‘ସମାଜ’ର ଶତବାର୍ଷିକୀ ସମାରୋହ

କଟକ: ଦୈନିକ ସମ୍ବାଦପତ୍ର ‘ସମାଜ’ ଆଜି ୧୦୦ ବର୍ଷ ପୂରଣ କରିଛି। ୧୯୧୯ରୁ ୨୦୧୯ ଦୀର୍ଘ ପଥର ଯାତ୍ରା ଅତିକ୍ରମ କରି ଓଡିଶା ସମେତ ସାରା ଦେଶରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ‘ସମାଜ’। ଆଜି କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଅପରାହ୍ନ ୪ଟାରୁ ଅନୁଷ୍ଠିତ ହେଉଛି ‘ସମାଜ’ର ଶତବାର୍ଷିକୀ ସମାରୋହ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଛନ୍ତି ଭାରତର ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ। ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଉଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଲୋକସଭା ସାଂସଦ ଡ଼. ଅଚ୍ୟୁତ ସାମନ୍ତ।

ଇତି ମଧ୍ୟରେ ଭାରତର ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ ମଞ୍ଚରେ ପହଂଚି ସାରିଛନ୍ତି। ଜାତୀୟ ସଂଗୀତ ପରିବେଷଣ ପରେ ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପେଟ୍ରୋଲିୟମ ଓ ପ୍ରାକୃତିକ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଲୋକସଭା ସାଂସଦ ଡ଼. ଅଚ୍ୟୁତ ସାମନ୍ତ ଆସନ ଗ୍ରହଣ କରିଛନ୍ତି।

ପ୍ରାରମ୍ଭରେ ଲୋକସେବକ ମଣ୍ଡଳ ସଭାପତି ତଥା ସମାଜ ପରିଚାଳନା ମଣ୍ଡଳ, ଓଡିଶା ଶାଖାର ଅଧ୍ୟକ୍ଷ ଦୀପକ ମାଲବ୍ୟ ଅତିଥି ପରିଚୟ ଦେବା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଚେଷ୍ଟା ଓ ପ୍ରଚେଷ୍ଟା ଆଜି ସମାଜକୁ ୧୦୦ ବର୍ଷରେ ପହଞ୍ଚାଇ ପାରିଛି।

 

 

ସମାଜର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ‘ସମାଜ’ର ଶତବାର୍ଷିକୀ ସମାରୋହ ସମ୍ପର୍କରେ ତଥ୍ୟ ପ୍ରଦାନ କରି କହିଛନ୍ତି ଯେ ଗୋପବନ୍ଧୁ ସମାଜକୁ ସାଧାରଣ ଲୋକଙ୍କ ଅନ୍ତଃସ୍ୱର ଭାବେ ଗଢି ତୋଳିଥିଲେ।

୧୯୧୯ରୁ ସମାଜ ଆରମ୍ଭ କରିଥିବା ଯାତ୍ରା କିଭଳି ସେତେବେଳର ସାମାଜିକ ପରିସ୍ଥିତି ଦେଇ ଗତି କରିଥିଲା, ତାହା ସେ ବର୍ଣ୍ଣନା କରିଥିଲେ। ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ଆଜିର ସାରସ୍ୱତ ସମାରୋହରେ ସ୍ଥାନିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସୂଚନା ପ୍ରଦାନ କରିଥିଲେ। ସମାଜ ପକ୍ଷରୁ ନିଆଯିବାକୁ ଥିବା ପଦକ୍ଷେପ ତଥା ଆଗାମୀ ଦିନର କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ।

ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଜର ଶହେ ବର୍ଷ ପୂର୍ତ୍ତିକୁ ୧୦୦ ବର୍ଷର ସାଂସ୍କୃତିକ ପ୍ରବାସ ଭାବେ ବର୍ଣ୍ଣନା କରିଛନ୍ତି। ସମାଜ ଓଡ଼ିଆ ଜନଜୀବନର ଆସ୍ଥା ବୋଲି କହିବା ସହ ଯେମିତି ଆମେ ଜଗତର ନାଥ ଜଗନ୍ନାଥଙ୍କ ଉପରେ ଆସ୍ଥା ରଖିଛନ୍ତି ସେମିତି ସମାଜ ଉପରେ ୧୦୦ ବର୍ଷରୁ ଅଧିକ କାଳ ଆମେ ଆସ୍ଥା ରଖିଛୁ।

