‘ସମାଜ’ର ୯୯ତମ ସ୍ୱନକ୍ଷତ୍ର ଉତ୍ସବ; ରାଜ୍ୟସ୍ତରୀୟ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଫଳାଫଳ

0

କଟକ : ‘ସମାଜ’ର ୯୯ତମ ସ୍ୱନକ୍ଷତ୍ର ଉତ୍ସବ ଅବସରରେ ସେପ୍ଟେମ୍ବର ୨୩ରେ ରାଜ୍ୟବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ‘ଚିତ୍ରାଙ୍କନ’ ଓ ‘ପ୍ରବନ୍ଧ ଲିଖନ’ ପ୍ରତିଯୋଗିତାର ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଆସନ୍ତା ୪ତାରିଖ ସହିଦ ଭବନରେ ହେବାକୁ ଥିବା ‘ସମାଜ’ର ୯୯ତମ ପୂର୍ତ୍ତି ଉତ୍ସବରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ।
ରାଜ୍ୟବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ପ୍ରବନ୍ଧ ପ୍ରତିଯୋଗିତାରେ ନୟାଗଡ ଜିଲା ରଣପୁର ରାଜସୁନାଖଳା ସରକାରୀ ଉଚ୍ଚବିଦ୍ୟାଳୟ ଛାତ୍ର ଅଂଶୁମାନ ସାହୁ ପ୍ରଥମ, ଯାଜପୁର ସୁଜନପୁର ରୁଦ୍ରଚରଣ ଉଚ୍ଚବିଦ୍ୟାଳୟର ଛାତ୍ରୀ ପୁଷ୍ପାଞ୍ଜଳି ପତି ଦ୍ୱିତୀୟ ଓ ସମ୍ବଲପୁର ଶ୍ରୀ ଅରବିନ୍ଦ ଇନଷ୍ଟିଚ୍ୟୁଟ ଅଫ ଇଣ୍ଟିଗ୍ରାଲ ଏଜୁକେସନର ଛାତ୍ରୀ ଆକାଂକ୍ଷା ଜେନା ତୃତୀୟ ସ୍ଥାନ ହାସଲ କରିଛନ୍ତି।
ଚିତ୍ରାଙ୍କନ ପ୍ରତିଯୋଗିତା କନିଷ୍ଠ ବିଭାଗରେ ବାଲେଶ୍ୱର ସେଣ୍ଟ ଥୋମାସ କନଭେଣ୍ଟ ସ୍କୁଲର ଓମ୍‍ପ୍ରଭା କରଣ ପ୍ରଥମ, ପୁରୀ କେନ୍ଦ୍ରୀୟ ବିଦ୍ୟାଳୟର ଅନ୍ୱେଷା ସୁନ୍ଦରାୟ ଦ୍ୱିତୀୟ ଓ ଭଦ୍ରକ ସନସାଇନ ମିଶନ ସ୍କୁଲର ଆଦିତ୍ୟପ୍ରଭଞ୍ଜନ ପ୍ରଧାନ ତୃତୀୟ ହୋଇଛନ୍ତି। ସେହିପରି ବରିଷ୍ଠ ବିଭାଗରେ ଗଞ୍ଜାମ ଜେଏନଭି ସୁରଙ୍ଗି ସ୍କୁଲର ଗୋବିନ୍ଦ ପ୍ରଧାନ ପ୍ରଥମ, କଳାହାଣ୍ଡି ଜିଲା ଲାଞ୍ଜିଗଡ ଡିଏଭି ସ୍କୁଲର ମୀନକେତନ ମାଝି ଦ୍ୱିତୀୟ ଓ ବରଗଡ ବିକାଶ ଆବାସିକ ସ୍କୁଲର ମଞ୍ଜିଲକୁମାର ଗିରି ତୃତୀୟ ସ୍ଥାନ ହାସଲ କରିଛନ୍ତି।
