ରହସ୍ୟ ମଧ୍ୟରେ ମହାନଦୀ ଦ୍ୱିତୀୟ ସେତୁରୁ ମାଆ ଓ ଝିଅ ନିଖୋଜ ଘଟଣା

ପୁଲିସ ନିକଟକୁ ଅଜଣା କଲ ! ଥଳକୂଳ ପାଉ ନାହିଁ ପୁଲିସ

ସମ୍ବଲପୁର : ସମ୍ବଲପୁର ଦେଇ ଯାଇଥିବା ମହାନଦୀ ଉପରେ ନିର୍ମିତ ଦ୍ୱିତୀୟ ସେତୁ ଉପରୁ ସୋମବାର ଦିନ ସମୟରେ ଜଣେ ମହିଳା ତାଙ୍କର ୩ ବର୍ଷିୟ ଛୋଟ ଝିଅ ସହିତ ନିଖୋଜ ଘଟଣା ଦିନକୁ ଦିନ ଅଡୁଆ ହେବାରେ ଲାଗିଛି।

ବିଶ୍ୱସ୍ତସୂତ୍ରୁର ପ୍ରକାଶ ଯେ, ଏହି ଘଟଣାକୁ ନେଇ ପୁଲିସ ବିଭିନ୍ନ ଦିଗକୁ ଧ୍ୟାନରେ ରଖି ତନାଘନା ଚଳାଇଥିବା ବେଳେ ମହାନଦୀ ମଧ୍ୟରେ ବୁଧବାର ମଧ୍ୟ ଓଡ୍ରାଫ୍ଟ ଦଳ ନିଖୋଜ ମହିଳା ଓ ଶିଶୁକୁ ଖୋଜି ଖୋଜି ନୟାନ୍ତ ହୋଇଛନ୍ତି। ସୋମବାର ଅପରାହ୍ନ ସମୟରେ ମହିଳା (ପୂଜା ଅଗ୍ରୱାଲ) ଓ ତାଙ୍କର ଝିଅ (ମାନସୀ) ସ୍କୁଟିରେ (ପୋଲ ଉପରୁ ଜବତ ହୋଇଥିବା ସ୍କୁଟି) ଦ୍ୱିତୀୟ ସେତୁ ପଟକୁ ଯାଉଥିବାର ଦୃଶ୍ୟ କଚେରୀ ଛକରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଛି। ତେବେ କଚେରୀ ଛକରେ ଲାଗିଥିବା ସିସିଟିଭିର ରେଞ୍ଜ ଦ୍ୱିତୀୟ ସେତୁର ଆରମ୍ଭରେ ଲାଗିଥିବା ତାର ଜାଲି ପର୍ଯ୍ୟନ୍ତ ଥିବାରୁ ଆଗର ଦୃଶ୍ୟ କିଛି ସିସିଟିଭିରେ ଜଣାପଡୁ ନାହିଁ। ଏହା ସହିତ ମାଁ ଓ ଝିଅ କଚେରୀ ଛକରୁ ସେତୁ ପଟକୁ ଯିବାର ପରର ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ କୌଣସି ପ୍ରକାରର ସନ୍ଦିଗ୍ଧ ଗତିବିଧି କିମ୍ବା ଯାନବାହନ ଯାତାୟାତ କରି ନାହିଁ। ଏଣୁ ପୁଲିସ ମାଁ ଓ ଝିଅ ସେତୁ ଉପରୁ ବନ୍ୟା ଜଳରେ ପୂର୍ଣ୍ଣ ଗର୍ଭା ଥିବା ମହାନଦୀ ମଧ୍ୟକୁ ଡେଇଁ ଥିବାର ବିଷୟକୁ ପ୍ରାଥମିକତା ଦେଇ ମହାନଦୀ ମଧ୍ୟରେ ତିନି ଦିନ ହେବ ଖୋଜାଖୋଜି କରୁଛି। ଅନ୍ୟ ପଟରେ ପୁଲିସ ନିଖୋଜ ଥିବା ପୂଜାଙ୍କ ପରିବାର (ବାପ) ଓ ଶଶୁର ଘରର ଲୋକଙ୍କୁ ବାରମ୍ବାର ପଚରାଉଚୁରା କରି ଘଟଣାର ରହସ୍ୟ ଉନ୍ନମୋଚନ କରିବା ପାଇଁ ପ୍ରୟାସ କରୁଥିବା ବେଳେ ବୁଧବାର ପୁଲିସ ନିକଟକୁ ଏକ ଅଜଣା ଫୋନ କଲ ଆସିଛି। ଯାହା ପୁଲିସ କରିଥିବା ତଦନ୍ତର ମୋଡ ବଦଳାଇ ଦେଇଛି ବୋଲି ଜଣାପଡ଼ିଛି। ପୂର୍ବରୁ ହିଁ ଘଟଣାକୁ ନେଇ କରୁଥିବା ତଦନ୍ତରେ ପ୍ରତ୍ୟହ କିଛି ନା କିଛି ନୂତନ ତଥ୍ୟ ମିଳୁଥିବାରୁ ପୁଲିସ ତଦନ୍ତର ଦିଗ ନିର୍ଣ୍ଣୟ କରିବାକୁ ଥଳକୂଳ ପାଉ ନ ଥିବା ବେଳେ ଆଜି ଆସିଥିବା ଅଜଣା ଫୋନ କଲ ଅଡୁଆ ବଢ଼ାଇ ଦେଇଛି।

