‘ସମାଜ’ର ଶତବାର୍ଷିକୀ ଉତ୍ସବ; ଆଜି ରାଜ୍ୟବ୍ୟାପୀ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା

0

କଟକ: ଦୈନିକ ‘ସମାଜ’ ଅକ୍ଟୋବର ୪ତାରିଖରେ ଶତାୟୁ ହେବ। ଏହି ଅବସରରେ ରବିବାର ରାଜ୍ୟବ୍ୟାପୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ଚିତ୍ରାଙ୍କନ’ ଓ ‘ପ୍ରବନ୍ଧ ଲିଖନ’ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସକାଳ ୮ଟା ୧୫ମିନିଟ୍‍ରୁ ୯ଟା ୧୫ମିନିଟ୍‍ ପର୍ଯ୍ୟନ୍ତ କନିଷ୍ଠ ଓ ବରିଷ୍ଠ ବର୍ଗରେ ରାଜ୍ୟର ୩୨୬ଟି କେନ୍ଦ୍ରରେ ଏକ ସଙ୍ଗରେ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହେବ। କନିଷ୍ଠ (୩ୟରୁ ୫ମ) ଏବଂ ବରିଷ୍ଠ(୬ଷ୍ଠ ଓ ୭ମ)ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇପାରିବେ। ସକାଳ ୯ଟା ୧୫ରୁ ୧୦ଟା ୧୫ମିନିଟ୍‍ ପର୍ଯ୍ୟନ୍ତ କେବଳ ବରିଷ୍ଠ ଛାତ୍ରଛାତ୍ରୀ(୮ମରୁ ୧୦ମ)ଙ୍କ ମଧ୍ୟରେ ‘ପ୍ରବନ୍ଧ ଲିଖନ’ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥର କନିଷ୍ଠ ବିଭାଗ ଚିତ୍ରାଙ୍କନ ପ୍ରତିଯୋଗିତାର ବିଷୟବସ୍ତୁ ‘କୃଷି କ୍ଷେତ୍ରରୁ ଦୃଶ୍ୟ’ ଓ ବରିଷ୍ଠ ବିଭାଗର ବିଷୟବସ୍ତୁର ଶୀର୍ଷକ ‘ଜଳ ହିଁ ଜୀବନ’ ରହିଛି। ସେହିପରି ବରିଷ୍ଠ ବିଭାଗରେ ହେବାକୁ ଥିବା ପ୍ରବନ୍ଧ ପ୍ରତିଯୋଗିତାର ବିଷୟବସ୍ତୁ ‘ଗୋପବନ୍ଧୁଙ୍କ ଦୃଷ୍ଟିରେ ଛାତ୍ରର କର୍ତ୍ତବ୍ୟ’ ରଖାଯାଇଛି। ପ୍ରତ୍ୟେକ କେନ୍ଦ୍ରରେ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଶେଷ ହେବା ପରେ ବିଚାରକଙ୍କ ଦ୍ୱାରା ଶ୍ରେଷ୍ଠ ବିବେଚିତ ଚିତ୍ରାଙ୍କନ ଓ ପ୍ରବନ୍ଧ ଲିଖନର ଶ୍ରେଷ୍ଠ ୩ଜଣ ଲେଖାଏଁ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ରାଜ୍ୟବ୍ୟାପୀ ବିଭିନ୍ନ କେନ୍ଦ୍ରରେ ଆୟୋଜିତ ଉଭୟ କନିଷ୍ଠ ଓ ବରିଷ୍ଠ ବିଭାଗର ଚିତ୍ରାଙ୍କନ ପ୍ରତିଯୋଗିତାରେ ପ୍ରଥମ ହୋଇଥିବା ଚିତ୍ର ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ କରାଯିବ। ଶ୍ରେଷ୍ଠ ବିବେଚିତ ଚିତ୍ରାଙ୍କନଗୁଡିକ ବକ୍ସିବଜାରସ୍ଥିତ ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟରେ ବିଚାରକଙ୍କ ଦ୍ୱାରା ପୁନଃମନୋନୟନ କରାଯିବ। ‘ଚିତ୍ରାଙ୍କନ’ ଓ ‘ପ୍ରବନ୍ଧ ଲିଖନ’ର ଶ୍ରେଷ୍ଠ ୩ଜଣ କୃତୀ ପ୍ରତିଯୋଗୀଙ୍କୁ ଅକ୍ଟୋବର ୪ରେ ହେବାକୁ ଥିବା ‘ସମାଜ’ ୧୦୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply