‘ଭାରତର ଅସଲ ବ୍ୟାଙ୍କ ଭୂତଳ ଜଳ’

‘ସମାଜ’ ଶତବାର୍ଷିକୀ ଜାତୀୟ ଯୁବ ଶିବିରର ଦ୍ୱିତୀୟ ଦିବସ

କଟକ : ଭାରତରେ ଜଳ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ନଦୀ, ହ୍ରଦ ଓ ସମୁଦ୍ରର ଜଳ ଦୂଷିତ ହୋଇ ଜୀବଜଗତ ପ୍ରତି ବିପଦକୁ ଆମନ୍ତ୍ରଣ କରୁଛି। ଜଳର ଅପବ୍ୟବହାର ଫଳରେ ଭୂତଳ ଜଳରାଶି ହ୍ରାସ ପାଇବାରେ ଲାଗିଛି। ଭାରତର ଅସଲ ବ୍ୟାଙ୍କ ବମ୍ବେର ରିଜର୍ଭ ବ୍ୟାଙ୍କ ନୁହେଁ, ଅସଲ ବ୍ୟାଙ୍କ ଭୂତଳ ଜଳ ବୋଲି ବିଶିଷ୍ଟ ପରିବେଶବିତ୍‍ ତଥା ଜଳପୁରୁଷ ରାଜେନ୍ଦ୍ର ସିଂହ କହିଛନ୍ତି।

‘ସମାଜ’ର ଶତବାର୍ଷିକ ପାଳନ ଅବସରରେ ଲୋକସେବକ ମଣ୍ଡଳ ପକ୍ଷରୁ ବାରବାଟୀ ଷ୍ଟାଡିୟମ ପରିସରସ୍ଥ ସଚିନ୍‍ ତେନ୍ଦୁଲକର ଇନ୍‍ଡୋର ହଲ୍‍ଠାରେ ଚାଲିଥିବା ୬ ଦିନିଆ ଜାତୀୟ ଯୁବ ଶିବିରର ଶନିବାର ଦ୍ୱିତୀୟ ସନ୍ଧ୍ୟାକୁ ମୁଖ୍ୟ ଅତିଥି ଭାବେ ଜଳପୁରୁଷ ରାଜେନ୍ଦ୍ର ସିଂହ ଉଦ୍‍ଘାଟନ କରି କହିଲେ, ସରକାର ପ୍ରତି ଘରକୁ ପାଇପ୍‍ ଜଳ ଯୋଗାଣ ପାଇଁ ଯୋଜନା କରୁଛନ୍ତି। ମାତ୍ର ଏଥିପାଇଁ ବିଶୁଦ୍ଧ ଜଳ କେଉଁଠୁ ଆସିବ ତାହା ଚିନ୍ତାର ବିଷୟ ପାଲଟିଛି। ସହରରେ ଦୈନନ୍ଦିନ ନିର୍ଗତ ହେଉଥିବା ଦୂଷିତ ବ୍ୟବହାର୍ଯ୍ୟ ଜଳ, କଳକାରଖାନାରୁ ବାହାରୁଥିବା ବର୍ଜ୍ୟଜଳ ବିଭିନ୍ନ ନଦୀରେ ମିଶୁଛି। ଏବେ ଅସୁସ୍ଥ ହୋଇଛି ଭାରତର ମାଟି ଓ ଜଳ। ଉପଯୁକ୍ତ ପ୍ରକ୍ରିୟାକରଣ ମାଧ୍ୟମରେ ଏହାର ପ୍ରତିକାର କରି ଭାରତକୁ ସୁସ୍ଥ ଓ ନିର୍ମଳ ରଖିବା ଦରକାର। ଭାରତକୁ ନିର୍ମଳ ରଖିବା ପାଇଁ ନଦୀଗୁଡ଼ିକୁ ନିର୍ମଳ ରଖିବା ଆବଶ୍ୟକ। ଭୂତଳ ଜଳସ୍ତର ସଙ୍କଟଜନକ ସ୍ଥିତିରେ ପହଞ୍ଚିଛି। ଏବେଠୁ ଜଳ ସଂରକ୍ଷଣ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ହେବ। ବର୍ତ୍ତମାନ ସଭିଏଁ ସଙ୍କଳ୍ପବଦ୍ଧ ହେବା ଯେପରି ଜୀବନରେ କେବେ କୌଣସି ଭଲ ଜଳକୁ ଦୂଷିତ କରିବା ନାହିଁ। ଯୁବପିଢ଼ି ହିଁ ଏହି ଗୁରୁଦାୟିତ୍ୱ ନିର୍ବାହ କରିପାରିବେ ବୋଲି ଜଳପୁରୁଷ ଶ୍ରୀ ସିଂହ ମତବ୍ୟକ୍ତ କରିଥିଲେ।

