ଗୋପବନ୍ଧୁଙ୍କୁ ‘ଭାରତ ରତ୍ନ’ ଓଡ଼ିଶାବାସୀଙ୍କ ହକ୍‌

0

କଟକ : ସେବା, ତିତିକ୍ଷା, ମାନବବାଦ ଓ ଜାତି ନିର୍ମାଣର ଯଶସ୍ୱୀ ପୁରୁଷ ପଣ୍ଡିତ ଗୋପବନ୍ଧୁ ଦାସ କେବଳ ଉତ୍କଳମଣିରେ ସୀମିତ ନୁହନ୍ତି, ସେ ଯଥାର୍ଥରେ ଜଗତ୍‍ମଣି। ନିଜର ଅକ୍ଷୟ କୃତୀ, କୀର୍ତ୍ତି ପାଇଁ ସେ ଭାରତର ବାସ୍ତବ ରତ୍ନ। ତାଙ୍କ ପାଇଁ ଭାରତ ରତ୍ନ ଭିକ୍ଷା କରିବାର ଆବଶ୍ୟକତା ନାହିଁ; ବରଂ ଏହା ଭାରତବାସୀଙ୍କର ଏକ ହକ୍‍ ବୋଲି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅରିଜିତ ପଶାୟତ ମତବ୍ୟକ୍ତ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ସହିଦ ଭବନରେ ‘ସମାଜ’ ପ୍ରତିଷ୍ଠାର ୯୯ତମ ବାର୍ଷିକୀ ଅବସରରେ ଆୟୋଜିତ ଏକ ବିଶାଳ ସମାବେଶରେ ଗୋପବନ୍ଧୁଙ୍କୁ ମରଣୋତ୍ତରଭାବେ ଭାରତ ରତ୍ନ ପ୍ରଦାନ କରିବାକୁ ଲୋକସେବକ ମଣ୍ଡଳର ସଭାପତି ତଥା ‘ସମାଜ’ ପରିଚାଳନା ବୋର୍ଡର ଅଧ୍ୟକ୍ଷ ଦୀପକ ମାଲବ୍ୟ ଆଗତ କରିଥିବା ପ୍ରସ୍ତାବକୁ ଜଷ୍ଟିତ ପଶାୟତ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଦୃଢ ସମର୍ଥନ ଜଣାଇଛନ୍ତି।
ଏହି ପରିପ୍ରେକ୍ଷୀରେ ଜଷ୍ଟିସ ପଶାୟତ କହିଥିଲେ ଯେ ମରଣୋତ୍ତରଭାବେ ଦେଶର ଅନେକ ବରପୁତ୍ରଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଇଛି। ଓଡ଼ିଶା ମାଟିର ଶ୍ରେଷ୍ଠ ସନ୍ତାନ ପଣ୍ଡିତ ଗୋପବନ୍ଧୁ ହକ୍‍ଦାର। ତାଙ୍କ ଜାତୀୟତାବାଦୀ ବିଚାର, ସେବା ଓ ତ୍ୟାଗ ପାଇଁ ତାଙ୍କୁ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରିବା ସହ ‘ସମାଜ’ର ଶତବାର୍ଷିକୀକୁ ଲୋକପର୍ବଭାବେ ପାଳନ କରିବାକୁ ବକ୍ତାମାନେ ମତ ଦେଇଛନ୍ତି।

