ଉତ୍କଳମଣି ମହାପ୍ରୁ

କୋଟିଏ ଦଣ୍ଡବତ।
ସବୁଦିନେ ମନେପଡୁଛ। ତମେ ତ ଏ ଜାତି ପାଇଁ ପୁଣ୍ୟଶ୍ଳୋକ ବନି ଯାଇଛ। ତେବେ ଆଜି ଏ ସାରା ରାଇଜ ଜନତା ପାଇଁ ଏକ ଶୁଭଦିନ। ତମର ଜନ୍ମିତ, ତମ ରକ୍ତରେ, ତମ କୁଚ୍ଛ୍ର ସାଧନାରେ ପୁଷ୍ଟ ‘ସମାଜ’ ଖବରକାଗଜ ଆଜି ଶତାୟୁ ହେଲା। ‘‘….ଭୂୟଶ୍ଚ ଶଦରଶତାତ୍‌’’ ମନ୍ତ୍ରାପ୍ଲୁତ ତମ ଏ ସନ୍ତାନ ଆଉ କେତେଶହ ବର୍ଷ ଚାଲିବ କହି ହେଉନି। ଏବେ ଚାଲିଛି, ଚାଲିବ ମଧ୍ୟ। ତମେ ତ କାହିଁ କେତେ ଦିନୁ ୧୯୨୮ ମସିହାରୁ ସ୍ବର୍ଗପ୍ରାପ୍ତି ହେଲଣି। ମାତ୍ର ତମେ, ତମର ବାଣୀ, ତମର ସାଧନାଲବ୍ଧ ସମ୍ବଳ ଏ ଜାତିର ରକ୍ଷାକବଚ, ପରିଚିତି ଓ ସ୍ବାଭିମାନ ବନିଯାଇଥିବାରୁ, ସବୁ କଥା ଏଇ କାଲି ଭଳି ଲାଗୁଛି। ତେବେ ତମର ସାପ୍ତାହିକ ‘ସମାଜ’, ଟିକି ବରଫଳଟା ପ୍ରକାଣ୍ଡ ଦ୍ରୁମ ହେଲା ଭଳି, ଆଜି ଏକ ମହାଦ୍ରୁମରେ ପରିଣତ ହୋଇଛି। ଆକାର ତ ବଢ଼ିଛି ନିଶ୍ଚୟ। ମାତ୍ର ‘କିସମ’ କଥା ତମେ କହିବ। ସରଗରୁ ତମେ ସବୁ ଦେଖୁଛ ତ। କଥାତ ଅଛି “ଦେଶକେ ଫାଙ୍କ, ନଈକେ ବାଙ୍କ”। ମହାକାଳର ଏ ସାଲିସ୍‍ହୀନ ପରିବର୍ତ୍ତନରେ ଦେଶ କାଳ ପାତ୍ର ବିଚାରରେ ଫାଙ୍କ ସୃଷ୍ଟି ହେବା ତ ଏକ ଅପରିହାର୍ଯ୍ୟ ପରିଣତି। ତେବେ ତମ ମୂଲ୍ୟବୋଧ, ରୁଚିବୋଧର ଏ ‘ସମାଜ’ ଦେଶ୍‍କେ ଏ ଫାଙ୍କରେ କେତେ ବଙ୍କିଛି ତମେ ତା’ର ଆକଳନ କରିବ। ଏ ଜନତା ବି ଦେଖୁଛି। ଆମେ ତମ ଭଳି ଜୀବନକୁ ବାଜି ଲଗେଇ ଦେଇ ନ ପାରିଲେ ବି, ସେଇ ବାଟରେ ଅଛୁ। ଟିକିଏ ଆଡ଼ଘୁଞ୍ଚା ନ ଦେବୁ କେମିତି କହିଲ? ବାଘ ଭଳି ଦିଶୁଥିବା ବିରାଡ଼ିଟା ବାଘ କି ତା’ ଛୁଆ ଆଦୌ ନୁହଁ। ତଥାପି ତ ସିଂହ ବଚ୍ଚା ୟେ। ପିଲା ହେଉ କି ବୁଢ଼ା ହେଉ, କୋଉ ଘାସ ଖାଇବ, ମଲେ ସିନା ମରିଯିବ। “ନ ଜୀର୍ଣ୍ଣଂ ତୃଣମତ୍ତିମାନ ମହତାମଗ୍ରେସର କେଶରୀ”। ତମ ପରେ ଗୋଦାବରୀଶ, ନୀଳକଣ୍ଠ, ଆଚାର୍ଯ୍ୟ ହରିହର ଓ ରାଧାନାଥ ପ୍ରଭୃତି ତମର