 

ଏହି ଅବସରରେ ସମ୍ମାନନୀୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପବନ୍ଧୁ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ସ୍ୱାଧୀନତା ପରବର୍ତ୍ତୀ ସମାଜ ଗଠନ ଦିଗରେ ସମ୍ବାଦପତ୍ର ସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।

ପ୍ରତିଯୋଗିତାର ସାମ୍ନା କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମାଜ ସଫଳ ହୋଇଥିବା ନବୀନ କହିଛନ୍ତି। ମୁଖ୍ୟମନ୍ତ୍ରୀ ଉପରାଷ୍ଟ୍ରପତିଙ୍କୁ ସ୍ୱାଗତ କରି କହିଛନ୍ତି ଯେ ଉପରାଷ୍ଟ୍ରପତି ଏହି ସମାରୋହରେ ଯୋଗ ଦେଇ ଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସମାଜ ଉତ୍କଳମଣିଙ୍କ ଅନୁଷ୍ଠାନ, ଓଡ଼ିଆ ଜାତିର ଅନୁଷ୍ଠାନ, ଏକ ସେବା ଅନୁଷ୍ଠାନ। ଓଡ଼ିଆ ଜାତୀୟତାବାଦୀକୁ ଶକ୍ତିଶାଳୀ କରିବାରେ ‘ସମାଜ’ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଓଡ଼ିଆ ଜାତିର ସ୍ୱର, ଓଡ଼ିଶାର ସ୍ୱାର୍ଥ ଥିଲା ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ। ମୁଖମନ୍ତ୍ରୀ କହିଛନ୍ତି ଗଣମାଧ୍ୟମ ହେଉଛି ଗଣତନ୍ତ୍ର ପାଇଁ ଅମ୍ଳଜାନ ସଦୃଶ। ଗଣମାଧ୍ୟମ ଯେତେ ସ୍ୱାଧୀନ ହେବା, ଗଣତନ୍ତ୍ର ସେତେ ମଜବୁତ ହେବା। ଶହେ ବର୍ଷ ଭିତରେ ‘ସମାଜ’ ଅନେକ ପ୍ରତିବନ୍ଧକର ସାମ୍ନା କରିଛି ଓ ସେ ସବୁକୁ ସୁଯୋଗ ଭାବରେ ଗ୍ରହଣ କରିଛି, ନିଜ ସ୍ଥିତି ମଜବୁତ କରିଛି। ପ୍ରତିଯୋଗିତାର ମୁକାବିଲା କରି ସଫଳ ଭାବରେ ଆଗକୁ ବଢି ଚାଲିଛି, ନିଜ ପରିଚୟକୁ ଆହୁରି ଉଜ୍ଜ୍ୱଳ କରିଛି। ସେ କହିଛନ୍ତି, ମୋର ବିଶ୍ୱାସ, ପଣ୍ଡିତ ଗୋପବନ୍ଧୁଙ୍କ ଆଦର୍ଶରେ କାମ କରି ସମାଜ ଆଗାମୀ ଦିନରେ ମଧ୍ୟ ତାର ସଫଳତାର ଧାରା ବଜାୟ ରଖିବ।

ସମ୍ମାନନୀୟ ଅତିଥି ଭାବରେ ଆଜିର ଶତବାର୍ଷିକୀ ସମାରୋହରେ ଯୋଗ ଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଛନ୍ତି, ଉତ୍କଳ ଜନନୀ ଉତ୍କୃଷ୍ଟ କାଳରେ ପରିପୂର୍ଣ୍ଣ। ସେହି ଉତ୍କଳ ମାଟି ବାତ୍ସଲ୍ୟ ମୟୀ ଯେଉଁଠି ସାହିତ୍ୟ ଓ ସମାଜର ସଫଳ ମିଳନ ଘଟିଛି। ପୌରାଣିକ ଗାଥାର ଚରିତ୍ର ନାରଦ ମୁନିଙ୍କ ସହ ସମାଜକୁ ତୁଳନା କରି ସେ କହିଛନ୍ତି ସମାଜ ଆସିଲେ ପାଠକ ମନରେ ନୂଆ କିଛି ପାଇବାର ଭାବନା ସଂଚରଣ ହୁଏ। ସମାଜକୁ ଗୋପବନ୍ଧୁଙ୍କ ସଫଳ କୃତ୍ତି ଭାବେ ବର୍ଣ୍ଣନା କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

