‘ସମାଜ’ର ଦାୟିତ୍ୱବୋଧ ଅତୁଳନୀୟ

କଟକ: ‘ସମାଜ’ ଏକଶହ ବର୍ଷରେ ପଦାର୍ପଣ କରିଛି। ଏହି ଶହେ ବର୍ଷରେ ଅନେକ ଉଠାଣି ଗଡାଣି ଦେଇ ଗତିକରିଛି। ଏହାସତ୍ତ୍ବେ ‘ସମାଜ’ ତା’ର ସାମାଜିକ ଦାୟିତ୍ୱବୋଧରୁ ଓହରି ଯାଇନି। ଦେଶ ସ୍ୱାଧୀନତା ସମୟରେ ‘ସମାଜ’ ଯେପରି ଓଡ଼ିଶାବାସୀଙ୍କ ସୁଖଦୁଃଖରେ ସାମିଲ ହୋଇ ସମାଜ ସଂସ୍କାରର ବାର୍ତ୍ତା ଦେଇଚାଲିଥିଲା ଏବେ ବି ସେମିତି ଦେଶର ସଂସ୍କୃତି, ସାହିତ୍ୟ, ପରମ୍ପରା ବଜାୟ ରଖିବା ଦିଗରେ ଅଗ୍ରଣୀ ଭୂମିକା ଲିଭାଇ ଚାଲିଛି। ଶତବାର୍ଷିକ ପାଳନ ଅବସରରେ ଦେଶର ଲୋକକଳା ଓ ଲୋକସଙ୍ଗୀତର ପ୍ରଚାର ଓ ପ୍ରସାର ଦିଗରେ ‘ସମାଜ’ପକ୍ଷରୁ ଆୟୋଜନ କରାଯାଇଥିବା ଶତବାର୍ଷିକ ସାଂସ୍କୃତିକ ସମାରୋହ ଏକ ପ୍ରଶଂସନୀୟ ପ୍ରୟାସ ବୋଲି ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମତବ୍ୟକ୍ତ କରିଛନ୍ତି।

ବୁଧବାର ସନ୍ଧ୍ୟାରେ ଉପର ବାଲିଯାତ୍ରା ପଡିଆରେ ‘ସମାଜ’ ଶତବାର୍ଷିକ ସାଂସ୍କୃତିକ ସମାରୋହର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ କହିଲେ, ସମାଜ ଏକ ଖବରକାଗଜ ନୁହେଁ;ଏକ ଆନ୍ଦୋଳନ। ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସମାଜ’ ଆଜି ବି ପ୍ରତିଷ୍ଠାତାଙ୍କ ଆଦର୍ଶରୁ ବିଚ୍ୟୁତ ହୋଇନାହିଁ। ନିରପେକ୍ଷ ଓ ସତ୍ୟ ଖବର ପରିବେଷଣ କରିବାରେ ‘ସମାଜ’ର ସ୍ୱତନ୍ତ୍ରତା ରହିଛି। ଯେଉଁଥିପାଇଁ ‘ସମାଜ’ ଆଜି ପ୍ରତିଟି ଓଡ଼ିଆଙ୍କର ପ୍ରିୟ ହୋଇପାରିଛି ବୋଲି ସେ କହିଥିଲେ।

