୍ତି; ତେଣୁ ଏହାକୁ ଟାଳିବାକୁ ସେ ନିର୍ବାଚନ କରିବା କଥା କହି ନୂଆ ରଣନୀତି ଆପଣାଇଥିଲେ; ମାତ୍ର ସେଥିରେ ସେ ସଫଳ ହୋଇନାହାନ୍ତି। ତେଣୁ ସେ ଆଗାମୀ ଦିନରେ ବହୁତ କଠିନ ପରିସ୍ଥିତିର ସମ୍ମୁଖୀନ ହେବା କଥା ଜଳଜଳ ହୋଇ ଦେଖାଯାଉଛି। ତାଙ୍କ ମତିଗତିକୁ ଦେଖିଲେ ମନେହେଉଛି ଯେ ସେ ଏଥିପାଇଁ ଅପ୍ରସ୍ତୁତ। ସେ ଯାହାହେଉ, ପଡ଼ୋଶୀ ପାକିସ୍ତାନର ରାଜନୈତିକ ଚିତ୍ରକୁ ପରଖିବା ଏଇଥିପାଇଁ ଗୁରୁତ୍ବପୂର୍ଣ୍ଣ ଯେ ଭାରତ ପାଇଁ ମଧ୍ୟ ତା’ର ମହତ୍ତ୍ବ କମ୍‌ ନୁହେଁ।
ପାକିସ୍ତାନରେ ଗଣତାନ୍ତ୍ରିକ ରାଜନୀତି ଓ ଶାସନ କିପରି ଚାଲେ, ତାହା ଅଳ୍ପବହୁତେ ସଭିଙ୍କୁ ଜଣା। ସେଠାକାର ଶାସନର ଚାବି ପ୍ରାୟତଃ ଥାଏ ସେନା ହାତରେ; ତେଣୁ ମୁଖ୍ୟ ନିଷ୍ପତ୍ତିଗୁଡ଼ିକ ପଛରେ ସେନା ରହିଥାଏ। ଏହି ଅନାସ୍ଥା ଭୋଟର ପରିଣତି ଯାହା ହେଉ ନା କାହିଁକି, ତାହା ବାସ୍ତବରେ ପାକିସ୍ତାନୀ ଗଣତନ୍ତ୍ରକୁ ଖୁବ୍‌ ବେଶୀ ପ୍ରଭାବିତ କରିବ ନାହିଁ। ଏହି କାରଣରୁ ଅନେକ ସମୟରେ ଅଦାଲତୀ ଆଦେଶ ମଧ୍ୟ ଅର୍ଥହୀନ ମନେହୁଏ। ବର୍ତ୍ତମାନ ଯେଉଁ ସ୍ଥିତି ଉପୁଜିଛି, ତା’ ପଛରେ ମଧ୍ୟ ସେହି ସେନାର କୌଣସି ପ୍ରଭାବଶାଳୀ ଗୋଷ୍ଠୀର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଅତୀତରେ ସେପରି ଘଟନା ବିରଳ ନୁହେଁ। ଜାତୀୟ ରାଜନୀତିର ସଙ୍କଟକୁ ସେଠାକାର ସେନା ସବୁବେଳେ ନିଜ ପାଇଁ ସୁଯୋଗ ବୋଲି ଧରିନିଏ ଏବଂ କ୍ଷମତାକୁ ନିଜର ହାତମୁଠାରେ ରଖିବାର ପ୍ରୟାସ କରେ। ସେଠାକାର କୌଣସି ପ୍ରଧାନମନ୍ତ୍ରୀ ଏ ପର୍ଯ୍ୟନ୍ତ ସଂପୂର୍ଣ୍ଣ ପାଞ୍ଚବର୍ଷିଆ କାର୍ଯ୍ୟକାଳ ପୂରଣ କରିପାରି ନାହାନ୍ତି, ଏହା ହିଁ ତା’ର ସବୁଠୁ ବଡ଼ ପ୍ରମାଣ। ସେଠାକାର ସେନା ଏହାର ଫାଇଦା ଉଠାଇ ଜନସାଧାରଣଙ୍କୁ ନିଜର ଗୁରୁତ୍ବ ଚିହ୍ନାଇ ଦେବାକୁ ସବୁବେଳେ ଚେଷ୍ଟା କରିଆସିଛି ଏବଂ ସେଥିରେ ସଫଳ ମଧ୍ୟ ହୋଇଛି। ତେଣୁ ସେଠାକାର ସ୍ଥିତି ଯେ ସଂପୂର୍ଣ୍ଣ ରୂପେ ବଦଳିଯିବ, ତାହା ଆଦୌ ନୁହେଁ।
ଇମ୍ରାନ ଖାଁଙ୍କ ସମୟରେ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତ ସମ୍ବନ୍ଧ ଲାଗି ରହିଥିଲେ ହେଁ ଯେଉଁ କେତେକ ସକାରାତ୍ମକ ଘଟନା ଘଟିଛି, ତାହା କମ୍‌ ଗୁରୁତ୍ବପୂର୍ଣ୍ଣ ନୁହେଁ। ବିଶେଷକରି ଇମ୍ରାନ ଓ ସେନା ଭାରତ ସହିତ ଏକ ସଦ୍ଭାବ ରକ୍ଷାର ସଙ୍କେତ ଦେଇଛନ୍ତି। ନିକଟରେ ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ବିବୃତି ଦେବାବେଳେ ସେହି ଘଟନାକ୍ରମର ଗୁରୁତ୍ବକୁ ବିଚାର କରି ଭାରତ ଯେଉଁ କୂଟନୈତିକ ଭାରସାମ୍ୟ ରକ୍ଷା କରିଛି ତାହାର ଉଚ୍ଚ ପ୍ରଶଂସା କରିଥିଲେ ଇମ୍ରାନ। ଯୁକ୍ତରାଷ୍ଟ୍ର ଆମେରିକା ଓ ରୁଷିଆ ଉଭୟଙ୍କ ସହିତ ଭାରସାମ୍ୟ ରକ୍ଷା ପ୍ରସଙ୍ଗରେ ସେ ଏହା ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ; ପାକିସ୍ତାନର ସେନା ମୁଖ୍ୟ କମର ଜାଭେଦ ବାଜୱା ମଧ୍ୟ ଭାରତ ସହିତ ଆଲୋଚନା କରିବା ସପକ୍ଷରେ ମତ ଦେଇଛନ୍ତି। ନିକଟ ଅତୀତରେ ପାକିସ୍ତାନୀ ସେନା ଓ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଭାରତ-ପାକିସ୍ତାନ ମଧ୍ୟରେ ଯୋଗାଯୋଗ ରକ୍ଷା ପାଇଁ ଚେଷ୍ଟା କରିବା ଏକ ଉଲ୍ଲେଖନୀୟ ଘଟଣା।
ଅନ୍ୟପକ୍ଷରେ ୨୦୨୧ ଫେବୃଆରୀଠାରୁ ଏଲ୍‌ଓସି(ସୀମା)ରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ବୁଝାମଣା ପ୍ରାୟ ସଫଳ ହୋଇଛି କହିଲେ ଚଳେ; କାରଣ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ସଂଘର୍ଷ ବହୁତ କମିଛି ଏବଂ ଏହା ଫଳରେ ହତାହତ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ସବୁଠୁ ବଡ଼ କଥା ହେଲା, ପାକିସ୍ତାନ ଭାରତ ପ୍ରତି ପୂର୍ବରୁ ଯେଉଁ ଆଭିମୁଖ୍ୟ ରଖିଥିଲା, ସମ୍ଭବତଃ ସେଥିରେ କିଛିଟା ପରିବର୍ତ୍ତନ ଆଣିଛି। ଗତ ମାସରେ ଭାରତର ଏକ କ୍ଷେପଣାସ୍ତ୍ର ଭୁଲ୍‌ବଶତଃ ପାକିସ୍ତାନ ଭିତରକୁ ନିକ୍ଷେପ ହେବାପରେ ମଧ୍ୟ ଆକ୍ରମଣାତ୍ମକ ବିବୃତି ନଦେବା ଏହାର ଏକ ଉଦାହରଣ। ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିଲେ ହେଁ ପାକିସ୍ତାନୀ ସେନା ଯେପରି ପରିପକ୍ବତା ଦେଖାଇଲା ଏବଂ ସେପରି କୌଣସି ଅଦୂରଦର୍ଶୀ ପଦକ୍ଷେପ ଗ୍ରହଣ କଲା ନାହିଁ, ସେଥିରୁ ଜଣାଯାଉଛି ଯେ ଭାରତ ସହିତ ସମ୍ବନ୍ଧକୁ ପାକିସ୍ତାନ ଅଧିକ ଖରାପ କରିବାକୁ ଚାହୁଁନାହିଁ। ଇମ୍ରାନଙ୍କ ସରକାର ଆସ୍ଥା ଜିଣି ନପାରିଲେ ଆଗାମୀ ସମୟରେ ସେନା ପୃଷ୍ଠପୋଷକତାରେ ନୂଆ ସରକାର ଗଢ଼ାଯାଇପାରେ। ସେହି ସରକାର ଭାରତ ସହିତ ହୁଏତ ନୂଆ ସମ୍ବନ୍ଧ ଯୋଡ଼ିପାରେ, ଯାହାକୁ ଭାରତ ପ୍ରତ୍ୟାଖ୍ୟାନ କରିବା ଅନୁଚିତ। ସେ ଯାହାହେଉ, ପଡ଼ୋଶୀ ଦେଶ ଭାବେ ପାରସ୍ପରିକ ବୁଝାମଣା ରକ୍ଷା କରିବା ଉଭୟଙ୍କ ପାଇଁ ମଙ୍ଗଳକର।

Comments are closed.