ସମ୍ମାନିତ ଅତିଥି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଲେ, ତୃତୀୟ ବିଶ୍ୱଯୁଦ୍ଧ ହେଲେ କେବଳ ପାଣି ପାଇଁ ହେବ। ଜଳକୁ ସଂରକ୍ଷଣ କରିବା ଦିଗରେ ସମସ୍ତେ ସଚେତନ ହେବା ଆବଶ୍ୟକ। ଯୁବବର୍ଗ ହିଁ ଏହି କାର୍ଯ୍ୟ କରିପାରିବେ। ଲୋକଙ୍କ ସହ ‘ସମାଜ’ ପ୍ରତି କ୍ଷେତ୍ରରେ ରହିଛି। ‘ସମାଜ’ ବନ୍ୟା, ବାତ୍ୟା, ଅଗ୍ନିକାଣ୍ଡଠାରୁ ଆରମ୍ଭ କରି ସବୁପ୍ରକାର ଦୈବୀ ଦୁର୍ବିପାକରେ ଲୋକଙ୍କୁ ସହାୟତା ଓ ସହଯୋଗର ହାତ ବଢ଼ାଇ ଆସିଛି। ତେଣୁ ଦରକାର ସମୟରେ ଆମେ ଉପସ୍ଥିତ ରହିବାକୁ ‘ସମାଜ’ ଆମକୁ ଶିକ୍ଷା ଦେଇଛି। ସମ୍ମାନିତ ଅତିଥି ଓପେକାର ସମ୍ପାଦକ ବିନୋଦ ଦାଶ କହିଲେ, ଭାରତର ମୋଟ ଜନସଂଖ୍ୟା ମଧ୍ୟରୁ ପ୍ରାୟ ୮୫ କୋଟି ହେଉଛନ୍ତି ଯୁବବର୍ଗ। ଏ ଦୃଷ୍ଟିରୁ ଭାରତ ଯୁବବର୍ଗଙ୍କ ଦେଶ। ଯୁବବର୍ଗଙ୍କୁ ଠିକ ମାର୍ଗରେ ପରିଚାଳିତ କରାଗଲେ ଭାରତ ବିଶ୍ୱରେ ସର୍ବଶକ୍ତିମାନ ହୋଇ ଉଭା ହେବ। ଯୁବବର୍ଗ ନିକଟରେ ଆତ୍ମବିଶ୍ୱାସ, ଶୃଙ୍ଖଳା, ଧୈର୍ଯ୍ୟ, ସମୟାନୁବର୍ତ୍ତିତା, ଲକ୍ଷ୍ୟ, ଯୋଜନା, କଥା କହିବାର କୌଶଳ, ଅନ୍ୟକୁ ପ୍ରଶଂସା କରିବାର ଶୈଳୀ ଓ ଖରାପ ଗୁଣକୁ ପରିତ୍ୟାଗ କରିବାର ଗୁଣ ରହିବା ଉଚିତ୍‍। ଏହାବାଦ କାହା ସହ ତୁଳନା ନ କରିବା, କାହା ପ୍ରତି ଅଭିଯୋଗ ନ କରିବା ଓ ଅନ୍ୟ ସହ ପ୍ରତିଦ୍ୱନ୍ଦ୍ୱିତା ନକରି ନିଜ ସହ ପ୍ରତିଦ୍ୱନ୍ଦ୍ୱିତା କରିବାର ମନୋଭାବ ରଖିଲେ ଭବିଷ୍ୟତ ଉଜ୍ୱଳ ହେବ। ଯୁବାବସ୍ଥାର ୪ରୁ ୬ ବର୍ଷ କଠିନ ପରିଶ୍ରମ କଲେ ଜୀବନ ସାରା ସୁଖୀ ହେବେ। ଅପରପକ୍ଷରେ ଏହି ସମୟକୁ ନଷ୍ଟ କଲେ ଜୀବନ ସାରା କଷ୍ଟ ପାଇବେ ବୋଲି ଶ୍ରୀ ଦାଶ ଶିବିରାର୍ଥୀମାନଙ୍କୁ ଚେତାଇ ଦେଇଥିଲେ। କାଲି କେହି ଦେଖିନାହିଁ, ଅତୀତ ହଜିଯାଇଛି। ତେଣୁ ବର୍ତ୍ତମାନ ସବୁଠୁ ବଳବାନ୍‍। ଭଗବାନ ପ୍ରତ୍ୟେକଙ୍କ ନିକଟରେ ଅସୀମ ଶକ୍ତି ଦେଇଛନ୍ତି। ସକାରାତ୍ମକ ଚିନ୍ତାଧାରା ମାଧ୍ୟମରେ ଲକ୍ଷ୍ୟ ହାସଲ ପାଇଁ ଉଦ୍ୟମରତ ହେବାକୁ ଶ୍ରୀ ଦାଶ କହିଥିଲେ।

