ଶତାୟୁ ‘ସମାଜ’କୁ ଭୂମିଷ୍ଠ ପ୍ରଣାମ

‘ସମାଜ’ କେବଳ ଏକ ଖବରକାଗଜ ନୁହେଁ, ଏହା ସାମାଜିକ ପରିବର୍ତ୍ତନର ପ୍ରବର୍ତ୍ତକ। ସେ ନିରପେକ୍ଷତା କ୍ଷେତ୍ରରେ ହେଉ ଅବା ନିର୍ଭୀକ ସାମ୍ବାଦିକତା ଦିଗରେ, ସବୁବେଳେ ନିଜର ଉତ୍ତରଦାୟିତ୍ୱ ସୁଚାରୁ ରୂପେ ନିଭାଇଛି।

କେବେହେଲେ ନିଜ ବିଚାର ଧାରାରେ ସାଲିସ୍ କରିନାହିଁ। ଶାସକଦଳ ହେଉ କି ବିରୋଧୀଦଳ, ସବୁ ଦଳକୁ ସମାନ ଗୁରୁତ୍ବ ଦେଇ ଖବର ପରିବେଷଣ କରିଛି ଦୈନିକ ଖବରକାଗଜ ‘ସମାଜ’। ପୁନଶ୍ଚ ଆଞ୍ଚଳିକ ସଂସ୍କରଣ ଜରିଆରେ ରାଜ୍ୟର କୋଣ ଅନୁକୋଣରୁ ଲୋକଙ୍କ ବିଭିନ୍ନ ସମସ୍ୟାକୁ ଅଧିକ ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି। ଏଣୁ ସାଧାରଣ ଜନତାଙ୍କ ସ୍ବର ରୂପେ ପରିଚିତ ‘ସମାଜ’ କୌଣସି ରାଜନୈତିକ ଦଳ ବା ଗୋଷ୍ଠୀର ନୁହେଁ। ଏପରି କୌଣସି କ୍ଷମତାସୀନ ଦଳ ବା ରାଜନେତାଙ୍କ ଉଦ୍ୟମ ‘ସମାଜ’ ସମ୍ପାଦକଙ୍କ ସ୍ବାଧୀନ ସ୍ବରକୁ ଏ ପର୍ଯ୍ୟନ୍ତ ଚପାଇ ପାରିନାହିଁ। ସେଥିପାଇଁ ‘ସମାଜ’ ଆଜି ଓଡ଼ିଶାର ଏକ ଲୋକପ୍ରିୟ ସମ୍ବାଦପତ୍ର ହେବା ସହ ସମସ୍ତଙ୍କୁ ପଛରେ ପକାଇ ନିଜର ଶ୍ରେଷ୍ଠ ସ୍ଥାନ ବଜାୟ ରଖିପାରିଛି।

ଆଜିକୁ ଶହେଏକ ବର୍ଷ ତଳେ ୧୯୧୯ ମସିହା ଅକ୍ଟୋବର ୪ ତାରିଖ ପବିତ୍ର ବିଜୟା ଦଶମୀ ତିଥିରେ ‘ସାପ୍ତାହିକ ପତ୍ରିକା’ ଭାବେ ‘ସମାଜ’ ଆତ୍ମପ୍ରକାଶ କରିଥିଲା। ସେତେବେଳେ ପରାଧୀନ ଭାରତବର୍ଷରେ ଇଂରେଜ ସରକାରଙ୍କ ବିରୋଧରେ ‘ସମାଜ’ ସ୍ବର ଉତ୍ତୋଳନ କରିବାକୁ ମଧ୍ୟ ପଛାଇ ନଥିଲା। ଗାନ୍ଧିଜୀଙ୍କ ଚିନ୍ତାଧାରାକୁ ପାଥେୟ କରି ଚାଲୁଥିବା ଉତ୍କଳମଣି ଗୋପବନ୍ଧୁ ଦାସ ଓ ପଦ୍ମଭୂଷଣ ରାଧାନାଥ ରଥଙ୍କ ପରି ବ୍ୟକ୍ତିଙ୍କ ତ୍ୟାଗ ଓ ନିଷ୍ଠା ଯୋଗୁଁ ‘ସମାଜ’ ଖବରକାଗଜ ଆଜି ପର୍ଯ୍ୟନ୍ତ ତିଷ୍ଠି ରହିପାରିଛି। ଭାରତର ସ୍ବାଧୀନତା ସଂଗ୍ରାମ‌େ‌ର ‘ସମାଜ’ର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଗୋପବନ୍ଧୁଙ୍କ ଚିନ୍ତାଧାରା, ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ଥିଲା ଅନନ୍ୟ। ଓଡ଼ିଆ ଜାତିର ଜାଗ୍ରତ ପ୍ରହରୀ ହୋଇ ନିରନ୍ତର ଭାବେ ଦୀର୍ଘ ଶହେ ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ସତ୍ୟ ଓ ସତେଜ ଖବର ପ୍ରସାରଣରେ ‘ସମାଜ’ ହିଁ ଏକମାତ୍ର ଓଡ଼ିଆ ଖବରକାଗଜ। ଓଡ଼ିଆ ଜାତିର ଅନେକ ଉତ୍‌ଥାନ ପତନର ସାକ୍ଷୀ ହୋଇ ରହିପାରିଛି ‘ସମାଜ’। ଓଡିଆଙ୍କ ସ୍ନେହ, ଶ୍ରଦ୍ଧା ପରିପ୍ରେକ୍ଷୀରେ ‘ସମାଜ’ ଆଜି ଶତାୟୁ ହେବା ସହ ୧୯୧୯ରୁ ୨୦୨୦ ପର୍ଯ୍ୟନ୍ତ ସମ୍ବାଦ ପରିବେଷଣର ମେରୁଦଣ୍ଡ ହୋଇ ଛିଡା ହୋଇଛି। ପୁଣି ପ୍ରାକ୍ ସ୍ବାଧୀନତା କାଳରେ ଦେଶ ସ୍ବାଧୀନଠାରୁ ଆରମ୍ଭ କରି ଓଡ଼ିଆ ଜାତିର ସ୍ୱାଭିମାନକୁ ବଜାୟ ରଖିବାରେ ‘ସମାଜ’ ଯେଉଁଭଳି ଗୁରୁ ଦାୟିତ୍ବ ବହନ କରି ଆସିଥିଲା, ସ୍ବାଧୀନତା ପରେ ମଧ୍ୟ ଓଡ଼ିଆ ଜାତିର ସ୍ବର ହେବା ସହ ଓଡ଼ିଶାର ସାମଗ୍ରିକ ବିକାଶରେ ସହଭାଗିତା କରିଆସିଛି। ଏଣୁ ‘ସମାଜ’କୁ କେବଳ ଓଡ଼ିଶା ଓ ଭାରତରୁ ନୁହେଁ ସମଗ୍ର ବିଶ୍ୱର ବିଭିନ୍ନ ମହଲରୁ ଆଦର ସହ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ବିଜ୍ଞାନର ଅଗ୍ରଗତି ଯୋଗୁଁ ଏବେ ଡିଜିଟାଲ ମିଡିଆ ଗଣମାଧ୍ୟମ ଜଗତରେ ବିପ୍ଳବ ଆଣିଥିବା ବେଳେ ଲୋକଙ୍କ ରୁଚିକୁ ସମ୍ମାନ ପ୍ରଦାନ କରି ‘ସମାଜ’ ମଧ୍ୟ ଡିଜିଟାଲ ମିଡିଆ ଜଗତରେ ପଦାର୍ପଣ କରିଛି।