ସୁଯୋଗ୍ୟ ଦାୟାଦ ଭାବେ ଏକୁ ଦ୍ରୁମ ବନେଇଦେଲେ ସାପ୍ତାହିକରୁ। ତେବେ ତମର ଦୀପ୍ତୀ, ସେ ତ୍ୟାଗ କାଇଁ କୋଉଠି? ଆଜି ଫାଳେ କ’ଣ, ଚେନାଏ ଗୋପବନ୍ଧୁ ବି ନାହାନ୍ତି। ସ୍ୱର୍ଗତ କବି ମାୟାଧର ମାନସିଂହ ତାଙ୍କ ‘ଗୋପ ପ୍ରୟାଣ’ରେ ଲେଖିଛନ୍ତି, “ନଗରେ ନଗରେ ନାଗରୀକ ଗଣ ନୟନୁ ଅଶ୍ରୁ ଭରି, ଆସହେ ସକଳେ ରାଜପଥେ ପରେ ଚରଣ ନଗ୍ନ କରି। ମଥା ନତ କରି ସମ୍ମାନ କର ସ୍ୱର୍ଗତ ମହାଜନେ, କହ ତମ ମଧ୍ୟେ କିଏ ଅଛି ଆଉ ତାହାପରି ଆଉ ଜଣେ।” ଆମ ସମସ୍ତଙ୍କ ପାଇଁ ଅରୁଚିକର ସତ କଥାଟାଏ ୟେ।
‘ସମାଜ’ କାଗଜ ସ୍ୱାର୍ଥର ଢାଲ ବା ଛତି ନ ଥିଲା। ସାଲିସହୀନ ପ୍ରାଣର ଧାରୁଆ ଖଣ୍ଡା ଥିଲା। ଆଜି ବି ‘ସମାଜ’ ନାଁରେ ମାନହାନୀ ମୋକଦ୍ଦମା ରାମା, ଦାମା ଶାମାମାନେ କରୁଛନ୍ତି। ତାଙ୍କ ସହ ମୁକାବିଲା ବି ଜାରୀ ରହିଛି। ମାତ୍ର ଉତୁଙ୍ଗ କ୍ଷମତା ସହ କାଇଁ ଲଢ଼େଇ ଏବେ ହଉଛି? ତମେ ପ୍ରବଳ ପ୍ରତାପି ବ୍ରିଟିଶ କେଶରୀ ବିରୁଦ୍ଧରେ ଜୀବନକୁ ବାଜି ଲଗେଇ ଲଢ଼ୁଥିଲ। ତମ ତ୍ୟାଗ ଓ କଷଣରେ ଏ ରାଜ୍ୟ ଜନତାର ଲୁହ ତାକୁ ବ୍ରିଟିଶ ସରକାର ଆଗରେ ନିଆଁହୁଳା ବନେଇ ଦେଉଥିଲା। ଓର ଉଣ୍ଡୁଥିଲା ସରକାର ତମକୁ ପାନେ ଦବାକୁ। ୧୯୨୧ ମସିହା କଥା, ବେଗୁନିଆ ବଜାରରେ ଜଣେ ବ୍ୟକ୍ତି ତା’ ବିବାହିତା ଭଉଣୀ ସହ ଏକ ଘରେ ରାତିରେ ଆଶ୍ରୟ ନେଇଥିଲା। ସମ୍ପୃକ୍ତ ଇଲାକାର ଦୁଇ ସିପେହୀ, ପରଦିନ ସକାଳୁ ସେ ଘରୁ ବିଚରା ଭାଇକୁ ଜବରଦସ୍ତ ଟାଣି ଆଣି, ତାଲା ପକାଇ ଭଉଣୀକୁ ସେ ଘରେ ଅଟକ ରଖିଦେଲେ। ସେଠି ଉତ୍ତେଜନା ଦେଖାଦେଲା। ମାଜିଷ୍ଟ୍ରେଟ ରାଏ ବାହାଦୁର ଅଜୟଚନ୍ଦ୍ର ଦାସ ସୌଭାଗ୍ୟକୁ ସେଇପଟେ ଯାଉଥିଲେ। ସମବେତ ଜନତା ତାଙ୍କୁ ଆପତ୍ତିକରି ନିରୀହା ମହିଳା (ଭଉଣୀ)କୁ ଉଦ୍ଧାର କରିବାକୁ ନିବେଦନ କଲେ। ରାଏ ବାହାଦୁର ତାଙ୍କୁ ଛାଡ଼ିଦେବାକୁ ସିପେହୀମାନଙ୍କୁ ନିର୍ଦ୍ଦେଶ ଦେଲେ। ମାତ୍ର କବାଟ ଫିଟିବା