‘ସମାଜ’ ଶତବାର୍ଷିକୀ ଜାତୀୟ ଯୁବ ଶିବିର ଉଦଘାଟିତ

କଟକ: ‘ସମାଜ’ର ଶତବାର୍ଷିକୀ ପାଳନ ଅବସରରେ ଲୋକସେବକ ମଣ୍ଡଳ, ‘ସମାଜ’ ଏବଂ ଜାତୀୟ ଯୁବ ପ୍ରକଳ୍ପ ସହଯୋଗରେ  ‘ସମାଜ’ ଶତବାର୍ଷିକୀ ଜାତୀୟ ଯୁବ ଶିବିର ଆରମ୍ଭ ହୋଇଛି। ବାରବାଟୀ ଷ୍ଟାଡିୟମସ୍ଥିତ ସଚିନ ତେନ୍ଦୁଲକର ଇନଡୋର ଷ୍ଟାଡିୟମରେ ଏହି ଶିବିରରେ ଦେଶର ବିଭିନ୍ନ ରାଜ୍ୟରୁ ୧୦୦୦ରୁ ଊର୍ଦ୍ଧ୍ବ ଯୁବକ ଯୁବତୀଙ୍କ ସମେତ ସାର୍କ ଦେଶର ୧୦୦ରୁ ଊର୍ଦ୍ଧ୍ବ ପ୍ରତିନିଧି ଯୋଗଦେଇଛନ୍ତି।

‘ସମାଜ’ ମୁଦ୍ରାକାର ତଥା ପ୍ରକାଶକ ନିରଞ୍ଜନ ରଥ ଶତବାର୍ଷିକୀ ପାଳନ ଅବସରରେ ମଂଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସମାଜ ଶହେ ବର୍ଷରେ ପଦାର୍ପଣ କରିବା ଅବସରରେ ଉପସ୍ଥିତ ଅତିଥି ଏବଂ ଦର୍ଶକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।

ଏହି ଉତ୍ସବରେ ମଞ୍ଚରେ ଉପସ୍ଥିତ ଅଛନ୍ତି ଜାତୀୟ ଯୁବ ପ୍ରକଳ୍ପର ନିର୍ଦେଶକ ତଥା ବିଶିଷ୍ଟ ଗାନ୍ଧିବାଦୀ ଡ. ଏସ.ଏନ ସୁବାରାଓ, ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ, ଜାତୀୟ ଯୁବ ପ୍ରକଳ୍ପ ଆବାହକ ମଧୁସୂଦନ ଦାସ, ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବୀରକିଶୋର ମିଶ୍ର, ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ଦୀପକ ମାଲବ୍ୟ, ଲୋକ ସେବକ ମଣ୍ଡଳର କୋଷାଧକ୍ଷ ଭୀମସେନ ଯାଦବ ଏବଂ ସମାଜର ମୁଦ୍ରାକାର ତଥା ପ୍ରକାଶକ ନିରଞ୍ଜନ ରଥ।

ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ତାଙ୍କ ଅଭିଭାଷଣରେ କହିଛନ୍ତି, ଯଦି ମନରେ କୌଣସି ସଂକଳ୍ପ ଦୃଢ ଭାବରେ ଗ୍ରହଣ କରାଯାଏ, ସେ କ୍ଷେତ୍ରରେ ବୟସ ବି ହାର ମାନିଯାଏ। ଜାତୀୟ ଯୁବ ପ୍ରକଳ୍ପର ନିର୍ଦେଶକ ତଥା ବିଶିଷ୍ଟ ଗାନ୍ଧିବାଦୀ ଡ. ଏସ.ଏନ ସୁବାରାଓଙ୍କୁ ଜଣେ ମାଟିର ମଣିଷ ଭାବେ ଅଭିହିତ କରି ତାଙ୍କୁ ଓଡିଶାକୁ ସ୍ୱାଗତ କରିଥିଲେ ମୋକିମ। ସେ କହିଥିଲେ ଯେ, ସ୍ୱାଧୀନତା ପୂର୍ବରୁ ନିଜ ଭାଷାରେ ନିଜ ଲୋକଙ୍କ ପାଖରେ ସତ ଖବର ପହଞ୍ଚାଇବାରେ ସମାଜର ଭୂମିକା ଅତୁଳନୀୟ। ୧୯୮୦ରେ ଦୁର୍ଭିକ୍ଷ ସମୟରେ କଳାହାଣ୍ଡିର ଜଣେ ମା’ ତା ପୁଅକୁ ବିକ୍ରି କରିଦେବା ଖବର ପ୍ରଥମେ ସମାଜ ଲୋକଲୋଚନକୁ ଆଣିଥିଲା ଓ ପରେ ତାହା ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଥିଲା। ସମାଜ ଏକ ପତ୍ରିକା ନୁହେଁ, ଏକ ଆନ୍ଦୋଳନ ବୋଲି କହିଛନ୍ତି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ। ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ଶିକ୍ଷା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସମାଜ ତାର ଭୂମିକା ସଫଳ ଭାବେ ତୁଲାଇଛି।

ଏହି ଯୁବ ଶିବିରରେ ଜଳସେଚନ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଉଦବୋଧନ ଦେଇ କହିଛନ୍ତି, ୧୯୧୯ରେ ଗୋପବନ୍ଧୁ କହିଥିବା ପ୍ରତ୍ୟେକଟି ଉକ୍ତି ଆଜି ବାସ୍ତବତାରେ ପରିଣତ ହୋଇଛି। ସ୍ୱାମୀ ବିବେକାନନ୍ଦଙ୍କ ଉତ୍ସର୍ଗୀକୃତ ଜୀବନାଦର୍ଶକୁ ମନେ ପକାଇ କହିଛନ୍ତି ଯେ ସମାଜ ସେବେ ଠାରୁ ଆଜି ଯାଏଁ ସତ୍ୟନିଷ୍ଠ ହୋଇ ଏବଂ ସତ୍ୟକୁ ଆଧାର କରି ସମାଜ ସୁଧାର କାର୍ଯ୍ୟରେ ବ୍ରତୀ ହୋଇଛି।

‘ସମାଜ’ ଶତବାର୍ଷିକୀ ଜାତୀୟ ଯୁବ ଶିବିରରେ ଯୋଗ ଦେଇଥିବା ମୁଖ୍ୟ ଅତିଥି ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ସମାଜକୁ ଶହେ ବର୍ଷ ପୂରିବା ଏକ ଇତିହାସ ଯାହା ଓଡିଶାକୁ ଅତି ନିକଟରୁ ନିରୀକ୍ଷଣ କରିବାକୁ ସମାଜକୁ ସୁଯୋଗ ଦେଇଛି। ସମାଜ କିଭଳି ସମାଜର ପରିବର୍ତ୍ତନର ବାର୍ତ୍ତାବହ ହୋଇ ଗରିବ, ରୋଗୀ ଓ ଅନ୍ୟମାନଙ୍କ ପାଇଁ ସାହାଯ୍ୟର କେନ୍ଦ୍ରବିନ୍ଦୁ ପାଲଟିଛି ଓ ସରକାରଙ୍କ ଉପରେ ନିୟମିତ ଭାବେ ପ୍ରଭାବ ପକାଇଛି ସେ ପ୍ରସଙ୍ଗରେ କହିଥିଲେ। ମନ୍ତ୍ରୀ ଶ୍ରୀ ଜେନା ସମାଜର ଆହୁରି ବିକାଶ ହେଉ ବୋଲି ଶୁଭେଚ୍ଛା ଜଣାଇବା ସହ ସମାଜର ପ୍ରତ୍ୟେକଟି କ୍ଷେତ୍ରରେ ସମାଜ ରହିଥିବ ବୋଲି କହିଥିଲେ।