ଏହି ଅବସରରେ ସମାଜର ଶତ ବାର୍ଷିକୀ ପ୍ରକାଶନ, ପୁସ୍ତକ, ଲୋଗୋ ଏବଂ ଡାକ ଟିକଟ ଉନ୍ମୋଚନ କରିଛନ୍ତି ମଂଚାସୀନ ଉପସ୍ଥିତ ଅତିଥିଗଣ।

 

 

 

 

 

‘ସମାଜ’ର ଶତବାର୍ଷିକୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାରତର ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ ସମାଜ ପରିବାରର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ସମାଜ ଭଳି ଏକ ପ୍ରତିଷ୍ଠାନ ୧୦୦ ବର୍ଷ ପୂରଣ କରିବା ଏକ ମାଇଲଖୁଣ୍ଟ ସଦୃଶ।

ସେ କହିଛନ୍ତି ସମାଜ ହେଉଛି ଓଡ଼ିଶାର ଇତିହାସ, ରାଜନୈତିକ, ସାଂସ୍କୃତିକ, ସାମ୍ବାଦିକତା ଓ ଲୋକ ଶକ୍ତିର ପରିଚୟ। ଏହା କେବଳ ସୂଚନା ଦେଇନାହିଁ ତା ସହିତ ଏହି ସମ୍ବାଦପତ୍ର ଲୋକମାନଙ୍କୁ ଶିକ୍ଷିତ କରାଇବା ସହ ବାହାର ଦୁନିଆ ସହ ପରିଚିତ କରାଇ ପାରିଛି। ସମାଜସେବୀ ସୁଵରାଓଙ୍କ ଉଦାହରଣ ଦେବା ଅବସରରେ ଉପରାଷ୍ଟ୍ରପତି କହିଛନ୍ତି, ତାଙ୍କ ଜୀବନ ମଧ୍ୟ ସାରା ଦେଶ ପାଇଁ ପ୍ରେରଣାର ଏକ ମହାନ ସ୍ରୋତ। ସାମାଜିକ ଗଣମାଧ୍ୟମର ଭିଡ ଭିତରେ ସମାଜ ସୂଚନା ଓ ଯୋଗାଯୋଗ କ୍ଷେତ୍ରରେ ଯେଉଁ ପର୍ଯ୍ୟାୟରେ ପହଂଚିଛି ତାହା ନିଶ୍ଚିତ ଭାବେ ଏକ ଚ୍ୟାଲେଞ୍ଜ ବୋଲି ସେ କହିଛନ୍ତି। ଭାରତ ଭଳି ଗଣତନ୍ତ୍ରରେ ଆଜି ଟିଆରପି ପାଇଁ ଚ୍ୟାନେଲ ଗୁଡିକ ମଧ୍ୟରେ ଚାଲିଥିବା ପ୍ରତିଯୋଗିତାକୁ ନାଇଡୁ ନାପସନ୍ଦ କରିବା ସହ ଫେକ ନ୍ୟୁଜ ଓ ପେଡ ନ୍ୟୁଜ କିଭଳି ଗଣତନ୍ତ୍ର ପାଇଁ ପ୍ରତିବନ୍ଧକ ସୃଷ୍ଟି କରୁଛି କହିଛନ୍ତି। ଉପରାଷ୍ଟ୍ରପତି ଏହି ଅବସରରେ ସମ୍ବାଦ, ସାମ୍ବାଦିକତା ଓ ସୂଚନାର ସତ୍ୟତା ଉପରେ ମହାତ୍ମା ଗାନ୍ଧୀଙ୍କ ଉକ୍ତିକୁ ଉଦ୍ଧାର କରି କହିଥିଲେ ଯେ ସୂଚନା ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ସେ କୃଷକ ହେଉ କି ଉଦ୍ୟୋଗୀ, ନେତା ହେଉ କି ସାଧାରଣ ଜନତା ସମସ୍ତଙ୍କ ପାଇଁ ସମ୍ବାଦ ଗ୍ରହଣୀୟ ହେବ ଆବଶ୍ୟକ। ନାଇଡୁ ପୁରାଣ ଶାସ୍ତ୍ରରୁ ଆରମ୍ଭ କରି ବର୍ତ୍ତମାନର ସମୟ ପର୍ଯ୍ୟନ୍ତ କିଭଳି ମହିଳାମାନଙ୍କ ଭୂମିକା ରହିଛି କହିଥିଲେ। ସମାଜର ଶେଷ ଧାଡିରେ ଥିବା ଗରିବ ଓ ନିଷ୍ପେସିତର ବିକାଶ ସମସ୍ତଙ୍କର ଲକ୍ଷ୍ୟ ହେବା ଆବଶ୍ୟକ ବୋଲି କହିବା ସହ ନାଇଡୁ ସ୍ଵଛ ଭାରତ, ବେଟି ବଚାଓ, ଯୋଗ ଓ ଅନ୍ୟାନ୍ୟ ଯୋଜନା ସମ୍ପର୍କରେ କହିଥିଲେ। ପାଶ୍ଚାତ୍ୟ ଜୀବନ ଶୈଳୀକୁ ସମାଲୋଚନା କରି ଉପରାଷ୍ଟ୍ରପତି କହିଥିଲେ ଯେ ଏବେ ମିଳୁଥିବା ଇନଷ୍ଟାଣ୍ଟ ଖାଦ୍ୟ କନଷ୍ଟାଣ୍ଟ ରୋଗ ସୃଷ୍ଟି କରେ ବୋଲି କହିଛନ୍ତି। ନାଇଡୁ ମାତୃଭାଷା ଓଡ଼ିଆ ଭାଷା ଶିକ୍ଷା ଉପରେ ଗୁରୁତ୍ୱ ଦେଇ କହିଛନ୍ତି, ପ୍ରଥମେ ଆମେ ଆମ ମାତୃଭାଷାକୁ ଦୃଢ କରିବା ଆବଶ୍ୟକ ଓ ଅଗ୍ରାଧିକାର ଭିତ୍ତିରେ ଏହା ଶିକ୍ଷା କରିବା ଆବଶ୍ୟକ। ସେ କହିଛନ୍ତି ଭାରତରେ ଅଧିକରୁ ଅଧିକ ମାତୃଭାଷା ଭିତ୍ତିକ ଖବରକାଗଜ ପ୍ରକାଶନ ହେବା ଆବଶ୍ୟକ। ସେ କହିଛନ୍ତି ଭାରତ ଆଗାମୀ ଦିନରେ ତୃତୀୟ ବୃହତ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି। ସେଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ମିଳିତ ଭାବରେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି।

