ଆଜି ଦେଶବିଦେଶର ସବୁ ଓଡ଼ିଆ ଗାଇବେ ‘ବନ୍ଦେ ଉତ୍କଳ ଜନନୀ’

ବନ୍ଦ ରହିବ ଟ୍ରାଫିକ

ଭୁବନେଶ୍ବର : ଆସନ୍ତାକାଲି (ଶନିବାର) ସନ୍ଧ୍ୟା ୫ଟା ୩୦ ମିନିଟରେ ଦେଶ ବିଦେଶର ସବୁ ଓଡ଼ିଆ ଭାଇଭଉଣୀଙ୍କୁ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। କୋଭିଡ଼ ଯୁଦ୍ଧରେ ନିଜର ସୁଖ ସ୍ବାଚ୍ଛନ୍ଦ୍ୟକୁ ଛାଡି ସଂକ୍ରମଣ ରୋକିବା ପାଇଁ ଦିନରାତି ଏକ କରିଦେଇଥିବା କରୋନା ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ମହତ କାର୍ଯ୍ୟକୁ ଉତ୍ସାହିତ କରିବା ପାଇଁ ଏଭଳି ଆହ୍ବାନ ଦିଆଯାଇଛି। ଓଡ଼ିଆ ଭାଇଭଉଣୀମାନେ ଦୁନିଆର ଯେଉଁଠାରେ ବି ଥା’ନ୍ତୁ ଠିଆ ହୋଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।


ଏହି ସମୟରେ ସବୁ ଟ୍ରାଫିକ ବନ୍ଦ ରଖିବାକୁ କୁହାଯାଇଛି। ସରକାରୀ-ବେସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ବିଲବାଡ଼ି, ଘର ବଜାର-ଯେଉଁଠାରେ ଥା’ନ୍ତୁ ନା କାହିଁକି, ଜନସାଧାରଣ ସମସ୍ତେ ନିଜ ନିଜ ସ୍ଥାନରେ ଠିଆ ହୋଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ଼ ଯୋଦ୍ଧାମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ପାଇଁ ନିବେଦନ କରାଯାଇଛି।

Comments are closed.