ବିକାଶ ଓଗାଳିଛି ଶାଳନ୍ଦୀ ନଦୀ, ଦୁର୍ଦ୍ଦିନରେ ଗ୍ରାମବାସୀ

ଠାକୁରମୁଣ୍ଡା : ଶାଳନ୍ଦୀ ନଦୀ ସାଜିଛି ବିକାଶରେ ବାଧକ। ବର୍ଷ ବର୍ଷର ଦାବି ପ୍ରତି କାହାର ଧ୍ୟାନ ନାହିଁ। ଆଜି ପର୍ୟ୍ୟନ୍ତ ନିର୍ମାଣ ହୋଇପାରୁନି ନଦୀରେ ସେତୁ। ପ୍ରତି ବର୍ଷ ବର୍ଷା ଦିନେ ବିପଦ ସଂକୁଳ ସ୍ଥିତିରେ ଭରାନଦୀରେ ଯାତାୟାତ କରୁଛନ୍ତି। ରାସ୍ତା ଅଭାବରୁ ଏକପ୍ରକାର ଅଭିଶପ୍ତ ଜୀବନ ବିତାଉଛନ୍ତି ଗ୍ରାମବାସୀ। ରାଜ୍ୟ ଓ କେନ୍ଦ୍ର ସରକାର ଆଦିବାସୀ ମାନଙ୍କର ବିକାଶ ଓ ସେମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଏକ ସ୍ବତନ୍ତ୍ର ବିଭାଗ ମଧ୍ୟ ଗଠନ କରିଛନ୍ତି, ତଥାପି ଏମାନେ ଅବହେଳିତ ଆଉ ନିଷ୍ପେସିତ।

ଏଭଳି ଏକ ଗାଁ ଅଛି ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଚମ୍ପାଝର ପଞ୍ଚାୟତର ଡଙ୍ଗାଡିହା ଗାଁର ବଙ୍ଗାଳିସାହି, ଘୁଟୁସାହି ଓ ବଳସାହିର କଥା। ଏଠାରେ ୧୫୦୦ଶହରୁ ଅଧିକ ଲୋକ ବସବାସ କରୁଥିଲେ ମଧ୍ୟ ବିକାଶ କଣ ଜାଣି ପାରିଲେ ନାହିଁ । ଏହି ତିନୋଟି ସାହି ପାଇଁ ବିକାଶ ଏବେ ସାତ ସପନ। ଏମାନେ ସମସ୍ୟାରେ ଜର୍ଜରିତ, ଗ୍ରାମବାସୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ଓ ପାନୀୟଜଳ ଭଳି ମୌଳିକ ସମସ୍ୟାକୁ ପଚାରୁଛି କିଏ ?
ଗ୍ରାମବାସୀ ଗୁହାରି ଜଣାଇ ଜଣାଇ ନୟାନ୍ତ ହେଲେଣି ତଥାପି କୌଣସି କାର୍ଯ୍ୟ ତ୍ୱରାନ୍ୱିତ ହୋଇ ପାରୁନି। ଏହି ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରବାହିତ ଶାଳନ୍ଦୀ ନଦୀ ବିକାଶରେ ବାଧକ ସାଜିଛି । ଏଠାରୁ ବ୍ଲକ କାର୍ଯ୍ୟାଳୟ ୨୫ କିମିହୋଇଥିବା ବେଳେ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରୁ ୧୨ କିମି ଦୂରରେ ଅବସ୍ଥିତ ଏହି ଆଦିବାସୀ ଗାଁ । ଡଙ୍ଗାଡିହା ଗ୍ରାମର ଏହି ତିନି ସାହିରେ ୧୩୦ପରିବାର ବସବାସ କରନ୍ତି ଯାହାର ଲୋକସଂଖ୍ୟା ୧୫୦୦ରୁ ଅଧିକ। କେଉଁ ଆବାହମାନ କାଳରୁ ଜଙ୍ଗଲଜାତ ଦ୍ରବ୍ୟ ଓ ଚାଷବାସକରି ଜୀବିକା ନିର୍ବାହ କରି ଆସୁଛନ୍ତି ଏହି ଗାଁର ଲୋକେ । ଗାଁରେ ଆମ୍ବୁଲାନ୍ସ ସେବା କଣ ଜାଣିନାହାଁନ୍ତି । ଅସରାଏ ବର୍ଷା ହେଲେ ଶିମିଳିପାଳ ପାହାଡରୁ ଝରଣା ପାଣିରେ ନଦୀ ଫୁଲି ଉଠିଥାଏ । ବହୁ ସମୟରେ ବୃଦ୍ଧ, ବୃଦ୍ଧା ମାନେ ହାଟ ସାରି ଫେରିବା ସମୟରେ ବର୍ଷା ହେବା ଯୋଗୁଁ ନଦୀ ସ୍ରୋତରେ ଭାସି ଯାଇ ମୃତ୍ୟୁ ବରଣ କରିଥିବାର ଗ୍ରାମବାସୀ ଆମ ପ୍ରତିନିଧିଙ୍କ ପାଖରେ ପ୍ରକାଶ କରିଛନ୍ତି ।

ପ୍ରତେକ ମାସରେ ବାର୍ଦ୍ଧକ୍ୟ ଭତ୍ତା କିମ୍ବା ଅଙ୍ଗନଓ୍ବାଡିରୁ ମିଳୁଥିବା ସରକାରୀ ସହାୟତା ପାଇଁ ମା’ ଶିଶୁ ବିପଦ ସଂଙ୍କୁଳ ବାଉଁଶ ପୋଲରେ ଯିବା ଆସିବା କରୁଛନ୍ତି। ସେହିପରି ସ୍କୁଲର ଛାତ୍ରଛାତ୍ରୀ ମାନେ ମଧ୍ୟ ଏଇ ବାଉଁଶ ପୋଲକୁ ଭରଷା କରି ସ୍କୁଲ ଯିବା ଆସିବା କରୁଛନ୍ତି । ଏ ସମ୍ପର୍କରେ ସରକାରୀ ଅଧିକାରୀ ଓ ଲୋକ ପ୍ରତିନିଧିଙ୍କୁ ବାରମ୍ବାର ଗୁହାରି କରି ଥକି ଗଲେଣି ଗ୍ରାମବାସୀ ତଥାପି ବିକାଶ କଣ ଜାଣି ପାରିଲେ ନାହିଁ ଏଠାକାର ବାସିନ୍ଦା। ଏ ସମ୍ପର୍କରେ ଚମ୍ପାଝର ସରପଞ୍ଚ
ବିକ୍ରମ ପିଙ୍ଗୁଆ କହିଛନ୍ତି, ନିର୍ବାଚନ ବେଳେ ଏସବୁ ସମସ୍ୟା ବିଷୟରେ ଲୋକମାନେ ମତେ କହିଥିଲେ, ତେଣୁ ପ୍ରଥମେ ମୁଁ ଦୁଇଟି ନୂଳକୁଅ ଖେଳାଇ ଲୋକଙ୍କ ପିଇବା ପାଣି ବ୍ୟବସ୍ଥା କରିଛି। ଏତେବଡ ସେତୁ ପଞ୍ଚାୟତ ଦ୍ବାରା ସମ୍ଭବ ନୁହେଁ ତେଣୁ ଉପରସ୍ଥ ଅଧିକାରୀଙ୍କୁ ଜଣାଇଛି, ମୁ ମଧ୍ୟ ଆପଣମାନଙ୍କ ଜରିଆରେ ଦାବି କରୁଛି ।
ପୂର୍ବରୁ ଏଠାକାର ଲୋକେ ଭୋଟ ବର୍ଜନ କରିବାର ଧମକ ଦେବାପରେ କିଛି ସରକାରୀ ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ଖୁବ ଶୀଘ୍ର
ଏଠାରେ ସେତୁ ନିର୍ମାଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ହେଲେ ନିର୍ବାଚନ ସରିଗଲେ ଏମାଙ୍କୁ ପଚାରେ କିଏ ?  ଗ୍ରାମର ଲକ୍ଷଣ ହୋ, କୁସୁନୁ ଆଲାଦା, ଜଗନ୍ନାଥ ଆଲଦା, ରାନ୍ଦାଇ ସୋଏ, ନାଇବା ହୋ, ମାନ୍ଦାଇ ପିଙ୍ଗୁଆ, ଦୁଲୁମୁ ହୋ ଓ ଦୁଲୁମୁ ହୋ ପ୍ରମୁଖ ଗ୍ରାମବାସୀ ଅତି କ୍ଷୋଭର ସହିତ କହିଛନ୍ତି । ତେବେ ଦେଖିବା ପାଇଁ ବାକି ରହିଲା କେବେ ତିଆରି ହେଉଛି ଏଇ ତିନି ସା​‌ହିର ଗ୍ରାମବାସୀଙ୍କ ପାଇଁ ସେତୁ।

Comments are closed.