ନାମ ବଦଳାଇଲେ ଦବଙ୍ଗ ଖାନ୍

ବଲିଉଡର ସୁଲତାନ ଭାବେ ଜଣାଯାଉଥିବା ସଲମାନ୍ ଖାନ୍ ଇତିମଧ୍ୟରେ ନିଜ ନାମ ପରିବର୍ତ୍ତନ କରିଛନ୍ତି। ଟ୍ବିଟର୍‌ ଆକାଉଣ୍ଟରେ ସେ ନିଜର ନାମ ଚୁଲବୁଲ୍ ପାଣ୍ଡେ ନୂଆ କରି ରଖିଛନ୍ତି। ଏହି ନୂଆ ନାମ ସେ କିଛି ମାସ ପାଇଁ ରଖିଥିବାର ପ୍ରକାଶ। ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ ରେ ସେ ଚୁଲବୁଲ୍ ପାଣ୍ଡେ ଭୂମିକାରେ ଅବତୀର୍ଣ୍ଣ। ଏଣୁ ସଲମାନ୍ ଭାବେ ନୁହେଁ, ବରଂ ଚୁଲବୁଲ୍ ପାଣ୍ଡେ ଭାବେ ସେ ନିଜ ଆଗାମୀ ଚଳଚ୍ଚିତ୍ରର ପ୍ରଚାର କରିବେ ବୋଲି କହିଛନ୍ତି। ସଲମାନ୍‌ଙ୍କ ଜଣେ ଘନିଷ୍ଠ ବନ୍ଧୁ କହିଛନ୍ତି, ସାନ ଭାଇ ଅରବାଜ୍‌ର କ୍ୟାରିୟର ପାଇଁ ସେ ଖୁବ୍ ଚିନ୍ତିତ। ଅରବାଜ୍ ଏଇ ଚଳଚ୍ଚିତ୍ରର ପ୍ରଯୋଜନା ଦାୟିତ୍ବ ନେଇଥିବାବେଳେ ଅଭିନୟ ମଧ୍ୟ କରୁଛନ୍ତି। ଏହି ଚଳଚ୍ଚିତ୍ରଟି ଭଲ ବ୍ୟବସାୟ ଯେପରି କରୁ, ସେଥିପାଇଁ ସଲମାନ୍ ନିଜ ପାରୁପର୍ୟ୍ୟନ୍ତ ଚେଷ୍ଟା କରୁଛନ୍ତି। ଚଳଚ୍ଚିତ୍ରରେ ଅନ୍ୟତମ ମୁଖ୍ୟ ଭୂମିକାରେ ସୋନାକ୍ଷୀ ସିହ୍ନା ଦେଖାଦେବେ। ଏହାର ପୋଷ୍ଟପ୍ରଡକ୍ସନ୍ କାମ ଜୋର୍‌ସୋର୍‌ରେ ଚାଲିଥିବାବେଳେ ‘ଦବଙ୍ଗ-୩’ ଡିସେମ୍ବର ୨୦ରେ ମୁକ୍ତିଲାଭ ହେବାର ଯୋଜନା ରହିଛି। ଏକ ସାକ୍ଷାତକାର୍‌ରେ ସଲମାନ୍ କହିଛନ୍ତି, ଦବଙ୍ଗର ପ୍ରଥମ ଦୁଇଟି ଭାଗରେ ସେ ବିନୋଦ ଖାନ୍ନାଙ୍କ ପରି ଅଭିଜ୍ଞ ଓ ବରିଷ୍ଠ କଳାକାରଙ୍କ ସହ ଅଭିନୟ କରିବାର ସୁଯୋଗ ପାଇଥିଲେ। ତୃତୀୟ ଭାଗ କାମ ଆରମ୍ଭ ହେବା ବେଳକୁ ବିନୋଦ ସାର୍ ଆରପାରିକୁ ଚାଲିଯାଇଥିଲେ। ଦବଙ୍ଗର ପ୍ରଥମ ଦୁଇଟି ଭାଗ ସୁଟିଂ ସମୟରେ ସେ ବିନୋଦ ସାର୍‌ଙ୍କ ସହ ଖୁବ୍ ମଜା କରିଥିବାର କହିଛନ୍ତି ସଲମାନ୍।

Comments are closed.