ଜାତୀୟ ଯୁବ ପ୍ରକଳ୍ପର ନିର୍ଦେଶକ ତଥା ବିଶିଷ୍ଟ ଗାନ୍ଧିବାଦୀ ଡ. ଏସ.ଏନ ସୁବାରାଓ କହିଛନ୍ତି, ଆଜି ସମୟ ଆସିଛି ସମାଜ ସହ ସମାଜ ପରିଚିତ ହେଉ। ସୁବାରାଓ ସେଠାରେ ଉପସ୍ଥିତ ଯୁବ ପ୍ରତିନିଧିମାନଙ୍କ ସହ କଥାହେବା ଛଳରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଯୁବ ପ୍ରତିନିଧିମାନଙ୍କୁ ସେମାନଙ୍କ ଆଞ୍ଚଳିକ ଭାଷାରେ ସ୍ଲୋଗାନ ଦେବାକୁ କହିଥିଲେ। ସୁବାରାଓଙ୍କ ସହ ପିଲାମାନଙ୍କ ଏକ ସ୍ୱରରେ ଉଚ୍ଚାରଣ ପରିବେଶକୁ ମନ୍ତ୍ରମୁଗ୍ଧ କରିଥିଲା।

ଲୋକସେବକ ମଣ୍ଡଳର ଅଧ୍ୟକ୍ଷ ଦୀପକ ମାଲବ୍ୟ ତାଙ୍କ ଅଭିଭାଷଣରେ ସମାଜର ଶହେ ବର୍ଷରେ ସେ ଦୁଇଟି ଇଛା ପୋଷଣ କରିଛନ୍ତି। ସେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି, ଯେ ସମାଜ ଭଳି ସୁବାରାଓ ମଧ୍ୟ ଶତାୟୁ ହୁଅନ୍ତୁ ଓ ହଜାର ବର୍ଷର ସହର କଟକରେ ସୁବାରାଓଙ୍କ ଶତାୟୁ ହେବାର ପର୍ବ ପାଳନ କରାଯିବ। ଅଧ୍ୟକ୍ଷ ଦୀପକ ମାଲବ୍ୟ କହିଛନ୍ତି ଯେ ଯୁବବର୍ଗ ହେଉଛନ୍ତି ଦେଶର ଭବିଷ୍ୟତ ଓ ନୂଆ ଭାରତ ଗଠନର ମୁଳୁଦୁଆ। ସେ କହିଛନ୍ତି, ସମାଜ ହେଉଛି ଓଡ଼ିଶା ଓ ଭାରତର ଜନସାଧାରଣଙ୍କର। ସେ ଯୁବ ଶିବିର ପ୍ରତିନିଧିମାନଙ୍କୁ ସ୍ୱାଗତ କରି କହିଥିଲେ, ଆଗାମୀ ପାଞ୍ଚ ଦିନ ସେମାନଙ୍କ ପାଇଁ ଅନୁଶାସନର ଦିନ।

ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ମାଲବ୍ୟ ମନ୍ତ୍ରୀ ପ୍ରତାପ ଜେନା ଓ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ସ୍ମୃତି ଚିହ୍ନ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ସ୍ମୃତି ଚିହ୍ନ ପ୍ରଦାନ କରି ସମ୍ମାନିତ କରିଥିଲେ।

ଜଷ୍ଟିସ ବୀର କିଶୋର ମିଶ୍ରଙ୍କୁ ସ୍ମୃତି ଚିହ୍ନ ପ୍ରଦାନ କରିଥିଲେ ଲୋକ ସେବକ ମଣ୍ଡଳର କୋଷାଧକ୍ଷ ଭୀମସେନ ଯାଦବ ଏବଂ ପରିଶେଷରେ ଶ୍ରୀ ଯାଦବ ଉପସ୍ଥିତ ଅତିଥି ଓ ଯୁବ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

 

 

Comments are closed.