‘ସମାଜ’ର ଶତବାର୍ଷିକ ସମାରୋହରେ ଆନ୍ଧ୍ର ରାଜ୍ୟପାଳ : ‘ସମାଜ’ ଓଡ଼ିଆଙ୍କ ହୃଦ୍‌ସ୍ପନ୍ଦନ

କଲକାତା : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ‘ସମାଜ’ ଖବର କାଗଜ ହେଉଛି ପ୍ରତିଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ। ଉତ୍କଳମଣି ଯେଉଁ ଦେଶପ୍ରେମର ଭାବନା ନେଇ ‘ସମାଜ’ର ପ୍ରତିଷ୍ଠା କରିଥିଲେ ତାହା ଶହେବର୍ଷରେ ପହଞ୍ଚିବା ପ୍ରତିଟି ଓଡ଼ିଆ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଏଭଳି ସାରସ୍ବତ ଅନୁଷ୍ଠାନର ଶହେବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ସେ ନିଜେ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ।

ଏଠାରେ ଆୟୋଜିତ ‘ସମାଜ’ ଶତବାର୍ଷିକ ସମାରୋହରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଶ୍ରୀ ହରିଚନ୍ଦନ କହିଲେ, ବନ୍ୟା, ବାତ୍ୟା, ଘରପୋଡ଼ି ଭଳି ଦୁର୍ବିପାକରେ ଉତ୍କଳମଣି ଗୋପବନ୍ଧୁ ଥିଲେ ଦେବଦୂତ। ଆର୍ତ୍ତ, ପୀଡିତ ଓ ବିପନ୍ନଙ୍କ ପାଇଁ ସେ ଥିଲେ ଭରସାର ପାତ୍ର। ଗୋପବନ୍ଧୁଙ୍କ କାର୍ଯ୍ୟ ଆଜି ବି ‘ସମାଜ’ ଚଳାଇ ରଖିଛି। ସର୍ବ ପୁରାତନ ଏବଂ ସର୍ବ ପ୍ରସାରିତ ‘ସମାଜ’ ହେଉଛି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ। କଲକାତା ଶତବାର୍ଷିକ ଉତ୍ସବରେ ଯୋଗଦେଇ ବିଶେଷ କରି ପ୍ରବାସୀ ଓଡ଼ିଆମାନଙ୍କ ସହ ମିଶିବା ଦ୍ବାରା ନିଜକୁ ଗୌରାବାନ୍ବିତ ମନେ କରୁଛନ୍ତି ବୋଲି ସେ କହିଛନ୍ତି।

ଅନ୍ୟତମ ଅତିଥି ରୂପେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ କହିଲେ ଯେ ଓଡ଼ିଶାର ବରପୂତ୍ର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ‘ସମାଜ’ ସମଗ୍ର ମାନବଜାତିକୁ ଦିଗ୍‌ଦର୍ଶନ ଦେଉଛି। ଓଡ଼ିଶା ସରକାର ଉତ୍କଳମଣିଙ୍କ ବହୁବିଧ ଆଦର୍ଶକୁ ବାସ୍ତବ ରୂପ ଦେବା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ପାଳନ କରିଛି। ଓଡ଼ିଶାର ରାଜନୈତିକ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଖବର ପ୍ରସାର କରି ‘ସମାଜ’ ଏକ ଜାଗ୍ରତ ପରିବେଶ ତିଆରି କରିଥିବା ମନ୍ତ୍ରୀ ଶ୍ରୀ ଦାସ କହିଥିଲେ।
ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସମ୍ପାଦକ ତଥା ‘ସମାଜ’ର ପ୍ରକାଶକ ଓ ମୁଦ୍ରାକର ନିରଞ୍ଜନ ରଥ କହିଲେ ଯେ, ତୋଷାମଦ କରି କୌଣସି ଜାତି ନିଜର ପ୍ରାଧାନ୍ୟ ବିସ୍ତାର କରିପାରେନାହିଁ। ଉତ୍କଳ ଗୌରବ ମଧୁସୂଦନ ଦାସ ଓ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ମଧ୍ୟରେ ଏକଦା ମତପାର୍ଥକ୍ୟ ଥିବା ସତ୍ତ୍ବେ ବି ସେମାନେ ଉତ୍କଳ ପ୍ରଦେଶର ଉତ୍‌ଥାନ ପାଇଁ ଏକତ୍ର ହୋଇଥିଲେ। ଜନସାଧାରଣଙ୍କ କଥା ଓ ବ୍ୟାଥାକୁ ପରିପ୍ରକାଶ କରିବା ପାଇଁ ‘ସମାଜ’ ଶହେ ବର୍ଷ ଧରି ନିରନ୍ତର ଚେଷ୍ଟା ଚଳାଇଛି। ବୋଉବଜାରଠାରେ ଏକ ଦାତବ୍ୟ ଚିକିତ୍ସାଳୟ ‘ସମାଜ’ ପକ୍ଷରୁ କରାଯିବ ବୋଲି ସେ ଘୋଷଣା କରିଥିଲେ।

