ବିପନ୍ନଙ୍କ ପାଖରେ ପହଞ୍ଚିଲା ‘ସମାଜ’ ରିଲିଫ

ରସୁଲପୁର : ବନ୍ୟା ବିପନ୍ନଙ୍କ ନିକଟରେ ପହଞ୍ଚିଲା ‘ସମାଜ’ ରିଲିଫ୍‌ ଟିମ୍‌। ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମଖଣ୍ଡ ପଞ୍ଚାୟତର ଚକଗୋପାଳପୁର ଗ୍ରାମଠାରେ ବ୍ରାହ୍ମଣୀ ନଦୀବନ୍ଧରେ ହୋଇଥିବା ଘାଇଦ୍ୱାରା ବହୁ ବିପନ୍ନଙ୍କ ପାଖରେ ସରକାରୀ ରିଲିଫ ପହଞ୍ଚିବା ପୂର୍ବରୁ ଆଜି ଅପରାହ୍ନରେ ‘ସମାଜ’ ରିଲିଫ କମିଟିର ଅଧ୍ୟକ୍ଷ ତଥା ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ନୀରଞ୍ଜନ ରଥଙ୍କ ନେତୃତ୍ୱରେ ‘ସମାଜ’ ରିଲିଫ ପହଞ୍ଚିଛି। ଉକ୍ତ ଅଞ୍ଚଳର ଶବର ସାହି ଓ ଦଳିତ ସାହିର ପ୍ରାୟ ଶତାଧିକ ଲୋକଙ୍କୁ ଶୁଖିଲା ଖାଦ୍ୟ ଆକାରରେ ପାଉଁରୁଟି ଓ ବିସ୍କୁଟ ବଣ୍ଟନ କରାଯାଇଛି। ସମାଜସେବୀ ନିଗମାନନ୍ଦ ସ୍ୱାଇଁ, ସ୍ଥାନୀୟ ଗୋପାଳପୁର ଶ୍ରୀ ସତ୍ୟସାଇ ସଂଗଠନର ନରେନ୍ଦ୍ର କୁମାର ବେହେରା ଓ ରମେଶ ଚନ୍ଦ୍ର ସେଠୀ, ଅଶୋକ କୁମାର ଗୁଇଁ, ରସୁଲପୁର ‘ସମାଜ’ ପ୍ରତିନିଧି କୈଳାସ ଚନ୍ଦ୍ର ରାଉତ ପ୍ରମୁଖ ରିଲିଫ ବଣ୍ଟନ କାର୍ଯ୍ୟରେ ସହଯୋଗ କରିଥିଲେ।  ଏଥି ସହିତ ‘ସମାଜ’ ରିଲିଫ କମିଟିର ଅଧ୍ୟକ୍ଷ ଶ୍ରୀ ରଥ ବନ୍ୟାଦ୍ୱାରା କ୍ଷତିଗ୍ରସ୍ତ ଲୋକମାନଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

Comments are closed.