ସମ୍ମାନିତ ଅତିଥିଭାବେ ସାଂସଦ ଅନୁଭବ ମହାନ୍ତି କହିଲେ, ପରିବର୍ତ୍ତନ ସହିତ ବର୍ତ୍ତମାନ ଖବର ପରିବେଷଣର ସଂଜ୍ଞା ମଧ୍ୟ ବଦଳିଯାଇଛି। ସତ୍ୟ ବଦଳରେ ମିଥ୍ୟା ଖବର ପରିବେଷଣ କରି ଆଲୋଡନ ସୃଷ୍ଟି କରିବା ଅନେକ ଗଣମାଧ୍ୟମର ବ୍ରତ ହୋଇଛି। ଏହି ପ୍ରତିଦ୍ୱନ୍ଦ୍ୱିତା ବଜାରରେ କିନ୍ତୁ ‘ସମାଜ’ ନାହିଁ। ସତ୍ୟ, ନିରପେକ୍ଷ ଖବର ପ୍ରକାଶ କରିବା ସହିତ ଲୋକଙ୍କୁ ସଚେତନ କରିବା ‘ସମାଜ’ର ଧର୍ମ ଥଲା ଆଜି ବି ଧର୍ମ ହୋଇରହିଛି। ଏହା ଓଡ଼ିଶା ଜାତିର ପ୍ରତିବିମ୍ବ ପାଲଟିଛି, ଯେଉଁଥି ପାଇଁ ପ୍ରତିଟି ଓଡ଼ିଆ ‘ସମାଜ’କୁ ଭଲପାଉଛନ୍ତି। ଦୁଃସ୍ଥ କଳାକାର ଓ ଲୁକକାୟିତ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିବା ପାଇଁ ‘ସମାଜ’ର ଏଭଳି ପ୍ରୟାସକୁ ସାଂସଦ ଶ୍ରୀ ମହାନ୍ତି ପ୍ରଶଂସା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥିଭାବେ ବିଧାୟକ ଇଂ ମହମ୍ମଦ ମୋକିମ କହିଲେ ‘ସମାଜ’ ଏକ ଖବରକାଗଜ ନୁହେଁ, ଲୋକଙ୍କ ଆଶା ଓ ବିଶ୍ୱାସର ପ୍ରତୀକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଖବରକାଗଜ ୧୦୦ବର୍ଷରେ ପଦାର୍ପଣ କରିବା ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ପ୍ରତିଷ୍ଠାତା ଯେଉଁ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ ‘ସମାଜ’ ସ୍ଥାପନ କରିଥିଲେ ଆଜି ବି ଏହାର କର୍ମକର୍ତ୍ତା ତାହାକୁ ପାଥେୟ କରି ‘ସମାଜ’କୁ ଆଗକୁ ବଢାଇ ନେଇଚାଲିଛନ୍ତି। ଆଗାମୀ ଦିନରେ‘ସମାଜ’ ତାର ଲକ୍ଷ୍ୟ ପଥରୁ ବିଚ୍ୟୁତ ହେବନି ଏବଂ ଆହୁରି ୧୦୦ବର୍ଷ ଅତିକ୍ରାନ୍ତ କରିବ ବୋଲି ସେ ଦୃଢ ଆଶାବାଦୀ ବୋଲି କହିଥିଲେ।
ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ତଥା ‘ସମାଜ’ ପରିଚାଳନା ମଣ୍ଡଳୀର ଅଧ୍ୟକ୍ଷ ଦୀପକ ମାଲବ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ ଅତିଥିଭାବେ ଯୋଗଦେଇ କହିଲେ, ଗାନ୍ଧୀଙ୍କ ହାତର ବାଡି ପରି ‘ସମାଜ’ ଆଲୋକବର୍ତ୍ତିକା ହୋଇ ଆମ ସମସ୍ତଙ୍କୁ ଆଗକୁ ବଢାଇ ନେଇଚାଲିଛି। କକ୍ଷଚ୍ୟୁତ ହୋଇ ବ୍ୟତିକ୍ରମ କରୁଥିବା କିମ୍ବା ଭୁଲ ରାସ୍ତାରେ ଯାଉଥିବା ବ୍ୟକ୍ତିଙ୍କୁ ସଠିକ ମାର୍ଗଦର୍ଶନ କରିବା ଦିଗରେ ‘ସମାଜ’ ତାର ସ୍ୱରକୁ ଅଧିକ ଶାଣିତ କରିବାକୁ ସେ କହିଥିଲେ। ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ଡଃ ପ୍ରଭାସ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତକୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ଭୀମସେନ ଯାଦବ, ଆଜୀବନ ସଦସ୍ୟ ଅଜୟ ସିଂହ, ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟ ପରିଚାଳକ ପ୍ରିୟବ୍ରତ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ।

Comments are closed.