ଅଙ୍ଗ ଦେଇ ଅମର ହେଲେ ପ୍ରିୟଙ୍କା

ଉପଚାର ପାଇଁ ଉପହାର : ଆଧୁନିକ ଚିକିତ୍ସା ବିଜ୍ଞାନରେ ଜୀବନ ଉପହାର ଏକ ବାସ୍ତବ ଘଟଣା। ଏହାଦ୍ବାରା ମୃତ୍ୟୁ ପୂର୍ବରୁ ବା ପରେ ଜଣଙ୍କର ଅଙ୍ଗ ଆସନ୍ନ ମୃତ୍ୟୁମୁଖରେ ପଡିଥିବା ଅନ୍ୟ ଜଣେ ଜୀବିତ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ ପୂର୍ବକ ତାଙ୍କୁ ନୂତନ ଜୀବନ ପ୍ରଦାନ କରାଯାଇପାରୁଛି। ମୃତ୍ୟୁ ପରେ ଚକ୍ଷୁ, ହୃତପିଣ୍ଡ ଭଳି କିଛି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଦାନ କରିବା ସମ୍ଭବ ହୋଇଥାଏ। ତେବେ ଭାରତର କେତେକ ସ୍ଥାନରେ ମୃତବ୍ୟକ୍ତିଙ୍କ ଶରୀରରୁ ଅଙ୍ଗ ସୁରକ୍ଷିତ ଭାବେ କଢାଯାଇ ଅନ୍ୟ ରୋଗୀଙ୍କଠାରେ ସଫଳ ପ୍ରତିରୋପଣ କରାଯାଇଆସୁଥିବା ବେଳେ ଓଡ଼ିଶା ମାଟିରେ ପ୍ରଥମ ଥର ପାଇଁ ଏହି ପ୍ରକ୍ରିୟା ସଫଳତାର ସହିତ ସମ୍ପାଦିତ ହୋଇଛି। ଓଡ଼ିଶା ବାସୀଙ୍କ ପାଇଁ ଫେବୃଆରୀ ୪ର ସକାଳ ଆଣିଛି ଏହି ଐତିହାସିକ ସଫଳତା। ମସ୍ତିଷ୍କ ମୃତ୍ୟୁ ଘଟିଥିବା ଜଣେ ମହିଳାଙ୍କର ୨ଟି ବୃକକ୍‌କୁ ସଫଳତାର ସହିତ ସଂଗ୍ରହ କରାଯାଇ ବୃକକ୍‌ ରୋଗରେ ପୀଡ଼ିତ ଅନ୍ୟ ୨ ଜଣ ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇଛି। ଭୁବନେଶ୍ବର ସ୍ଥିତ ଆପୋଲୋ ହସ୍ପିଟାଲ ଏବଂ କଟକସ୍ଥିତ ଏସସିବି ମେଡିକାଲ କଲେଜ ଠାରେ ଏହି ଐତିହାସିକ ଅ‌େ‌ସ୍ତ୍ରାପଚାର ସମ୍ପାଦନ ପୂର୍ବକ ଦୀର୍ଘ ୧୬ ଘଣ୍ଟାର ମାରାଥନ ପ୍ରୟାସ ଦ୍ବାରା ୨ ଜଣ ବ୍ୟକ୍ତିଙ୍କୁ ଦିଆଯାଇପାରିଛି ଜୀବନ ଉପହାର। ପ୍ରଥମଥର ପାଇଁ କୌଣସି ମୃତ ବ୍ୟକ୍ତିଙ୍କ ଅଙ୍ଗ ଅନ୍ୟ ଜଣଙ୍କଠାରେ ପ୍ରତିରୋପଣ କରି ଏଦିଗ​ରେ ଓଡ଼ିଶା ଏବେ ପୂର୍ବ ଭାରତରେ ଦ୍ବିତୀୟ ରାଜ୍ୟ ପାଲଟିଛି। ଏ ସମ୍ବନ୍ଧରେ ଆପୋଲୋ ହସ୍ପିଟାଲର ସିଇଓ ସୁଧିର ଦିଗକଗିକର, ଡାକ୍ତର ସମୀରଣ ଦାସ ଅଧିକାରୀ, ଡାକ୍ତର ଆଶିଷ ଚନ୍ଦ୍ରା, ଡାକ୍ତର ବିବେକାନନ୍ଦ ପଣ୍ଡା, ଡାକ୍ତର ଅମିତ ଚାନ୍ଦୁକା, ଡାକ୍ତର ଶର୍ମିଲି ସିହ୍ନା ଏବଂ ଡାକ୍ତର ନିଶିଥ କୁମାର ମହାନ୍ତି ‘ସମାଜ’ ସହିତ ସ୍ବତନ୍ତ୍ର ଆଲୋଚନା କରିଛନ୍ତି।