ସମାରୋହରେ ଲୋକସେବକ ମଣ୍ଡଳର ସଭାପତି ଦୀପକ ମାଲବ୍ୟଙ୍କ ଅଭିଭାଷଣ

୧୯୩୪ ମସିହାରେ ପୁରୀଠାରେ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଯୋଗଦାନ ପଣ୍ଡିତଙ୍କ ବ୍ୟକ୍ତିତ୍ୱର ବଳିଷ୍ଠ ପ୍ରମାଣ ଦିଏ ବୋଲି କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ, ଉଦ୍ୟମିତା ବିଭାଗମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି। ଉତ୍କଳମଣିଙ୍କୁ ଭାରତରତ୍ନ ସମ୍ମାନ ପ୍ରଦାନ କରାଯିବା ଦିଗରେ ସବୁସ୍ତରରୁ ଉଦ୍ୟମ ହେବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ ଦେଇଥିଲେ। ଶହେ ବର୍ଷରେ ପଦାର୍ପଣ କରିଥିବା ‘ସମାଜ’ର ଶତବାର୍ଷିକ ଉତ୍ସବକୁ ବର୍ଷ ତମାମ ଏକ ଲୋକପର୍ବ ଭାବେ ପାଳନ କରାଯିବା ଲାଗି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି। ଏହି ଅବସରରେ ଡାକଟିକଟ ଓ ମୁଦ୍ରା ଉନ୍ମୋଚନ କରାଯିବା ଦିଗରେ ପ୍ରୟାସ ହେବା ସହ ଜାତୀୟ ନେତୃତ୍ୱକୁ ଏକତ୍ର କରାଯାଇ ଏହାକୁ ଦେଶବ୍ୟାପି ପାଳନ କରାଯିବା ଆବଶ୍ୟକ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ଲୋକସେବକ ମଣ୍ଡଳର ମାର୍ଗଦର୍ଶନରେ ଏହି କାର୍ଯ୍ୟକ୍ରମ ଜାରି ରହୁ ବୋଲି ସେ ଦର୍ଶାଇଥିଲେ। ‘ସମାଜ’ର ୯୯ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନ କହିଲେ ଯେ ଜଗନ୍ନାଥଙ୍କ ଦର୍ଶନରେ ଯେମିତି ପୁଣ୍ୟତା ମିଳିଥାଏ ‘ସମାଜ’ ପଠନରେ ସେହିପରି ପରିପୂର୍ଣ୍ଣତା ମିଳିଥାଏ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ‘ସମାଜ’ ଏକ ଆନ୍ଦୋଳନ, ଜାତିର ମାର୍ଗଦର୍ଶକ, ଅବିଭକ୍ତିର ମଞ୍ଚ। ରିଲିଫ୍‍ ଶବ୍ଦ ସହ ଓଡ଼ିଆ ଜାତି ‘ସମାଜ’ ଅନୁଷ୍ଠାନଦ୍ୱାରା ପରିଚିତ ବୋଲି ସେ ସୂଚନା ଦେଇଥିଲେ। ‘ସମାଜ’ ପକ୍ଷରୁ ଚଳିତବର୍ଷ ଲାଗି ଆହ୍ୱାନ ଭାବେ ରଖାଯାଇଥିବା ‘ଆଦର୍ଶ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ବିକାଶ’କୁ ପ୍ରଶଂସା କରିବା ସହ ଏହାକୁ ସମାଜ ଅନୁଷ୍ଠାନ ଦୀର୍ଘଯୋଜନା ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।

ସମାରୋହରେ ମୁଖ୍ୟ ଅତିଥି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ

ଉତ୍ସବରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଅଜିତ ଅଞ୍ଜୁମ ଯୋଗଦେଇ ଅନେକ କ୍ଷେତ୍ରରେ ନିଚ୍ଛକ ବ୍ୟାବସାୟିକ ମନୋଭାବଠାରୁ ଦୂରରେ ରହି ବିଜ୍ଞାପନ ପଛରେ ନ ଗୋଡଶଇ ନିଜସ୍ୱ ଆଦର୍ଶରେ ପରିଚାଳିତ ‘ସମାଜ’ ଶହେ ବର୍ଷରେ ପଦାର୍ପଣ କରିବା ଏକ ବିରଳ ଘଟଣା ବୋଲି କହିଥିଲେ। ତୋପର ମୁକାବିଲା ଖବରକାଗଜଦ୍ୱାରା ସମ୍ଭବ ବୋଲି ବିଶ୍ୱାସ ଥିବା ସମୟରେ ପ୍ରତିଷ୍ଠିତ ‘ସମାଜ’ ଆଗାମୀ ଦିନରେ ସମ୍ମୁଖିନ ହେବାକୁ ଥିବା ସମସ୍ୟାକୁ ମୁକାବିଲା କରିବାକୁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ସେ ଦର୍ଶାଇଥିଲେ। ସାମ୍ବାଦିକତା ଏବେ
ବିଭିନ୍ନ ରୂପରେ ଦେଖିବାକୁ ମିଳୁଥିବା ବେଳେ ‘ସମାଜ’ କେବଳ ସତ୍ୟକୁ ସମ୍ମୁଖକୁ ଆଣିବାକୁ ପ୍ରୟାସ ଜାରି ରଖିବା ସହ ପାଠକୀୟ ଶକ୍ତି ବୃଦ୍ଧି ଦିଗରେ ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଥିଲେ।

ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଦୀପକ ମାଲବ୍ୟ ତାଙ୍କ ଉଦବୋଧନରେ ୯୯ବର୍ଷ ପରେ ମଧ୍ୟ ‘ସମାଜ’ ଦୃଢତାର ସହ ରହିଛି ବୋଲି କହିଥିଲେ। ଏହା ଓଡ଼ିଶାବାସୀଙ୍କ ଖବରକାଗଜର ମାନ୍ୟତା ଏହା ହାସଲ କରିଥିବା ବେଳେ ଓଡ଼ିଆମାନେ ‘ସମାଜ’ଠାରୁ ସବୁବେଳେ ଖୁବ ଆଶାବାଦୀ ରହିଥିବା ପ୍ରକାଶ କରିଥିଲେ। ସରକାରଙ୍କ ପୂର୍ବରୁ ସମାଜ ଅନୁଷ୍ଠାନର ରିଲିଫ୍‍ ବିପର୍ଯ୍ୟସ୍ତଙ୍କ ନିକଟରେ ପହଞ୍ଚି ପାରୁଥିବା ଉଲ୍ଲେଖ କରି ରାଜ୍ୟର ସମସ୍ତ ସାଂସଦ ଉତ୍କଳମଣିଙ୍କୁ ଭାରତରତ୍ନ ପ୍ରଦାନ ଲାଗି ସମବେତ ଭାବେ ଦାବି କରିବାକୁ ସେ ଆହ୍ୱାନ ଜଣାଇଥିଲେ। ଶହେତମ ବର୍ଷପୂର୍ତ୍ତି ପୂର୍ବରୁ ସମଗ୍ର ଦେଶରେ ଉତ୍କଳମଣିଙ୍କୁ ପରିଚିତ କରାଯିବା ଲାଗି ସମାଜ ଅନୁଷ୍ଠାନ ଉଦ୍ୟମ ଜାରି ରଖିବ ବୋଲି ଶ୍ରୀ ମାଲବ୍ୟ ସୂଚନା ପ୍ରଦାନ କରିଥିଲେ।