ପରେ ସେ ବିଚାରୀ ଆତ୍ମହତ୍ୟା କରିଦେଇଥିବା ଦେଖାଗଲା। ଏକଥା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟିକଲା। ସାମ୍ବାଦିକର ବିବରଣୀ ଉପରେ ‘ସତ୍ୟ ହୋଇଥିଲେ ସାଙ୍ଘାତିକ’ ଶୀରୋନାମାରେ ତମେ ଏକୁ ଛାପିଦେଲ। କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଥିଲେ। ସେ ମହିଳା ପ୍ରତି ସିପେହୀମାନେ ଅସଦାଚରଣ କରି ନ ଥିବା ଜଣା ପଡ଼ିବା ପରେ ତା’ର ପ୍ରତିବାଦାତ୍ମକ ସ୍ପଷ୍ଟିକରଣ ମଧ୍ୟ ତମେ ଛାପିଥିଲ। ମାତ୍ର ତିଳକୁ ତାଳ କଲାପରି ଏ ଘଟଣାକୁ ଗୁରୁତର କରି ତମ ନାମରେ ଗୁରୁତର ଦଫାରେ ମୋକଦ୍ଦମା କରାଗଲା, ଗିରଫ କରାଗଲା। ଆଜି ତ ଏ ଗିରଫ କଥା ଶୁଣିଲେ ଆମ ପଛ ପାଣି ହୋଇଯାଉଛି। କେମିତି ଜାମୀନିରେ ଖଲାସ ହେବୁ ସେ ଚିନ୍ତା ଘାରୁଛି। ଏ ଦେଶର ସୁଭାଗ୍ୟ, ସୁଭାଷ ବୋଷଙ୍କ ବଡ଼ ଭାଇ ସୁରେଶଚନ୍ଦ୍ର ବିଚାରପତି ଥା’ନ୍ତି। ତମକୁ ଜାମୀନ ଦରଖାସ୍ତ କରିବାକୁ ସେ କହିଲେ। କାରଣ ସେତେବେଳେ ବ୍ରାହ୍ମଣ ପରିବାରର ରକ୍ଷଣଶୀଳତା ଓ ଶୃଙ୍ଖଳା ବିଷୟରେ ସେ ଅବହିତ ଥିଲେ। ଥରେ ଜେଲ ଗଲେ ସମାଜରୁ ବାସନ୍ଦ ହେବାକୁ ହେଉଥିଲା, ତମର କିନ୍ତୁ ସମାଜକୁ ଡର ନ ଥିଲା। ସମାଜ ନାଁରେ ଅପସଂସ୍କୃତିକୁ ତମେ ବିରୋଧ କରୁଥିଲ। ସଂସ୍କାରାତ୍ମକ ଦୃଷ୍ଟିଭଙ୍ଗୀ ତମର ଚଲାବାଟ ଥିଲା। ତେବେ ତମେ ସମାଜ, ସାମାଜିକ ମୂଲ୍ୟବୋଧକୁ ଢେର ଖାତିର ଓ ସମ୍ମାନ ମଧ୍ୟ କରୁଥିଲ। ସେଇଥିପାଇଁ ଲେଖିଥିଲ ନା, “ରହିଣ ବିଷମ ଜଞ୍ଜାଳ ଜଗତେ, ସଂସାରୀ ସୋଦର ବାନ୍ଧବ ସଙ୍ଗତେ, ଇଚ୍ଛାମତେ କାହୁଁ ଚଳିବ ବା ଜନ ସମା​‌େ​‌ଜ ନିଜର ନୁହେଁ ନିଜ ମନ।” ତମେ ଗୋପବନ୍ଧୁ, କଂସ ବନ୍ଧୁ ନୁହଁ। ମାଜିଷ୍ଟ୍ରେଟଙ୍କୁ କହିଲ, “ଆମେ ସତ୍ୟାଗ୍ରହୀ, ଅସହଯୋଗୀ। ବ୍ରିଟିଶ ସରକାରଙ୍କ ଆଇନ ଉପରେ ଆମର ବିଶ୍ୱାସ ନାହିଁ, କି ଆମେ ଏକୁ ମାନୁନୁ, ଜାମୀନ ଦରଖାସ୍ତ କରିବୁନି।” ତମ ଦୃଢ଼ତା, ଦେଶପ୍ରାଣତାରେ ଦ୍ରବୀଭୁତ ଓ ଆଚମ୍ବିତ ହୋଇଗଲେ ମାଜିଷ୍ଟ୍ରେଟ ବୋଷ। ତମକୁ ଜେଲକୁ ପଠାଇବା ବ୍ୟତୀତ ତାଙ୍କର ଅନ୍ୟ ଗତି ନ ଥିଲା। ଲୋକେ କିନ୍ତୁ ତମକୁ ଜେଲ ଯିବାକୁ ଚାହୁଁ ନ ଥିଲେ। ତମ ପାଇଁ ଜାମୀନ ଦରଖାସ୍ତ ଓଜାଡ଼ି ହୋଇପଡ଼ିଲା। ମାତ୍ର ନିଜେ ଅଭିଯୁକ୍ତ ହିଁ ଜାମୀନ ଦରଖାସ୍ତ କରିବା ନିୟମ ଥିବାରୁ ତମକୁ ସେଦିନ ଜେଲ ଯିବାରୁ ନା’ ଜନତା ନା’ ମାଜିଷ୍ଟ୍ରେଟ ରକ୍ଷା କରି ପାରିଲେ। ଏମିତି ଦୃଢ଼ତା, ତ୍ୟାଗର ଉଦାହରଣ କାଇଁ ଆଜି? ଏ ମୋକଦ୍ଦମାର ରାଏ ପ୍ରକାଶ ଦିନ ତମକୁ ଅଦାଲତରେ ହାଜର କରାଯିବା କଥା। ସରକାରୀ କଳର ଚକ୍ରାନ୍ତ ସତ୍ତ୍ବେ, ତମେ ଖଲାସ ହେବାର ଆଶା ପ୍ରାୟ ସଭିଙ୍କଠି ଥାଏ। ହଜାର ହଜାର ଜନତା ଭିଡ଼ ଲଗେଇଲେ। ପୁଲିସ ଇନ୍‍ସ୍ପେକ୍ଟର ଏ ଜନତାଙ୍କୁ ଏଡ଼େଇବା ଆଦେଶ ଦେବାକୁ ମାଜିଷ୍ଟ୍ରେଟଙ୍କୁ କହିଲେ। ନଚେତ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବ। ମାଜିଷ୍ଟ୍ରେଟ ମନାକଲେ। ରାଏ ଅଦାଲତ ବାହାରେ ମୁକ୍ତାକାଶ ତଳେ ହେଲେ ଭିଡ଼ ଜନିତ ବିଶୃଙ୍ଖଳା ହେବ ନାହିଁ ମାଜିଷ୍ଟ୍ରେଟ କହି ରାଏ ଅଦାଲତ ବାହାରେ ଦେଲେ। ତମେ ଜେଲରୁ ବାହାରିଲା ବେଳେ ଜେଲର୍‍ ତମକୁ ଲୁଗାପଟା ନେଇ ଯିବାକୁ କହିଲେ। ତମେ ଲୁଗାପଟା ନେଲ ନାହିଁ। ସ୍ମିତ ହସି କହିଲ, “ଏବେ ଜଣେ ବିଚାରାଧିନ ବନ୍ଦୀ ଭାବେ ଯାଉଛି। ରାଏ ପରେ ପୂରା ବନ୍ଦି ଭାବେ ଫେରିବି। ଲୁଗାପଟା କାହିଁକି ନେବି?” ଲଢ଼େଇ ଜାହିର କରୁଥିବା ଏ ସ୍ୱଦେଶୀ ସୈନିକର ମୁକ୍ତି ଆଶା ଟିକିଏ ବି ମନକୁ ଅସ୍ଥିର ବା ଆନ୍ଦୋଳନ କରୁ ନ ଥିଲା। ଧନ୍ୟ ତମେ। ତମେ କିନ୍ତୁ ଖଲାସ ହେଲ। ମାଜିଷ୍ଟ୍ରେଟ ସମସ୍ତ ଚାପକୁ ଏଡ଼ଇଲେ ସିନା, ଇସ୍ତଫା ଦେଇଦେଲେ ଚାକେରୀରୁ। କାଇଁ ଆଉ ଏମିତି ଗୋଟିଏ ଉଦାହରଣ, ଅଭିଯୁକ୍ତକୁ ଖଲାସ କରି ବିଚାରପତି ଚାକେରୀରୁ ଇସ୍ତଫା ଦେବା ଘଟଣା?