ଝିଅ ସହ ପ୍ରିୟଙ୍କା : ଅଙ୍ଗଦାନ ମହତ ଦାନ। ମୃତ୍ୟୁ ପରେ ପ୍ରିୟଙ୍କାଙ୍କ ଏହି ମହତକାର୍ଯ୍ୟ ତାଙ୍କୁ ଅମର କରିଛି। ଦୁର୍ଘଟଣା ପର ବ୍ରେନ ଡେଡ ପରେ ନିଜର କିଡନୀ ଦାନ କରି ଦୁଇ ଅମୂଲ୍ୟ ଜୀବନ ବଞ୍ଚାଇ ପାରିଛନ୍ତି। ଏସସିବି ଓ ଆପୋଲୋ ଡାକ୍ତରଙ୍କ ସଫଳ ପ୍ରୟାସ ପୁଣି ଥରେ ଡାକ୍ତରଙ୍କ ଦ୍ୱିତୀୟ ଭଗବାନ ସ୍ୱରୂପକୁ ପ୍ରମାଣିତ କରିଛି। ଏବେ ସବୁଠି ପ୍ରିୟଙ୍କା, ତାଙ୍କ ପରିବାର, ବିଶେଷଜ୍ଞ ଡାକ୍ତରୀ ଦଳ ଓ ସରକାରଙ୍କ ପ୍ରଶଂସା। ମୃତ ଶରୀରରୁ ଅଙ୍ଗ କାଢ଼ି ଅନ୍ୟ ରୋଗୀ ଶରୀରରେ ସଫଳ ପ୍ରତିରୋପଣ କରିବା (କାଡ଼ାଭେରିକ) ଘଟଣା ଓଡ଼ିଶାରେ ପ୍ରଥମ। ଏସ୍‌ସିବି ଓ ଆପୋଲୋ ପାଇଁ ଏକ ସ୍ବର୍ଣ୍ଣିମ ଅଧ୍ୟାୟ।

ଟ୍ରାନ୍ସପ୍ଲାଣ୍ଟର ଦୁଇ ସଫଳ ବିନ୍ଧାଣି : କାଡାଭେରିକ ଟ୍ରାନ୍ସପ୍ଲାଣ୍ଟର ଦୁଇ ବିନ୍ଧାଣି ହେଉଛନ୍ତି ଡାକ୍ତର ଦତ୍ତେଶ୍ୱର ହୋତା ଏବଂ ଡାକ୍ତର ଚିତ୍ତରଞ୍ଜନ କର। ରାଜ୍ୟ ସରକାର ଏସସିବିରେ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ଆରମ୍ଭ କରିବା ପାଇଁ ଜୁନ ୨୦୧୯ରେ ସବୁଜ ସଙ୍କେତ ଦେବା ପରେ ଦୁହେଁ ମିଶି ଏ ଦିଗରେ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ରାଜ୍ୟରେ ସୋଟୋ(ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ) ଗଠନ କରାଯାଇଥିଲା। ଡାକ୍ତର କର ଏହାର ନୋଡାଲ ଅଫିସର ନିଯୁକ୍ତି ହୋଇଥିଲେ। ଏଥିମଧ୍ୟରେ ଏସସିବିରେ ସୋଟୋର ଦୁଇଟି ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଆୟୋଜିତ ହୋଇଥିଲା। ଏଥିରେ ବହୁ ବିଶେଷଜ୍ଞ ଯୋଗଦେଇ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସମ୍ପର୍କରେ ଉପାଦେୟ ତଥ୍ୟ ଦେବା ସହିତ ଡାକ୍ତର ଓ କର୍ମଚାରୀଙ୍କୁ ଆବଶ୍ୟକ ତାଲିମ ପ୍ରଦାନ କରିଥିଲେ। ଏହି ତାଲିମ ହିଁ ଗତକାଲି ଅନୁଷ୍ଠିତ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ପାଇଁ ଟନିକ ସଦୃଶ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ସ୍ୱାସ୍ଥ୍ୟ ସଚିବଙ୍କ ଦୃଢ ସମର୍ଥନ ହିଁ ଏସସିବିରେ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ପ୍ରକ୍ରିୟାକୁ ସଫଳ ରୂପ ଦେଇଥିବା ଡାକ୍ତର ହୋତା ଓ ଡାକ୍ତର କର କହିଛନ୍ତି।