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଦୀପକ ମାଲବ୍ୟ ସ୍ୱାଗତ ଭାଷଣ ଦେବା ସହ ପୌରୋହିତ୍ୟ କରି କହିଲେ, ଓଡ଼ିଶାବାସୀଙ୍କ ସ୍ୱର ହେଉଛି ‘ସମାଜ’। ଏହା ଏକ ଖବରକାଗଜ ନୁହେଁ, ଏକ ଆନ୍ଦୋଳନ। ଏହି ଅନୁଷ୍ଠାନର ଶତବାର୍ଷିକୀ ପାଳନ ଅବସରରେ ଆୟୋଜିତ ଜାତୀୟ ଯୁବ ଶିବିର କାଶ୍ମୀରରୁ କନ୍ୟାକୁମାରୀ ଯାଏ ‘ମିନି ଇଣ୍ଡିଆ’ରେ ପରିଣତ ହୋଇଛି। ଶନିବାର ଆୟୋଜିତ ଦୀର୍ଘ କିଲୋମିଟର ବ୍ୟାପୀ ପଦଯାତ୍ରା କଟକ ସହରରେ ଭାରତୀୟ ଐକ୍ୟ, ସଂହତିର ବାର୍ତ୍ତା ପ୍ରଚାର କରିଛି ବୋଲି ଶ୍ରୀ ମାଲବ୍ୟ କହିଥିଲେ। ଲୋକସେବକ ମଣ୍ଡଳର ଟ୍ରଷ୍ଟି ତଥା ଜାତୀୟ ଯୁବ ପ୍ରକଳ୍ପ ଓ ଯୁବ ଶିବିରର ନିର୍ଦ୍ଦେଶକ ଡ. ଏସ୍‍. ଏନ୍‍. ସୁବାରାଓ ସର୍ବଧର୍ମ ପ୍ରାର୍ଥନା ସଭା ପରିଚାଳନା କରିବା ସହ ଶିବିରାର୍ଥୀମାନଙ୍କୁ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ବରୋଦା ସିଟିର ପ୍ରାକ୍ତନ ମେୟର ରଣଜିତ ଚୌହାନ୍‍ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନଙ୍କୁ ସ୍ମୃତିଚିହ୍ନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ କୋଷାଧ୍ୟକ୍ଷ ତଥା ‘ସମାଜ’ ପରିଚାଳନା ବୋର୍ଡର କାର୍ଯ୍ୟନିର୍ବାହୀ ସମ୍ପାଦକ ଭୀମସେନ ଯାଦବ, ଲୋକସେବକ ମଣ୍ଡଳର କର୍ମୀ ରାଜେନ୍ଦ୍ର କୁମାର ଜେନା ଓ ଜାତୀୟ ଯୁବ ପ୍ରକଳ୍ପର ରାଜ୍ୟ ନିର୍ଦ୍ଦେଶକ ମଧୁସୂଦନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ‘ସମାଜ’ ରିଲିଫ କମିଟି ସମ୍ପାଦକ ତଥା ଶିବିରର ଆବାହକ ଡ. ପ୍ରଭାସ ଆଚାର୍ଯ୍ୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ସୁଦାନ, କେନିଆ ଓ ଆଫଗାନିସ୍ତାନରୁ ଆସିଥିବା ପ୍ରତିନିଧିମାନେ ନିଜ ଦେଶର ପତାକା ପ୍ରଦର୍ଶନ କରି ଶିବିରାର୍ଥୀମାନଙ୍କ ସହ ପରିଚିତ ହୋଇଥିଲେ। ସମାରୋହରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ।

Comments are closed.