ସମାଜ ରିଲିଫ କମିଟି ପକ୍ଷରୁ କମ୍ବଳ ବଣ୍ଟନ

ପିପିଲି:ସମାଜ ରିଲିଫ କମିଟି ପକ୍ଷରୁ ରବିବାର ପିପିଲି ପୌରାଞ୍ଚଳ ଓ ଦାଣ୍ଡମୁକୁନ୍ଦପୁର ଅଞ୍ଚଳର ଶହେ ଜଣ ଗରୀବ, ଅସହାୟ ଓ ଭୂମିହୀନ ପରିବାରକୁ କମ୍ବଳ ବଣ୍ଟନ କରାଯାଇଛି। ପିପିଲି ଏନ୍‍ଏସିର ଖଣ୍ଡିଆଗିରି ୱାର୍ଡର ପଦାସାହି, ମୁସଲିମ୍‍ ବସ୍ତିି, କେଳାସାହି, ଦଳିତ ବସ୍ତି, ସିରିଆପୁର ୱାର୍ଡର ବେଣ୍ଟପୋଖରୀ ଠାରେ ରାସ୍ତା କଡରେ ରହୁଥିବା ଭୂମିହୀନ ପରିବାରଙ୍କ ସମେତ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତର ଶଙ୍ଖମୁଣ୍ଡା ସାହିର ଶହେଜଣ ଗରୀବ ବ୍ୟକ୍ତିଙ୍କୁ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡ଼ ପ୍ରଭାସ ଆଚାର୍ଯ୍ୟ କମ୍ବଳ ବଣ୍ଟନ କରିଥିଲେ। ଜରିପାଲ ତଳେ ଅତି ଦୟନୀୟ ଅବସ୍ଥାରେ ବାସ କରୁଥିବା କେଳାସାହିର ୯ଟି ଭୂମିହୀନ ପରିବାରକୁ ଡ଼ ଆଚାର୍ଯ୍ୟ ଭେଟିବା ସହ ସେମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ।

ଏହି ଅବସରରେ ସେଠାରେ ଉପସ୍ଥିତ ଛୋଟଛୋଟ ପିଲାଙ୍କ ସହ ଡ.ଆଚାର୍ଯ୍ୟ କିଛି ସମୟ ଭାବବିନିମୟ କରିବା ସହ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଜଣେ ଭଲ ମଣିଷ ଓ ଦେଶସେବକ ଭାବେ ଗଢିତୋଳିବା ପାଇଁ ପରାମର୍ଶ ଦେଇଥିଲେ। ଏଥିରେ ପିପିଲିର ‘ସମାଜ’ ପ୍ରତିନିଧି ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ସମାଜସେବୀ ରଶ୍ମିତା ଦାସ, ଯୁବ ସମାଜସେବୀ ଗଙ୍ଗାଧର ନାୟକ, ପିପିଲି ମହୋତ୍ସବ କମିଟିର ସଂପାଦକ ଶଙ୍କର୍ଷଣ ପ୍ରଧାନ, ଶ୍ରୀଧର ନାୟକ ପ୍ରମୁଖ ସହଯୋଗ କରିଥିଲେ।

Comments are closed.