ପ୍ରତିରୋପଣ ପ୍ରସ୍ତୁତି : ଆପୋଲୋ ହସ୍ପିଟାଲର ସ୍ନାୟୁ ରୋଗ ବିଶେଷଜ୍ଞ ଅମିତ ଚାନ୍ଦୁକାଙ୍କ ସୂଚନା ଅନୁସାରେ ପ୍ରିୟଙ୍କାଙ୍କ ମସ୍ତିଷ୍କରେ ଆଘାତ (ଡିଫ୍ୟୁଜ ଇଞ୍ଜ୍ୟୁରି ଟୁ ବ୍ରେନ) ଲାଗିଥିଲା। ଫେବୃଆରୀ ୩ ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନ ଥିଲା। ସେ ଏକପ୍ରକାର ବ୍ରେନ ଡେଡ ଅବସ୍ଥାରେ ପହଞ୍ଚିଥିଲେ। ପ୍ରିୟଙ୍କାଙ୍କ ପରିବାରକୁ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ବନ୍ଧରେ ଅବଗତ କରାଯାଇଥିଲା। ପ୍ରିୟଙ୍କାଙ୍କ ମସ୍ତିଷ୍କ ମୃତ ହୋଇପଡିଥିବା ସ୍ପଷ୍ଟ ହେବା ପରେ ତାଙ୍କ ପରିବାରର ସହମତି ପରେ ଆପୋଲୋର ବିଶେଷଜ୍ଞ ଡାକ୍ତରମାନେ ଅଙ୍ଗ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଥିଲେ। ସମଗ୍ର ପ୍ରକ୍ରିୟାକୁ ସଫଳ କରିବା ନିମନ୍ତେ ଆପୋଲୋର ଡାକ୍ତରୀ ଦଳ ସମସ୍ତ ଉଦ୍ୟମ କରିଥିଲେ। ଅଙ୍ଗ ସଂଗ୍ରହ ସମ୍ବନ୍ଧରେ ତୁରନ୍ତ କଟକ ଏସସିବି ମେଡିକାଲ ସ୍ଥିତ ରାଜ୍ୟ ଅଙ୍ଗ ତନ୍ତୁ ପ୍ରତିରୋପଣ ସଂସ୍ଥା (ସୋଟ୍ଟୋ)କୁ ଅବଗତ କରାଯାଇଥିଲା। ସୋଟ୍ଟୋର ଯୁଗ୍ମ ନିର୍ଦେଶକ ଥିବା ଡାକ୍ତର ରୁଦ୍ରାଶିତ ସାମଲ ନୋଟ୍ଟୋ ଗାଇଡଲାଇନ ଅନୁଯାୟୀ ଆପୋଲୋ ହସ୍ପିଟାଲ ଏବଂ ଏସସିବି ଏମସିଏଚର ୱେଟିଂ ତାଲିକାରେ ଥିବା ରୋଗୀଙ୍କ ମଧ୍ୟରୁ ୨ ଜଣ ଯୋଗ୍ୟ ଅଙ୍ଗ ଗ୍ରହଣକରୀଙ୍କୁ ଚିହ୍ନଟ କରିଥିଲେ। ସେ​‌ାଟ୍ଟୋ ନୋଡାଲ ଅଧିକାରୀ ଡାକ୍ତର ଚିତ୍ତ ରଞ୍ଜନ କର ଏଥିନେଇ ଡିଏମଇଟି ପ୍ରାଧ୍ୟାପକ ପ୍ରଫେସର (ଡା) ସି.ବି.କେ. ମହାନ୍ତି ଏବଂ ଯୁଗ୍ମ ଡିଏମିଟି ପ୍ରଫେସର(ଡା) ଉମାକାନ୍ତ ସତପଥୀ, ​‌ପୁଲିସ କମିସନର ଡ. ସୁଧାଶୁଂ ଷଡଙ୍ଗୀଙ୍କ ସହିତ ଯୋଗାଯୋଗ କରିଥିଲେ। ଅଙ୍ଗ ପ୍ରତିରୋପଣ ଆଇନ ଅନୁଯାୟୀ ସମସ୍ତ ପ୍ରକ୍ରିୟା ସମ୍ପାଦିତ ହେବା ପରେ ବ୍ରେନଡେଡ ପ୍ରିୟଙ୍କାଙ୍କ ଶରୀରରୁ କିଡନୀ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ମୂତ୍ରରୋଗ ରୋଗ ବିଶେଷଜ୍ଞ ଡାକ୍ତର ସମୀରଣ ଦାସ ଅଧିକାରୀ, ଡାକ୍ତର କେ. ପି. ସତପଥୀ, ଆପୋଲୋ ହସ୍ପିଟାଲର ଏକ ଡାକ୍ତରୀ ଦଳ ସହିତ ଏସସିବି ମେଡିକାଲ କଲେଜର ପ୍ର.(ଡା) ଦତ୍ତେଶ୍ବର ହୋତା ଏବଂ ପ୍ର.(ଡା) ଚିତ୍ତରଞ୍ଜନ କରଙ୍କ ଉପସ୍ଥିତିରେ ପ୍ରିୟଙ୍କାଙ୍କ ଶରୀରରୁ କିଡନୀ ସଂଗ୍ରହ କରାଯାଇଥିଲା। ମୃତ ବ୍ୟକ୍ତିଙ୍କ ଶରୀରରୁ କିଡନୀ ସଂଗ୍ରହ କରିବା ଲାଗି ଉଦ୍ଦିଷ୍ଟ ବ୍ୟବସ୍ଥା ରାଜ୍ୟରେ କେବଳ ଆପୋଲ ହସ୍ପିଟାଲରେ ହିଁ ରହିଛି ବୋଲି ଏଠାକାର ବିଶେଷଜ୍ଞ ଡାକ୍ତର ସୂଚନା ଦେଇଛନ୍ତି। ଏକ ଡାକ୍ତରୀ ଦଳ ଆପୋଲୋ ହସ୍ପିଟାଲ​‌େର ସଂଗ୍ରହ କରାଯାଇଥିବା କିଡନୀକୁ ଚିହ୍ନଟ ରୋଗୀଙ୍କଠାରେ ପ୍ରତିରୋପଣ କରିଥିଲେ। ଅନ୍ୟ ଏକ କିଡନୀକୁ ଭୁବନେଶ୍ବରରୁ ଏସସିବି ମେଡିକାଲ କଲେଜକୁ ପଠାଯାଇଥିଲା। ପ୍ରତିରୋପଣ ପରେ ଉଭୟ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରୁଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି।

ଆପୋଲୋ ହସ୍ପିଟାଲରେ ଜଣେ ମସ୍ତିଷ୍କ ମୃତ(ବ୍ରେନ ଡେଡ) ମହିଳାଙ୍କ କିଡନୀ ଦେବାକୁ ପରିବାର ଲୋକ ଆଗ୍ରହୀ ଥିବା ନେଇ ସୋମବାର ସନ୍ଧ୍ୟାରେ ଏସସିବି କର୍ତ୍ତୃପକ୍ଷଙ୍କ ନିକଟକୁ ସୂଚନା ଆସିଥିଲା। ଏହି ଖବର ପାଇବା ପରେ କିଡନୀ ପ୍ରତିରୋପଣ ୟୁନିଟ ଏବଂ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ନୋଡାଲ ସେଣ୍ଟର ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। କିଡନୀ ଟ୍ରାନ୍ସପ୍ଲାଣ୍ଟ ବିଭାଗୀୟମୁଖ୍ୟ ପ୍ରଫେସର ଡାକ୍ତର ଦତ୍ତେଶ୍ୱର ହୋତା ଏବଂ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟର ନୋଡାଲ ଅଫିସର ପ୍ରଫେସର ଡା. ଚିତ୍ତରଞ୍ଜନର କରଙ୍କୁ ନେଇ ଏକ ଡାକ୍ତରୀ ଦଳ ଗଠନ କରାଯାଇଥିଲା। ଏହି ଦୁଇ ଡାକ୍ତରଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଦଳ ରାତି ପ୍ରାୟ ୧୧ଟାରେ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିଲେ। ସେଠାରେ ଆବଶ୍ୟକ କାଗଜପତ୍ର ଠିକ କରିବା ପରେ ରାତି ପ୍ରାୟ ୨ଟା ୩୦ରେ ମୃତ ମହିଳାଙ୍କ ଶରୀରରୁ କିଡନୀ କାଢିବା ପାଇଁ ଅସ୍ତ୍ରୋପଚାର ଆରମ୍ଭ ହୋଇଥିଲା। ପ୍ରାୟ ୨ଘଣ୍ଟା ପରେ ସଫଳତାର ସହିତ ମୃତ ମହିଳାଙ୍କ ଶରୀରରୁ କିଡନୀ କଢା ଯାଇଥିଲା। ରାତି ପ୍ରାୟ ୫ଟାରେ ଏହି ଡାକ୍ତରୀ ଦଳ ଆପୋଲୋରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କିଡନୀ ଆଣି ଏସସିବିରେ ପହଞ୍ଚିଥିଲେ। କିଡନୀ ଆସି ପହଞ୍ଚିବା ପୂର୍ବରୁ ଏସସିବି ମୂତ୍ରଶଲ୍ୟ ବିଭାଗରେ କିଡନୀ ପ୍ରତିରୋପଣ ପାଇଁ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ କରାଯାଇଥିଲା। ଫିରୋଜ ସାହୁଙ୍କୁ ଓଟିରେ ରାତି ପ୍ରାୟ ୩ଟାରେ ଭର୍ତ୍ତି କରାଯାଇଥିଲା। ଭୋର ୫ଟା ୩୦ରୁ କିଡନୀ ପ୍ରତିରୋପଣ ଆରମ୍ଭ ହୋଇ ସକାଳ ୭ଟା ୩୦ରେ ସରିଥିଲା। ପ୍ରତିରୋପଣ ଶେଷ ପରେ ଫିରୋଜଙ୍କୁ ସ୍ୱତନ୍ତ୍ର ଆଇସିୟୁରେ ରଖାଯାଇଛି।

 