ଆଜି ଗୋପବନ୍ଧୁ ଭବନସ୍ଥିତ ‘ସମାଜ’ କାର୍ଯ୍ୟାଳୟରେ ଜିଲାସ୍ତରରେ ଶ୍ରେଷ୍ଠ ହୋଇଥିବା କନିଷ୍ଠ ଓ ବରିଷ୍ଠ ବିଭାଗର ଚିତ୍ରାଙ୍କନ ଏବଂ ପ୍ରବନ୍ଧଗୁଡିକର ମୂଲ୍ୟାୟନ କରାଯାଇଥିଲା। ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ଉପମହାନିର୍ଦେଶକ ରବୀନ୍ଦ୍ରନାଥ ମିଶ୍ର, ରଘୁନାଥଜୀଉ ମହାବିଦ୍ୟାଳୟ ଅଧ୍ୟାପକ ଡ. ହେମନ୍ତକୁମାର ପରିଡା ଓ ଚୌଦ୍ୱାର ମହାବିଦ୍ୟାଳୟ ପ୍ରାକ୍ତନ ପ୍ରାଧ୍ୟାପକ ଡ. ନିରଞ୍ଜନ ସାହୁ ବିଚାରକଭାବେ ଯୋଗଦେଇ ପ୍ରବନ୍ଧଗୁଡିକର ମୂଲ୍ୟାୟନ କରିଥିଲେ। ବରିଷ୍ଠ ଚିତ୍ରଶିଳ୍ପୀ ପ୍ରଫୁଲ୍ଲକୁମାର ମଲ୍ଲିକ, ଉତ୍କଳକେଶରୀ ସିଂହ ଓ ଶୈଳବାଳା ମହିଳା ମହାବିଦ୍ୟାଳୟର ଗୌରାଙ୍ଗ ବାରିକି ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗ ଚିତ୍ରଗୁଡିକର ମୂଲ୍ୟାୟନ କରିଥିଲେ। ଏହିସବୁ କାର୍ଯ୍ୟକ୍ରମକୁ ଲୋକସେବକ ମଣ୍ଡଳର ଆଜୀବନକର୍ମୀ ଡଃ ପ୍ରଭାସ ଆଚାର୍ଯ୍ୟ ସଂଯୋଜନା କରିଥିଲେ।
ପ୍ରକାଶ, ସେପ୍ଟେମ୍ବର ୨୩ରେ ରାଜ୍ୟର ୩୧୨ଟି ବ୍ଲକ ସମେତ ୬ଟି ସହରରେ କନିଷ୍ଠ(୩ୟରୁ ୫ମ) ଏବଂ ବରିଷ୍ଠ( ୬ଷ୍ଠ ଓ ୭ମ) ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ୮ମରୁ ୧୦ମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତି କେନ୍ଦ୍ରରେ ବିଶିଷ୍ଟ ଚିତ୍ରଶିଳ୍ପୀଙ୍କ ଦ୍ୱାରା ଚିତ୍ରଗୁଡିକର ମୂଲ୍ୟାୟନ କରାଯାଇ ଉଭୟ ବିଭାଗର ୩ଜଣ ଶ୍ରେଷ୍ଠ ପ୍ରତିଯୋଗୀଙ୍କ ସହିତ ୭ଜଣ ପ୍ରତିଯୋଗୀଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ବ୍ଲକସ୍ତରରେ ଶ୍ରେଷ୍ଠ ୩ଟି ପ୍ରବନ୍ଧ ଏବଂ ବରିଷ୍ଠ ଓ କନିଷ୍ଠ ବିଭାଗର ୩ଟି ଲେଖାଏଁ ଚିତ୍ର ଜିଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲା। ଜିଲାସ୍ତରରେ ଶ୍ରେଷ୍ଠ ୩ଟି ଲେଖାଏଁ ପ୍ରବନ୍ଧ, କନିଷ୍ଠ ଓ ବରିଷ୍ଠ ବିଭାଗରେ ୩ଟି ଲେଖାଏଁ ଚିତ୍ର ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲା।

Leave A Reply