ଅବସରପ୍ରାପ୍ତ ବିଚାରପତି ତଥା ଲୋକସେବକ ମଣ୍ଡଳର ଟ୍ରଷ୍ଟି ଅରିଜିତ ପଶାୟତ ତାଙ୍କ ଉଦବୋଧନରେ ହଜାର ହଜାର ଦୁର୍ବଳଙ୍କ ସ୍ୱରକୁ ସରକାରଙ୍କ ନିକଟରେ ପହଞ୍ଚାଇବାରେ ‘ସମାଜ’ ସବୁବେଳେ ତାର ଭୂମିକା ନିଭାଇ ଆସିଥିବା କହିଥିଲେ। ଉତ୍କଳମଣିଙ୍କୁ ଜଗତମଣି ଭାବେ ବର୍ଣ୍ଣନା କରିବା ସହ ତାଙ୍କୁ ଭାରତରତ୍ନ ପ୍ରଦାନ କରାଯିବା ଦାବି ଯଥାର୍ଥ ଏବଂ ଏ ଦିଗରେ ସମସ୍ତ ଓଡ଼ିଆ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ପ୍ରାରମ୍ଭରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜ୍ୱଳନ କରି ମୁଖ୍ୟଅତିଥି ଶ୍ରୀ ପ୍ରଧାନ ଉତ୍ସବକୁ ଉଦଘାଟନ କରିଥିବା ବେଳେ ସ୍ୱାଗତ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା। ଏହି ଅବସରରେ ଶହୀଦ ଭବନ ପରିସରରେ ଆୟୋଜିତ ଏକ ଚିତ୍ରକଳା ପ୍ରଦର୍ଶନୀକୁ ଶ୍ରୀ ପ୍ରଧାନ ଉନ୍ମୋଚନ କରିବା ସହ ଚିତ୍ରଗୁଡିକୁ ବୁଲି ଦେଖିଥିଲେ। ଲୋକସେବକ ମଣ୍ଡଳର ସାଧାରଣ ସମ୍ପାଦକ ତଥା ‘ସମାଜ’ର ମୁଦ୍ରାକର, ପ୍ରକାଶକ ନିରଞ୍ଜନ ରଥ ସ୍ୱାଗତ ଭାଷଣ ଦେଇଥିଲେ। ‘ସମାଜ’ର କାର୍ଯ୍ୟକାରୀ ମୁଖ୍ୟପରିଚାଳକ ପ୍ରିୟବ୍ରତ ମହାନ୍ତି ଭିତ୍ତିପ୍ରସଙ୍ଗ ଉପସ୍ଥାପନ କରିବା ସମୟରେ ‘ସମାଜ’ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଆଗାମୀ ଯୋଜନା ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ଲୋକସେବକ ମଣ୍ଡଳର ଉପସଭାପତି କୀର୍ତ୍ତିଭାଇ ପାଣ୍ଡ୍ୟା, ବରିଷ୍ଠ ସଦସ୍ୟ ରାଜକୁମାର ଓ ସମ୍ମାନିତ ଅତିଥି ଅଜୟ ପାଣ୍ଡେ ପ୍ରମୁଖ ଉଦବୋଧନ ଦେଇଥିବା ବେଳେ ଲୋକସେବକ ମଣ୍ଡଳର ଆଜୀବନକର୍ମୀ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଏବଂ ରାଜେନ୍ଦ୍ରକୁମାର ଜେନା ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। ଏହି ଅବସରରେ ଶତବାର୍ଷିକ ଲୋଗୋ, ଚଳିତବର୍ଷର ପ୍ରସଙ୍ଗ ଭାବେ ‘ଆଦର୍ଶ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ବିକାଶ’ ଓ ୯୯ତମ ବର୍ଷପୂର୍ତ୍ତି ପାଳନ ସ୍ୱତନ୍ତ୍ର ସ୍ମରଣିକାକୁ ମୁଖ୍ୟଅତିଥି ଶ୍ରୀ ପ୍ରଧାନ ଉନ୍ମୋଚନ କରିଥିଲେ।

ପୂର୍ବରୁ ରାଜ୍ୟସ୍ତରରେ ଅନୁଷ୍ଠିତ ହୋଇଥିବା ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ, ଗୁରୁଦିବସ ଅବସରରେ ହୋଇଥିବା ସ୍ଲୋଗାନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କ ସହ ଶ୍ରେଷ୍ଠ ସମ୍ବାଦଦାତା, ଶ୍ରେଷ୍ଠ ବିଜ୍ଞାପନଦାତା, ଶ୍ରେଷ୍ଠ ପ୍ରସାର ଏଜେଣ୍ଟ, ଶ୍ରେଷ୍ଠ ଗାଡିଚାଳକଙ୍କ ସହ ‘ସମାଜ’ର ପୁରାତନ କର୍ମଚାରୀ, କଟକ ସହରର ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ସାହିମୁରବୀ, ମହିଳା ସମିତିର କର୍ମକର୍ତ୍ତାଙ୍କୁ ପୁରସ୍କୃତ କରାଯାଇଥିଲା। ସମାଜ ସମ୍ପାଦକ ବାମାପଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଡକ୍ଟର ଚିତ୍ତରଞ୍ଜନ ସାହାଣୀ, ସଙ୍ଗୀତା ସାହୁ ଓ ଦଳଙ୍କଦ୍ୱାରା ଓଡ଼ିଶୀ, କଥକ ଆଦି ନୃତ୍ୟ ପରିବେଷଣ କରାଯାଇଥିଲା।

Leave A Reply