ବ୍ରେନ୍‌ଡେଡ୍‌ କ’ଣ? : ମସ୍ତିଷ୍କ ଅକାମୀ ହୋଇପଡିବା ଅବସ୍ଥାକୁ ବ୍ରେନ ଡେଡ କୁହାଯାଏ। ମସ୍ତିଷ୍କ ଅକାମୀ ହୋଇପଡିବା ଦ୍ବାରା ଶରୀରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକ୍ରିୟା ସମ୍ପାଦନ ବନ୍ଦ ହୋଇଯାଏ। ଯାହାଦ୍ବାରା ଶରୀର ମୃତପ୍ରାୟ ହୋଇଯାଏ। ମସ୍ତିଷ୍କ ମୃତ୍ୟୁ ସୁନିଶ୍ଚିତ କରିବା ଲାଗି ରୋଗୀଠାରେ ୨ପ୍ରକାରର ପରୀକ୍ଷା କରାଯାଏ। ଡାକ୍ତର ଶର୍ମିଲିଙ୍କ ଅନୁସାରେ ବ୍ରେନଷ୍ଟେମ ଶରୀରରେ ଶ୍ବାସକ୍ରିୟା ସମ୍ପାଦିତ କରେ। ରୋଗୀକୁ ଭେଣ୍ଟିଲେଟରେ ରଖି ଚିକିତ୍ସା କରିବା ବେଳେ ରୋଗୀ ଶରୀରରେ ଯନ୍ତ୍ର ସହାୟତାରେ ଶ୍ବାସକ୍ରିୟା ସମ୍ପାଦିତ ହୋଇଥାଏ। ମସ୍ତିଷ୍କ ଶ୍ବାସକ୍ରିୟା ସମ୍ପାଦନରେ ସହଯୋଗ କରି ନ ଥାଏ। ମସ୍ତିଷ୍କ ଅକାମୀ ହୋଇପଡିବା ଆଶଙ୍କା ହେଲେ ତାହା ସୁନିଶ୍ଚିତ କରିବା ଲାଗି ବିଭିନ୍ନ ପରୀକ୍ଷା କରାଯାଏ। ଅପନିଆ (ନୋ ଏଫଟ ଫର ବ୍ରିଦିଙ୍ଗ) ଟେଷ୍ଟ କରାଯାଏ। ଏଥିକ୍ରମେ ରୋଗୀ ଶରୀରରୁ ଭେଣ୍ଟିଲେଟର କାଢିଦିଆଯାଏ। ୬ ମିନିଟ ଭିତରେ ରୋଗୀ ଶରୀରରେ ଅଙ୍ଗାରକାମ୍ଲ ସ୍ତର ୬୦ରୁ ଅଧିକ ହେଲେ ମସ୍ତିଷ୍କ ଅଣଲେଉଟା ଭାବେ ଅକାମୀ ହୋଇଯାଇଥିବା ସ୍ପଷ୍ଟ ହୁଏ। ଏଭଳି ସ୍ଥିତିରେ ରୋଗୀର ମସ୍ତିଷ୍କ ମୃତ୍ୟୁ ଘଟିଛି ବୋଲି ଘୋଷଣା କରାଯାଏ।

ଓଡ଼ିଶାର ଭିତ୍ତିଭୂମି ସୁଦୃଢ଼ ହେଉ : ମୃତ ପ୍ରିୟଙ୍କାରାଣୀ ପାତ୍ରଙ୍କ ପରିବାର ସଦସ୍ୟ ପ୍ରିୟଙ୍କାଙ୍କ ଅଙ୍ଗପ୍ରତ୍ୟଙ୍ଗ ଦାନ କରିବାକୁ ଆଗ୍ରହ ପ୍ରକାଶ କରିବା ଖବର ପାଇ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷ, ସ୍ୱାସ୍ଥ୍ୟ ସଚିବଙ୍କ ସହିତ ଆଲୋଚନା କରିଥିଲି। ଅଙ୍ଗଦାନ ସମ୍ପର୍କରେ ସୂଚନା ଦେଇଥିଲେ। ଏ ସମ୍ପର୍କରେ ସୋଟୋ ସହିତ କଥାବାର୍ତ୍ତା କରିଥିଲି। ଆଜି ସକାଳେ ଏସସିବିରେ ପହଞ୍ଚି କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ୟୁନିଟର ସଦସ୍ୟଙ୍କୁ ଭେଟିଥିଲି। ପ୍ରିୟଙ୍କାଙ୍କ କିଡନୀ ଅନ୍ୟ ଜଣଙ୍କ ଶରୀରରେ ପ୍ରତିରୋପଣ ସମ୍ପର୍କରେ ମୂତ୍ରଶଲ୍ୟ ବିଭାଗୀୟମୁଖ୍ୟ ଡା. ଦତ୍ତେଶ୍ୱର ହୋତାଙ୍କ ସହିତ ଆଲୋଚନା କରିଥିଲି। ଏଥିସହିତ ପୁରୀ ସ୍ୱର୍ଗଦ୍ୱାରରେ ପ୍ରିୟଙ୍କାଙ୍କ ଶବ ସଂସ୍କାରରେ ମଧ୍ୟ ସାମିଲ ହୋଇଥିଲି। କାଡାଭେରିକ ଟାନ୍ସପ୍ଲାଣ୍ଟ ସମ୍ପର୍କରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଗଲେ ମୃତ ବ୍ୟକ୍ତିଙ୍କ ଅଙ୍ଗପ୍ରତ୍ୟଙ୍ଗ ଅନ୍ୟ ଶରୀରରେ ପ୍ରତିରୋପଣ କରିବା ସହଜ ହେବ। ତେବେ ଓଡ଼ିଶାରେ ଅନ୍ୟ ଅଙ୍ଗ ପ୍ରତିରୋପଣ ନେଇ କୌଣସି ସୁବିଧାନାହିଁ। ଏ ଦିଗରେ ସରକାର ରୋଟୋ ସହିତ ବୁଝାମଣା କରିବାର ଆବଶ୍ୟକତା ରହିଛି। ରୋଟୋ ସହିତ ବୁଝାମଣା ହେଲେ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ମାଧ୍ୟମରେ ଜଣେ ମୃତ ବ୍ୟକ୍ତିର ବିଭିନ୍ନ ଅଙ୍ଗ ଅନ୍ୟ ପ୍ରଦେଶରେ ଆବଶ୍ୟକ ଥିବା ବ୍ୟକ୍ତିଙ୍କ ଶରୀରରେ ପ୍ରତିରୋପଣ କରାଯାଇପାରିବ।