ଅନ୍ୟତମ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର କହିଲେ, ସମାଜ ହେଉଛି ସାଧାରଣ ଜନତାଙ୍କ ସୁଖଦୁଃଖର ସାଥୀ। କଲକାତା ଓଡ଼ିଆମାନଙ୍କ ମଧ୍ୟରେ ଏହି ଚେତନାକୁ ଉଦ୍‌ବୁଦ୍ଧ କରିବା ପାଇଁ ‘ସମାଜ’ ଯେଉଁ କାର୍ଯ୍ୟ କରୁଛି ତାହା ପ୍ରଶଂସନୀୟ। ‘ସମାଜ’ର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ ମହାନ୍ତି କହିଥିଲେ ଯେ, ସମାଜକୁ ବିଶ୍ଲେଷଣ କଲେ ‘ସ’ରେ ସମଗ୍ର, ‘ମା’ରେ ମାନବ, ‘ଜ’ରେ ଜଗତ। ଯଥାର୍ଥରେ ‘ସମଗ୍ର ମାନବ ଜଗତ’ ପାଇଁ ‘ସମାଜ’ ସମର୍ପିତ ବୋଲି ସେ କହିଥିଲେ। ‘ଶତବାର୍ଷିକ କମିଟି କଲକାତାର ସଭାପତି ରବିନାରାୟଣ ମହାପାତ୍ର ସଭାପତିତ୍ବ କରି କହିଲେ, ‘ସମାଜ’ ସହିତ ସେ ଛାତ୍ର ଅବସ୍ଥାରୁ ପରିଚିତ। କଲକାତାରେ ଆସି ଆହୁରି ଓତଃପ୍ରୋତ ଭାବେ ଜଡ଼ିତ ହେବା ସହିତ ଓଡ଼ିଆ ଭାଷାଭାଷୀଙ୍କ ସମ୍ପର୍କରେ ଆସିବା ପାଇଁ ‘ସମାଜ’ଠାରୁ ଦିଗ୍‌ଦର୍ଶନ ପାଇଥିବା କହିଥିଲେ।

ସମ୍ପାଦକ ବିଜୟ ବାରିକ ସମ୍ପାଦକୀୟ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ ଆମ୍ଭେ ‘ସମାଜ’ର ଓ ‘ସମାଜ’ ଆମ୍ଭର। ଏହି ଭାବାଦର୍ଶରେ ‘ସମାଜ’ ସହିତ ଜଡ଼ିତ ଅଛୁ ବୋଲି କହିବା ସହ ଉତ୍କଳମଣିଙ୍କୁ ଭାରତମଣି ଉପାଧି ପ୍ରଦାନ ଲାଗି ଓଡ଼ିଆ ଜାତି ଦୃଢ ଦାବି ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲେ। କଲକାତା ବନ୍ଦରର ଅଧ୍ୟକ୍ଷ ବୀନିତ କୁମାର, ଲୋକସେବକ ମଣ୍ଡଳର କଟକ ଶାଖା ସମ୍ପାଦକ ପ୍ରଭାସ ଆଚାର୍ଯ୍ୟ, ସାମ୍ବାଦିକ ଦିଲୀପ ବିଶୋଇ ଓ ଗୁରୁକଲ୍ୟାଣ ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।
ରାଜଶ୍ରୀ ମହାପାତ୍ର ଓ ପ୍ରଶାନ୍ତ କୁମାର ଦାସ ସଭା ସଂଯୋଜନା କରିଥିବାବେଳେ ‘ସମାଜ’ର ମଳୟ କୁମାର ଦେ, ଜ୍ୟୋତିରଞ୍ଜନ ପଟ୍ଟନାୟକ ପ୍ରମୁଖ ଥିଲେ।

Comments are closed.