ଅନ୍ୟ ପଟରେ ବାରମ୍ବାର ଦୁର୍ଘଟଣା ଓ ଆତ୍ମହତ୍ୟାର କେନ୍ଦ୍ରସ୍ଥଳରେ ପରିଣତ ହୋଇ ସାରିଥିବା ଦ୍ୱିତୀୟ ସେତୁ ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ଅତିକମରେ ୬ଟି ସିସିଟିଭି ଲଗାଇବା ଯିବାର ଯୋଜନା କରୁଛି ବୋଲି ଜଣାପଡ଼ିଛି। ଏ ସର୍ମ୍ପକରେ ଜିଲା ଏସପି ଡା. କନୱର ବିଶାଳ ସିଂହ ପଚରାଯିବାରୁ ସେ କହିଛନ୍ତି ଯେ, ସେତୁ ଉପରେ ସିସିଟିଭି ଲଗାଇବା ପାଇଁ ବିଭିନ୍ନ ମହଲରୁ ପରାମର୍ଶ ମିଳିଛି। ଏଣୁ ପୁଲିସ ଏହି ପ୍ରସ୍ତାବ ଉପରେ ଗମ୍ଭୀରତାର ସହିତ ବିଚାର କରିବା ସହିତ ସେତୁ ଉପରେ ସିସିଟିଭି ଲଗାଇବା ପାଇଁ ନିଷ୍ପତ୍ତି ନେଇଛି ବୋଲି ଏସପି ଡା. ସିଂହ କହିଛନ୍ତି। ସୂଚନାଯୋଗ୍ୟ ଯେ, ସହରରେ ଟ୍ରାଫିକ ସମସ୍ୟାକୁ କମ କରିବା ସହିତ ଜନତାଙ୍କର ଗମନାଗମନର ସୁବିଧା ପାଇଁ ନିର୍ମିତ ଦ୍ୱିତୀୟ ସେତୁ ନିର୍ମାଣ ପୂର୍ବ ଓ ପର ଠାରୁ ହିଁ ବିଭିନ୍ନ ଅଘଟଣର ମୂକ ସାକ୍ଷୀ ହୋଇ ଛିଡା ରହିଛି। ସେତୁର ସୌନ୍ଦର୍ଯ୍ୟକରଣ ପାଇଁ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ କରାଯାଇ ରଙ୍ଗୀନ ଲାଇଟ ଓ ଆଖପାଖ ଅଞ୍ଚଳକୁ ସୁନ୍ଦରୀକରଣ କରାଯାଇଥିବା ବେଳେ ବାରମ୍ବାର ଅଘଟଣ ଘଟି ଚାଲିଥିବା ସେତୁ ଅଞ୍ଚଳକୁ ନଜର ରଖିବା ପାଇଁ ସିସିଟିଭି ଟିଏ ମଧ୍ୟ ଲଗାଯାଇ ନାହିଁ। ଯାହା ଫଳରେ ସଦ୍ୟ ନିଖୋଜ ମହିଳା ଓ ଶିଶୁର ମାମଲାକୁ ସମାଧାନ କରିବାରେ ପୁଲିସ ତିନି ଦିନ ହେବ ଅନ୍ଧାରରେ ବାଡି ବୁଲାଉଛି। ବାରମ୍ବାର ଅଘଟଣ ମାନ ଘଟିବା ପରେ ସେତୁର ଦୁଇ ପାର୍ଶ୍ବରେ ପହରା ଲଗାଯାଇଥିବା ବେଳେ ଦିନ ଦ୍ୱିହପର ଓ ବିଳମ୍ବିତ ରାତ୍ରିରେ ସବୁ ହୁଗୁଳା ରହୁଛି। ଆଉ ନିଖୋଜ ମାଁ ଓ ଝିଅ ଦିନ ଦ୍ୱିହପରରେ ହିଁ ସେତୁ ଉପରୁ ନିଖୋଜ ହୋଇଛନ୍ତି। ନିଖୋଜ ମହିଳା ଓ ଶିଶୁକୁ ଖୋଜିବା ପାଇଁ ଗୁରୁବାର ପୁନଃ ମହାନଦୀ ମଧ୍ୟରେ ପ୍ରୟାସ କରାଯିବାର ଯୋଜନା ରହିଥିବା ବେଳେ କିନ୍ତୁ ଏ ପର୍ଯ୍ୟନ୍ତ ପୁଲିସ ଏହି ମାମଲାକୁ କିଭଳି ସମାଧାନ କରିବ ତାହାର ଥଳକୂଳ ପାଇପାରୁ ନାହିଁ ବୋଲି ଜଣାପଡ଼ିଛି।

Comments are closed.