ଏହି ପରିପ୍ରେକ୍ଷୀରେ ‘ସମାଜ’ କୁ କେବଳ ଏକ ଖବରକାଗଜ ବୋଲି ବିବେଚନା ନକରି ଏହାକୁ ଏକ ଅନୁଷ୍ଠାନ ବୋଲି ମନରେ ସ୍ଥାନ ଦେବାକୁ ପଡିବ। କାରଣ ଓଡ଼ିଶାର ଦୁଃଖୀ ଦରିଦ୍ରଙ୍କ ପାଇଁ ଏହା ନିଷ୍ଠାର ସହ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିଆସୁଛି। ଏପରିକି ବନ୍ୟା, ବାତ୍ୟା, ମରୁଡି, ଘରପୋଡି ଆଦି ଦୈବୀ ଦୁର୍ବିପାକ ସମୟରେ ଓଡ଼ିଆଙ୍କ ପାଖରେ ଉତ୍ତମ ବନ୍ଧୁ ଭାବେ ଛିଡ଼ା ହୋଇପାରିଛି। ଗରିବ ତଥା ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ସହାୟତା ଦେଇଆସୁଛି। ଓଡ଼ିଶାର ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ରକ୍ଷାକରିବାରେ ନିରନ୍ତର ପ୍ରୟାସ କରିଚାଲିଛି। ଏପରିକି ସମ୍ପ୍ରତି ମହାମାରୀ କରୋନା ସଂକ୍ରମଣ ତଥା ମୃତ୍ୟୁ ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ଥିଲାବେଳେ ‘ସମାଜ’ ତା’ର ସେବା ଜାରି ରଖିଛି। ଏ ଦିଗରେ ହକରଙ୍କଠାରୁ ସହର ତଥା ଗ୍ରାମାଞ୍ଚଳର ସାମ୍ବାଦିକମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏମାନେ ଜଣେ ଜଣେ କରୋନା ଯୋଦ୍ଧାଠାରୁ କୌଣସି ଗୁଣରେ କମ୍ ନୁହନ୍ତି। ଅନ୍ୟ ପକ୍ଷରେ ଏହି ଦୁର୍ଦିନ ସମୟରେ କେତେକ ସମ୍ବାଦପତ୍ର ସଂସ୍ଥା ସେମାନଙ୍କ ଦୈନିକ ଖବରକାଗଜର ମୂଲ୍ୟ ବୃଦ୍ଧି କରିଥିବା ବେଳେ ‘ସମାଜ’ କିନ୍ତୁ ତା’ର ମୂଲ୍ୟକୁ ଅପରିବର୍ତ୍ତିତ ରଖି ନିରନ୍ତର ଭାବେ ସେବା ଯୋଗାଇ ଆସୁଛି; ପରନ୍ତୁ ଏହି ଶତାୟୁ ‘ସମାଜ’ କୌଣସି ବ୍ୟକ୍ତିଗତ ମାଲିକାନାରେ ନାହିଁ। ଏହା ହେଉଛି ଜନସାଧାରଣଙ୍କ ଖବରକାଗଜ। ଜନସାଧାରଣ ହେଉଛନ୍ତି ଏହାର ପ୍ରକୃତ ମାଲିକ। ଏଣୁ ଏହି ସ୍ୱନାମଧନ୍ୟ ଖବରକାଗଜର ସମ୍ପାଦକ, ମୁଦ୍ରାକର, ସମସ୍ତ ସାମ୍ବାଦିକ ତଥା କର୍ମଚାରୀଙ୍କ ନିଷ୍ଠାପର ଓ ନିଃସ୍ବାର୍ଥପର ସେବା କାର୍ଯ୍ୟ ପାଇଁ ସେମାନଙ୍କୁ କେବଳ ଧନ୍ୟବାଦ ନୁହେଁ ସାଧୁବାଦ ମଧ୍ୟ। ଏହାସହ ଅଗଣିତ ଆଗ୍ରହୀ ପାଠକ ପାଠିକା ଓ ଜନସାଧାରଣ ଏହି ଶତାୟୁ ‘ସମାଜ’ର ଦୀର୍ଘାୟୁ ଓ ମଙ୍ଗଳକାମନା କରିବା ସହିତ ଭୂମିଷ୍ଠ ପ୍ରଣାମ ଜଣାଇଛନ୍ତି।

 

Comments are closed.