‘ସମାଜ’ ଶତାବ୍ଦୀ ଜାତୀୟ ଯୁବ ଶିବିର

ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

କଟକ : ଓଡ଼ିଶାର ସର୍ବପୁରାତନ ଦୈନିକ ସମ୍ବାଦପତ୍ର ‘ସମାଜ’ ଖବରକାଗଜର ଶତାବ୍ଦୀ ସମାରୋହ ଅବସରରେ ଆୟୋଜିତ ହେଉଥିବା ଜାତୀୟ ଯୁବ ଶିବିରର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଉପଲକ୍ଷେ ଆୟୋଜିତ ଏକ ପ୍ରସ୍ତୁତି ବୈଠକରେ ଆଜି ପୂର୍ବାହ୍ଣରେ ବିଶଦ ଆଲୋଚନା ହୋଇଯାଇଅଛି। କଟକ ଗୋପବନ୍ଧୁଭବନଠାରେ ଶିବିରର ଆବାହକ ଡ.ପ୍ରଭାସ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଜାତୀୟ ସେବା ଯୋଜନା, ଜାତୀୟ ଯୁବ ପ୍ରକଳ୍ପ, ‘ସମାଜ’ ରିଲିଫ୍‌ ସ୍ବେଚ୍ଛାସେବୀ, ମାରୱାଡ଼ି ମହିଳା ସମିତି, ସାହା ଆଦି ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଯୋଗ ଦେଇ ଶିବିରକୁ ସବୁମତେ ସଫଳ କରିବାକୁ ସେମାନଙ୍କର ପ୍ରସ୍ତାବ ରଖିଥିଲେ।
ଜାତୀୟ ସେବା ଯୋଜନାର ରାଜ୍ୟ ଅଧିକାରୀ ଡ.ସୁରେଖା ସୁନ୍ଦରୀ ସ୍ବାଇଁ ଓଡ଼ିଶାର ସଂସ୍କୃତି କିପରି ଭାବରେ ଅନ୍ୟମାନଙ୍କ ଆଗରେ ଉପସ୍ଥାପନ କରାଯାଇପାରିବ ସେ ଦିଗରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଜାତୀୟ ଯୁବ ପ୍ରକଳ୍ପ ଓଡ଼ିଶା ଆବାହକ ମଧୁସୂଦନ ଦାସ ଶୃଙ୍ଖଳା ଉପରେ ଗୁରୁତ୍ବାରୋପ କରିଥିଲେ। ଶିବିର ଆବାହକ ଡ. ଆଚାର୍ଯ୍ୟ ବିଭିନ୍ନ କମିଟି ମାଧ୍ୟମରେ ଦାୟିତ୍ବ ବଣ୍ଟନ କରିବା ସହିତ କିପରି ସମନ୍ବୟ ରକ୍ଷା କରି ଶିବିରକୁ ସଫଳ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର ଜେନା ଆତିଥେୟତା ଉପରେ ଗୁରୁତ୍ବାରୋପ କରିଥିଲେ। ‘ସମାଜ’ ରିଲିଫ କମିଟିର ସଦସ୍ୟ ଭବାନୀ ପ୍ରସାଦ ମିଶ୍ର, ମହେଶ ମଲ୍ଲ ଓ ଡ. ଅରୁନ୍ଧତୀ ଦେବୀ ପ୍ରମୁଖ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଶାନ୍ତ ଦାଶ, କୃଷକ ଲକ୍ଷ୍ମଣ ଦାଶ, ଶ୍ରୀକାନ୍ତ, ରିତୁ ମୋଡ଼ା, ପ୍ରକାଶ ମହାପାତ୍ର, ବିରଞ୍ଚି ମହାରଣା, ତୁଳସୀରାମ ଜଗତ୍‌, ଅଶୋକ ଦଳାଇ, ଶୀତାଞ୍ଜଳି ବେହୁରା, ଅମିତାଭ ଜେନା, ସତ୍ୟନାରାୟଣ ଦାଶ, ଭାନୁମତୀ ପଣ୍ଡା, ଅମୀୟ ସାହୁ, ପ୍ରଭାସ ମହାପାତ୍ର, ବିଷ୍ଣୁପ୍ରିୟା ବେହେରା ଏବଂ ଅନନ୍ୟା ସାହୁ ପ୍ରମୁଖ ବହୁ ସ୍ବେଚ୍ଛାସେବୀ ଓ ‘ସମାଜ’ର ଅଧିକାରୀ ଯୋଗ ଦେଇଥିଲେ।

Comments are closed.