-ଡଃ ପ୍ରଭାସ ଆଚାର୍ଯ୍ୟ, ଅଧ୍ୟକ୍ଷ, ଭାରତ ଶରୀର ଅଙ୍ଗଦାନ ସମିତି

ଟ୍ବିଟରରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓସ୍ବାସ୍ଥ୍ୟମନ୍ତ୍ରୀ କଲେ ପ୍ରିୟଙ୍କା, ଡାକ୍ତରୀ ଦଳ ଓ ‘ସମାଜ’କୁ ପ୍ରଶଂସା

ଅଙ୍ଗଗ୍ରହଣକାରୀ ପରିବାରଙ୍କ ମୁହଁରୁ…

ସଭିଏଁ ଏଭଳି ମହତ୍ତ୍ବ କାର୍ୟ୍ୟ କରିବ‌ା ପାଇଁ ଆଗେଇ ଆସିବା ଦରକାର। ଅଙ୍ଗ ଗ୍ରହଣ ପରେ ମୋ ବାପା ପୂର୍ବ ଅପେକ୍ଷା ସୁସ୍ଥ ହେବାକୁ ଲାଗିଛନ୍ତି। ତାଙ୍କର ବୃକକ ଧୀରେ ଧୀରେ କାମ କରିବା ଆରମ୍ଭ କରିଛି। ଖାଲି ବୃକକ ନୁହେଁ; ବରଂ ଶରୀରର ଅଧିକାଂଶ ଅଙ୍ଗ କାର୍ୟ୍ୟ ପୂର୍ବାପେକ୍ଷା ଅଧିକ କାର୍ୟ୍ୟକ୍ଷମ ହେବା ପରି ଜଣାପଡୁଛି। ପରିସ୍ରା ପରିମାଣ ବଢିଛି। ବର୍ତ୍ତମାନ ଅଙ୍ଗଗୁଡ଼ିକ ସବୁ କାମ କରିବାରେ ଲାଗିଛି। ଏଭଳି ବିଚିତ୍ର ଘଟଣା ଭଗବାନଙ୍କର ଏକ ବଡ ଆଶୀର୍ବାଦ। ମୃତ୍ୟୁମୁଖରୁ ଫେରାଇ ଆଣିବା ଭଳି ଚମତ୍କାର ଘଟଣା ଘଟିବ ବୋଲି କେବେ ଭାବି ନ ଥିଲୁ। ଭଗବାନଙ୍କର ଆଦେଶ ଅନୁସାରେ ସବୁକାର୍ୟ୍ୟ ଠିକ ଭାବେ ହେବାକୁ ଲାଗିଛି। ଜଣେ ମଣିଷର ଅଙ୍ଗ ଅନ୍ୟ ଜଣଙ୍କ ଜୀବନ ରକ୍ଷା କରିପାରିଛି। ନୂତନ ସକାଳ ଦେଖିବାକୁ ଜୀବନ ଦେଇଛି। ମୃତ୍ୟୁ ପରେ ବି ପ୍ରିୟଙ୍କା ସବୁଦିନ ପାଇଁ ବାପାଙ୍କ ଶରୀରରେ ବଞ୍ଚି ରହିଛନ୍ତି। ସମାଜ ପାଇଁ ପ୍ରିୟଙ୍କା ଏକ ଉଦାହରଣ ପାଲଟି ଯାଇଛନ୍ତି। ଅଙ୍ଗଦାନ ଏକ ମହତ୍ତ୍ବପୂର୍ଣ୍ଣ କାର୍ୟ୍ୟ। ଯାହା ସବୁ ମଣିଷମାନେ କରିବା ଦରକାର ବୋଲି କହିଛନ୍ତି ଆପୋଲୋ ହସ୍ପିଟାଲରେ ପ୍ରିୟଙ୍କାଙ୍କ କିଡ୍‌ନୀ ଗ୍ରହଣ କାରିଥିବା ରୋଗୀଙ୍କ ପୁଅ।

