ରାଜ୍ୟ ଗୋଷ୍ଠୀ କ୍ରୀଡ଼ା : କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ସ୍ବର୍ଣ୍ଣ

ବର୍ଗିଂହାମ :  ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ କୁସ୍ତିରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ହାସଲ କରିଛି । ୬୨ କେଜି ବର୍ଗ ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ରିଓ ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜୟିନୀ ସାକ୍ଷୀ ମଲିକ ୬୨ କିଗ୍ରା ଫ୍ରିଷ୍ଟାଇଲ ବର୍ଗ ଫାଇନାଲରେ ସାକ୍ଷୀ କାନାଡାର ଆନା ଗୋଡ୍ଡିନେଜଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାକ୍ଷୀଙ୍କ ଏହା ପ୍ରଥମ ସ୍ବର୍ଣ୍ଣ ପଦକ। ଆନା ପ୍ରଥମ ୩ ମିନିଟ୍‌ରୁ ୪ ପଏଣ୍ଟ ପାଇ ଆଗରେ ରହିଥିଲେ। ୪ର୍ଥ ମିନିଟ୍‌ରେ ସାକ୍ଷୀ ଚମତ୍କାର କୁସ୍ତି କରି ଆନାଙ୍କୁ ସମ୍ପୂର୍ଣ୍ଣ ଭାବେ ପ୍ରତିହତ କରି ପୂର୍ଣ୍ଣ ପଏଣ୍ଟ ସହ ବିଜେତା ହୋଇଥିଲେ। ପୂର୍ବରୁ କ୍ବାର୍ଟର ଫାଇନାଲରେ ସାକ୍ଷୀ ମଲିକ ଇଂଲଣ୍ଡର କାଲସେ ବାର୍ନିସଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ସେମିଫାଇନାଲରେ ସାକ୍ଷୀ କାମେରୁନର ଇଷ୍ଟାନ ନୋଗେଲିଙ୍କୁ ୧୦-୦ରେ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲେ।ହରିୟାଣାର ରୋହତକରେ ଜନ୍ମିତ ସାକ୍ଷୀ ୨୦୧୬ ରିଓ ଅଲିମ୍ପିକ୍‌ସରେ ୫୮ କିଗ୍ରା ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ। ଏହାଛଡ଼ା ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଟ କ୍ରୀଡ଼ାରେ ରୌପ୍ୟ ଓ ୨୦୧୮ ଗୋଲଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କାଂସ୍ୟ ପଦକ ବିଜୟୀ ହୋଇଥିଲେ। ସାକ୍ଷୀ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

 

Comments are closed.