ବ୍ୟାଧି ଓ ବିଧାନ

ଜନତା କର୍ଫ୍ୟୁକୁ ସଫଳ କର

ମହାମାରୀ କରୋନା ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ ତାରିଖ (ରବିବାର) ସମଗ୍ର ଦେଶରେ ୧୨ଘଣ୍ଟିଆ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ଯେଉଁ ଆହ୍ବାନ ଦେଇଛନ୍ତି ତାହାକୁ ଦେଶବାସୀ ସର୍ବାନ୍ତକରଣରେ ସଫଳ କରିବା ଆବଶ୍ୟକ। ଦେଶର ସରକାରୀ ମୁଖ୍ୟ ଭାବରେ ପ୍ରଧାନମନ୍ତ୍ରୀ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଭୟାନକ କରୋନା ବିରୋଧରେ ଲଢ଼େଇ କରିବାକୁ ‘ଜନତା କର୍ଫ୍ୟୁ’ ନାମରେ ​‌​ଯେଉଁ ନୈତିକ ଅସ୍ତ୍ର ଉତ୍ତୋଳନ କରିବାକୁ ନିବେଦନ କରିଛନ୍ତି ତାହାକେବଳ ଗୋଟିଏ ଦିନରେ ସୀମିତ ନ’ରହୁ। ଏଇ ବ୍ୟାଧି ବିରୋଧରେ ଆରମ୍ଭ ହୋଇଥିବା ୧୮୦ ଦିନିଆ ଅଭିଯାନ ବଳରେ ପ୍ରତିଦିନ ଆମେ ଆମର ସାମାଜିକ, ସାଂସ୍କୃତିକ,ବ୍ୟାବହାରିକ ଓ ଧାର୍ମିକ କ୍ଷେତ୍ରରେ ଦୂରତ୍ବ ରକ୍ଷା କରିବାକୁ ହେବ। ସ୍ପର୍ଶ, ସମାଗମ, ସମାବେଶ ଓ ସମ୍ମେଳନ ଯେତେବେଳେ ବ୍ୟାଧିକୁ ବଢ଼ାଉଛି, ଆମେ ତା’ଠାରୁ ଦୂରେଇ ରହି ଏକାନ୍ତରେ ଅଥବା ପରିବାର ସହିତ ଭଲରେ ରହିବାକୁ ଚେଷ୍ଟା କରିବା ଆବଶ୍ୟକ। ଆଚାରବିଚାରକୁ ଚାଲେଞ୍ଜ କରି ସାମାଜିକ ଓ ଅନ୍ୟାନ୍ୟ ସମ୍ପର୍କକୁ ଏହା ସୀମିତ ଓ ଦୂରନ୍ତ କରିବାକୁ ବାଧ୍ୟ କରୁଛି।
କରୋନା ବିଶ୍ବର ପ୍ରାୟ ସବୁ ଦେଶକୁ ଛୁଇଁଲାଣି। ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ୁଛି। ଔଷଧ ଓ ସଫଳ ନିରାକରଣ ନଥିବା ଏଇ ବ୍ୟାଧିର ଏକମାତ୍ର ପ୍ରତିରୋଧ ମାର୍ଗ ହେଲା ସାମାଜିକ ଦୂରତ୍ବ, ଧୈର୍ଯ୍ୟ ଓ ସଂଯମ ରକ୍ଷା। ଭାରତ ସରକାରଙ୍କ କରୋନା ମୁକାବିଲା ପ୍ରୟାସ ଅଭିନନ୍ଦନୀୟ। ଓଡ଼ିଶା ମଧ୍ୟ ଏ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ କରୁଛି। ଏହାସତ୍ତ୍ବେ ବ୍ୟାଧିର ପ୍ରକୋପ ଯୋଗୁଁ ସହର ପରେ ସହର ସବୁ କ୍ରମଶଃ ବନ୍ଦ ହେବାକୁ ବାଧ୍ୟ ହେଉଛି। ଜୀବନଜୀବିକା ଓ ଅର୍ଥନୀତି ଉପରେ ଏହାର ଏକ ବିରାଟ ପ୍ରଭାବ ପଡ଼ିବା ନିଶ୍ଚିତ। ତେବେ ବିପଦବେଳେ ଜୀବନ ବଞ୍ଚାଇବା ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ। ଅନ୍ୟ କଥା ପଛ। ଅତଏବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ସବୁ ସ୍ବାସ୍ଥ୍ୟ ପରାମର୍ଶ ଦେଉଛନ୍ତି ସମସ୍ତେ ଗଣମାଧ୍ୟମରୁ ତାହା ପଢ଼ିଶୁଣି ନିଜେନିଜର ଯତ୍ନ ନେବା ସହିତ ପରିବାରର ବୃଦ୍ଧ ଓ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ଆବଶ୍ୟକ। ସମଗ୍ର ବିଶ୍ବ ଏକ ଭୟାନକ ବ୍ୟାଧି ସହିତ ଲଢ଼ୁଛି। କେହି କାହାରିକୁ ସାହାଯ୍ୟ ସହଯୋଗ କରିବା ଅବସ୍ଥାରେ ନାହାନ୍ତି। ବିଶ୍ବଯୁଦ୍ଧଠାରୁ ଏଇ ବିପତ୍ତିର ପ୍ରଭାବ ଆହୁରି ଭୟାନକ ପ୍ରମାଣିତ ହେବାକୁ ଯାଉଛି। ଏଭଳି ସ୍ଥିତିରେ ଚିକିତ୍ସକ, ଚିକିତ୍ସା କର୍ମଚାରୀ ଓ ଅନ୍ୟ ଯେଉଁସବୁ ଅତ୍ୟାବଶ୍ୟକ ସେବାକ୍ଷେତ୍ରର ଲୋକେ ନିଜ ଜୀବନକୁ ବାଜି ଲଗାଇ ଦାୟିତ୍ବ ନିର୍ବାହ କରୁଛନ୍ତି ସେମାନେ ବାସ୍ତବରେ ନାୟକ ଓ ନମସ୍ୟ। ସେମାନଙ୍କ ମନୋଭାବକୁ ଦୃଢ଼ କରିବା ଆମର ଦାୟିତ୍ବ ମଧ୍ୟ। ଆସନ୍ତୁ ରୋଗ ବିରୋଧୀ ଅଭିଯାନ ‘ଜନତା କର୍ଫ୍ୟୁ’କୁ ସଫଳ କରିବା ଏବଂ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇବା।

Comments are closed.