ସବୁ ଶ୍ରେୟ ସରକାର ଓ ଅଙ୍ଗଦାତ୍ରୀଙ୍କର : ରାଜ୍ୟ ସରକାରଙ୍କ ସହଯୋଗ ଏବଂ ଅଙ୍ଗଦାତ୍ରୀ ପରିବାର ସଦସ୍ୟଙ୍କ ଆଶୀର୍ବାଦ ଯୋଗୁଁ ମୋ ପୁଅ ଶରୀରରେ କିଡନୀ ପ୍ରତିରୋପଣ ହେବା ସମ୍ଭବ ହୋଇଛି ବୋଲି କହିଛନ୍ତି କିଡନୀ ପ୍ରତିରୋପଣ ହୋଇଥିବା ବରଗଡ ଜିଲା କୁଲୁଣ୍ଡା ଅତାବିରା ଅଞ୍ଚଳର ଫିରୋଜ ସାହୁଙ୍କ ବାପା ଲୋକେଶ୍ୱର ସାହୁ। ଫିରୋଜ ପ୍ରାୟ ୨ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲା। ଫିରୋଜର ଗ୍ରୁପ ସହିତ ଆମ ପରିବାରର କାହାର ଗ୍ରୁପ ମେଳ ଖାଉନଥିବାରୁ ଆମେ କିଡନୀ ଦେଇପାରୁ ନ ଥିଲୁ। ଯାହାଫଳରେ ପୁଅ ଭବିଷ୍ୟତକୁ ନେଇ ଦୁଃଖରେ ରହିଥିଲୁ। ପ୍ରାୟ ୧୭ଦିନ ହେବ ଫିରୋଜ ମୂତ୍ରଶଲ୍ୟ ବିଭାଗରେ କିଡନୀ ପ୍ରତିରୋପଣ ପାଇଁ ଭର୍ତ୍ତି ହୋଇଥିଲା। ମୃତ ପ୍ରିୟଙ୍କାରାଣୀ ପାଣିଙ୍କ ପରିବାର ଲୋକ ତାଙ୍କ କିଡନୀ ଦେବାକୁ ରାଜି ହୋଇଥିଲେ। ତାଙ୍କ କିଡନୀ ମୋ ପୁଅ ଶରୀରରେ ପ୍ରତିରୋପଣ ହୋଇଛି। ବଞ୍ଚିଥିବା ପର୍ଯ୍ୟନ୍ତ ଏହି ଋଣକୁ କେବେ ବି ଭୁଲିପାରିବି ନାହିଁ। ଲୋକେଶ୍ୱର ସାହୁ, କିଡନୀ ପ୍ରତିରୋପଣ ହୋଇଥିବା ଫିରୋଜ ବାପା।

ମୋ ଝିଅ ମରି ବି ଅମର
ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଭିଷ୍ମଗିରି ହେଉଛି ପ୍ରିୟଙ୍କାଙ୍କ ବାପା ଘର । ଝିଅର ଏଭଳି ମୃତ୍ୟୁ ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଥିଲେ ହେଁ ଝିଅର ଅଙ୍ଗଦାନ ଦ୍ୱାରା ଜଣେ ନୂଆ ଜୀବନ ପାଇଥିବାରୁ ମୁଁ ମୋର ସମୁଦି, ସମୁଦୁଣୀ ଏବଂ ଜ୍ବାଇଁ ଏବଂ ତାଙ୍କ ପରିବାରବର୍ଗଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି ସଂଯୁକ୍ତାଙ୍କ ବାପା। ମୃତ୍ୟୁ ପରେ ବି ଝିଅକୁ ସେମାନେ ଅମର କରିପାରିଛନ୍ତି । ମୋ ଝିଅ ଆଉ ଫେରିବ ନାହିଁ ସତ, କିନ୍ତୁ ମହତ କାମରେ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗକୁ ଠିକଣା ସମୟରେ ପ୍ରତିରୋପଣ କରାଯାଇ ଅନ୍ୟର ଜୀବନ ବଞ୍ଚିପାରିଛି। ଏଣୁ ମୁଁ ଦୁଃଖ କଲେ ମଧ୍ୟ ଖୁସି ଅନୁଭବ କରିବାକୁ ସହସା ବାନ୍ଧି ପାରିଛି ବୋଲି କହିଛନ୍ତି ପ୍ରିୟଙ୍କାଙ୍କ ବାପା ପି.ସୁବାରାଓ ।