‘ସମସ୍ୟା’ ତ ଏ ସୃଷ୍ଟି ବ୍ୟବସ୍ଥାର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟ। ମାତ୍ର ତାକୁ ମୁକାବିଲା କରିବା, ତା’ର ସମାଧାନ କରିବା ପଦ୍ଧତିରୁ ଜଣଙ୍କର କିସମ କଳି ହୋଇଯାଏ, ଜଣାପଡ଼ିଯାଏ। “କହନ୍ତି ଯେଡ଼େ, ନୁହଁନ୍ତି ତେଡ଼େ”। ଗୁରୁ ଗୋବିନ୍ଦସିଂହଙ୍କ ଦୁଇ ଶିଶୁପୁତ୍ରଙ୍କୁ ଜାମୀନ ରଖି ଆଉରଙ୍ଗଜେବ ଗୁରୁ ଗୋବିନ୍ଦସିଂହଙ୍କୁ ଖବର ଦେଲେ, ମୁସଲମାନ ଧର୍ମ ଗ୍ରହଣ କରିବ ତ ପୁଅଙ୍କୁ ମୁକ୍ତ କରାଯିବ, ନଚେତ୍‍ ପଥର ପାଚେରୀ ତାଙ୍କ ଉପରେ ଗଢ଼ିଦିଆଯିବ। ସମସ୍ତେ ସ୍ତବ୍ଧ ହୋଇଗଲେ। ଭୟ ଅସହାୟତାରେ ଶିଶୁଦ୍ୱୟଙ୍କ ପାଇଁ ସାରା ଜନତା ଅଶ୍ରୁ ବିଗଳିତ ହୋଇଗଲେ। ମାତ୍ର ଠୋ ଠୋ ହସିଲେ ଗୁରୁ ଗୋବିନ୍ଦ ସିଂହ। କହିଲେ ଆରେ ନିର୍ବୋଧ, ମୂର୍ଖ, “ଶୀର ଦେଙ୍ଗେ ସାର ନେହି ଦେଙ୍ଗେ”। ନିରାଶ ପିଲାଦି’ଟାଙ୍କୁ କ୍ରୁର ଆଉରଙ୍ଗଜେବ ପଥର ସମାଧି ଦେଇଦେଲେ। ସେତେବେଳେ ସେ ଦୁଇଭାଇଙ୍କ କଥାବାର୍ତ୍ତା ଐତିହାସିକ ବନିଯାଇଛି। ସେମିତି ସ୍ୱାଧୀନ ଭାରତର ଆଜିର ମନ୍ତ୍ରୀ, ସେକାଳ ବାଦଶା’ଙ୍କଠୁ ଦି’ହାତ ଉଚ୍ଚା। ତତ୍କାଳୀନ ମନ୍ତ୍ରୀ ମୁଫ୍‍ତି ମହମ୍ମଦଙ୍କ କନ୍ୟା ରୁବିଆଙ୍କୁ ଆତଙ୍କବାଦୀମାନେ ଅପହରଣ କରି ମୁଣ୍ଡ ଜାମିନୀ ରଖିଲେ। ମନ୍ତ୍ରୀ ଓ ବଉଁଶସାରା ରଡ଼ି ବୋବାଳି ପକେଇଲେ। ଏ ଦେଶର ଅପାର କ୍ଷତି ଘଟାଇଥିବା ଆତଙ୍କବାଦର ଏକ ଭୟାନକ ବୀଜ ସେକ୍‌ ଅବ୍‌ଦୁଲ୍ଲା ହମୀଦକୁ ଖଲାସ ପାଇଁ ଯେଉଁ କାପୁରୁଷ ଉଦ୍ୟମ ହେଲା ତା’ର ତୁଳନା କାହିଁ? ଏମାନେ କୁଆଡ଼େ ସବୁ ଦେଶସେବକ! ମାତ୍ର ତମ କ୍ଷେତ୍ରରେ ଏମିତି ସମସ୍ୟା ବାରମ୍ବାର ଆସିଛି। ‘ସମାଜ’ ଖବର କାଗଜ ଉତ୍‍ପିଡ଼ିତ ଜନତା ପାଇଁ। ଏକୁ ସରକାର ବନ୍ଦ କରିଦିଅନ୍ତୁ, ମାତ୍ର ସାଲିସ କାହିଁ? ବୋଲି ତମେ କହିଲ, ଜେଲ ଗଲ, ‘ସମାଜ’ ବି ଜବତ କେତେଥର ହୋଇଛି। ୟେ ତମର ସେଇ ଖବରକାଗଜ। ଏ ରାଇଜର ଲୋକ ତାକୁ ଏବେ ତାଙ୍କର ଗଣ୍ଠିଶଙ୍ଖାଳି କରିଛନ୍ତି। ଗରିବ ଜନତା, ଛାତ୍ରଛାତ୍ରୀ, ଅସହାୟ ରୋଗୀଙ୍କ ପାଇଁ ‘ସମାଜ’ର ଆୟ, ବ୍ୟୟ ହେବାର ବ୍ୟବସ୍ଥା, ଫତୁଆ ତମେ ଜାରୀ କରି ଯାଇଛ। ତମ ଉତ୍ତରାଧିକାରୀଙ୍କୁ ଏ’କୁ ନ ଦେଇ ଲୋକ ସେବକ ମଣ୍ଡଳକୁ ଏଇ ସର୍ତ୍ତରେ ‘ସମାଜ’ ଟେକିଦେଲ।
ତା’ରି ଶତବର୍ଷ ପାଳନ, ସ୍ୱନକ୍ଷେତ୍ର ଆଜି। ବାପ ତ ଜନ୍ମଦିନ ପାଳେ, ତମ ବିନା ତମ ଭାଇବିରାଦରମାନେ ଏକୁ ପାଳୁଛନ୍ତି। ତମ ‘ସମାଜ’-ବଗିଚାର ମାଳିଗୁଡ଼ା ବି ଲାଗିପଡ଼ିଛନ୍ତି ଜନତା ସହ ଏକୁ ଆହୁରି ପୁଷ୍ଟ ସଂସ୍କୃତିସମ୍ପନ୍ନ କରିବାକୁ। ବିଜ୍ଞାପନ ଏଥିରେ ଛପାଯାଉଛି, ମାତ୍ର ଅଶ୍ଳୀଳ, ନିଶାସମ୍ପୃକ୍ତ ବିଜ୍ଞାପନ ଯେତେ ଅର୍ଥ ପ୍ରଲୋଭନ ସତ୍ତ୍ବେ ଏଥିରେ ଛପା ଯାଉନି। ତମେ ତ ସ୍ୱର୍ଗରୁ କଟମଟ କରି ଚାହିଁଛ ଯେମିତି, କୋମଳ ହୃଦୟର ତମେ ଆଶିଷ ବି ଢାଳୁଛ ସେମିତି। ୟେ ତମକୁ ନିମନ୍ତ୍ରଣ ନୁହେଁ, ତମେ ତ ମୁରବୀ। ତମକୁ ତମ ଦେହଲଗା ଭୃତ୍ୟାନୁଗତ ଭୃତ୍ୟଙ୍କ ବିବରଣୀ କେମିତି ତମ ପିଲାର ଜନ୍ମୋତ୍ସବ ଆସର ଚାଲିଛି, କେମିତି ଉତ୍ସର୍ଗଭାବର ନବୀକରଣ ହେଉଛି।
ବରଷନ୍ତୁ ଆଶିଷ, ଆହୁରି ଆହୁରି, ଏତିକି ଅଳି, ପ୍ରାର୍ଥନା।
ତମ ‘ସମାଜ’ର ଦେହଲଗା ଦାସାନୁଦାସ ଭୃତ୍ୟଗଣ।

ନିରଞ୍ଜନ ରଥ

ପ୍ରକାଶକ ଓ ମୁଦ୍ରାକର, ‘ସମାଜ’ ତଥା
ରାଷ୍ଟ୍ରୀୟ ସଂପାଦକ, ଲୋକସେବକ ମଣ୍ଡଳ

Comments
Loading...