ଏହି ଶତ ବାର୍ଷିକୀ ସମାରୋହରେ ଲୋକସେବକ ମଣ୍ଡଳ ସଭାପତି ତଥା ସମାଜ ପରିଚାଳନା ମଣ୍ଡଳ, ଓଡିଶା ଶାଖାର ଅଧ୍ୟକ୍ଷ ଦୀପକ ମାଲବ୍ୟ ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ମାରକ ଅର୍ପଣ କରି ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ସମାଜର ବରିଷ୍ଠ କର୍ମକର୍ତ୍ତାଗଣ ମଂଚାସୀନ ଅତିଥିମାନଙ୍କୁ ସ୍ମୃତି ଚିହ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।

ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଲୋକସେବକ ମଣ୍ଡଳ ଟ୍ରଷ୍ଟି ଡ଼.ଏସ.ଏନ. ସୁଵା ରାଓ, ସମାଜ ପରିଚାଳନା ମଣ୍ଡଳୀ କୋଷାଧକ୍ଷ ଭୀମସେନ ଯାଦବ, ସମାଜ ପ୍ରକାଶକ ଓ ମୁଦ୍ରାକାର ନିରଞ୍ଜନ ରଥ ଏବଂ ଡାକ ବିଭାଗ ସଚିବ ଅନନ୍ତ ନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.