ରାଜୁ ପରିବାର କାଳଜୟୀ ରହିବେ
ଭି.ଧର୍ମା ରାଜୁଙ୍କ ପରିବାର ରକ୍ତଦାନ ପାଇଁ ସମର୍ପିତ । ଯାହାଙ୍କର ଅଙ୍ଗଦାନ କରାଗଲା ସେ ବିବାହ ଦିନ ସ୍ବାମୀଙ୍କ ସହିତ ରକ୍ତଦାନ କରିଥିବା କଥା କହିଛନ୍ତି ଖେମୁଣ୍ଡି ରକ୍ତଦାତା ସଂଘର ସଂପାଦକ ତଥା ଓକିଲ ହରପ୍ରସାଦ ରଥ। ଦୁର୍ଘଟଣାଜନିତ ମୃତ୍ୟୁ ପରେ ପ୍ରିୟଙ୍କାଙ୍କ କିଡନୀ ଦାନ କରି ରାଜୁ ପରିବାର ଯେଉଁ ମହତ କାମ କରିଛନ୍ତି ତାହା ସେହି ପରିବାରକୁ କାଳଜୟୀ କରି ରଖିବ।

ପ୍ରିୟଙ୍କାର ଅଙ୍ଗଦାନ ଦୁଃଖ ଭିତରେ ସୁଖ
ଅଙ୍ଗଦାତ୍ରୀ ପ୍ରିୟଙ୍କା ଜଣେ ମେଳାପୀ ଝିଅଟିଏ ଥିଲା । ବୋହୂ ହେଲେ ମଧ୍ୟ ସାହି ପଡୋଶା ସମସ୍ତଙ୍କୁ ସ୍ନେହଡ଼ୋରିରେ ବାନ୍ଧି ପାରିଥିଲା। ମୁଁ ତାଙ୍କୁ ଭୁଲିପାରିବିନି,. ମୋତେ ତାଙ୍କର ହସ ହସ ଚେହେରା ଆନ୍ଦୋଳିତ କରୁଛି ବୋଲି କହିଛନ୍ତି ପଡୋଶିନୀ କମଳା ଗୌଡ। ଦୁଃଖ ପରେ ମଧ୍ୟ ଖୁସି ବାଣ୍ଟିବା ଭଳି ଏକ କାର୍ଯ୍ୟ ମୃତ୍ୟୁ ପରେ କରାଯାଇପାରିଥିବାରୁ ତାଙ୍କ ଆତ୍ମା ଅମରତ୍ବ ଅର୍ଜନ କରିଛି ବୋଲି ସେ କହିଛନ୍ତି ।


ଦେଶକୁ ଦିଗଦର୍ଶନ ଦେବ
ଅକାଳ ମୃତ୍ୟୁରେ ପରିବାରବର୍ଗ ମ୍ରିୟମାଣ ଥାଇ ମଧ୍ୟ ଏଭଳି ମହତ କାମରେ ନିଜକୁ ହଜାଇ ଦେବା ଏହା କ୍ବଚିତ ମଣିଷଙ୍କ ମନରେ ଆସିଥାଏ । ଧର୍ମା ରାଜୁଙ୍କ ପରିବାର ରକ୍ତଦାନ ସହିତ ଅଙ୍ଗଦାନ ଦ୍ୱାରା ନିଜର ସ୍ବତନ୍ତ୍ର ପରିଚିତି ଅର୍ଜନ କରିଛନ୍ତି । ଏହା ସମାଜକୁ ଦିଗ୍‌ଦର୍ଶନ ଦେବ ବୋଲି କହିଛନ୍ତି ପୁଡ଼ାମାରୀ ବିଜ୍ଞାନ ମହାବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ଅଧ୍ୟାପକ ସତ୍ୟଶରଣ ପାଠୀ ।


ସାମାଜିକ ଚେତନା ବୃ୍ଦ୍ଧି କରିବ
ରକ୍ତଦାନ ସହିତ ଅଙ୍ଗଦାନ ମହାପୁଣ୍ୟ ଭଳି କାମରେ ଧର୍ମା ରାଜୁ ଭାଇନାଙ୍କର ସଂପୁର୍ଣ୍ଣ ପରିବାରଟି ଦେଶ ଓ ଜାତି ପାଇଁ ସମର୍ପିତ ଥିବା ଭଳି କାର୍ଯ୍ୟରେ ସାମାଜିକ ଚେତନା ବୃଦ୍ଧି ହେବ। ଦୁଃଖ ଆସିଲେ ମଧ୍ୟ ଦୁଃଖରେ ଭାଙ୍ଗି ନ ପଡ଼ି କିଛି କରିବାକୁ ପ୍ରେରଣା ଏହି ପରିବାରଟିରୁ ଶିକ୍ଷା ନେବାର ଅଛି ବୋଲି କହିଛନ୍ତି ରାଣୀସାହି ବାସିନ୍ଦା ଆଉ ଜଣେ ପଡ଼ୋଶୀ ଆଇନଜୀବୀ ପ୍ରଦୀପ କୁମାର ପଟ୍ଟନାୟକ।

ପ୍ରିୟଙ୍କାଙ୍କ ଶରୀରରୁ କିଡ୍‌ନୀ କାଢ଼ିବା ପରେ ଡାକ୍ତରୀଦଳଙ୍କ ଶ୍ରଦ୍ଧାଞ୍ଜଳି:  ସ୍ବାମୀ ଭି. ସମୀର ରାଜୁଙ୍କ ସହ ପ୍ରିୟଙ୍କା :

 

Comments are closed.