ସାକିବ୍‌ଙ୍କୁ ସ୍ବାଗତ ପାଇଁ ବାଂଲା ଦଳ ପ୍ରସ୍ତୁତ

ଢାକା: ଦୁର୍ନୀତି ଅଭିଯୋଗରେ କ୍ରିକେଟ୍‌ରୁ ବାସନ୍ଦ ହୋଇଥିଲେ ବାଂଲାଦେଶର ବରିଷ୍ଠ ଅଲ୍‌ରାଉଣ୍ଡର ସାକିବ୍ ଅଲ୍‌ ହାସନ୍। ତେବେ ଗୁରୁବାର ସାକିବ୍‌ଙ୍କ ବାସନ୍ଦ ଅବଧି ଶେଷହୋଇଛି। ତାଙ୍କୁ ସ୍ବାଗତ କରିବା ପାଇଁ ବାଂଲାଦେଶ ଦଳ ପ୍ରସ୍ତୁତ ରହିଛି। ଗତବର୍ଷ ଅକ୍ଟୋବର ୨୯ରେ ସାକିବ୍‌ଙ୍କୁ ବର୍ଷକ ଲାଗି ବାସନ୍ଦ କରିଥିଲା ଆଇସିସିର ଦୁର୍ନୀତି ନିରୋଧ ସଂସ୍ଥା। ତାଙ୍କୁ ଜଣେ ଭାରତୀୟ ବୁକି ଦୁର୍ନୀତି କରିବାକୁ ପ୍ରବର୍ତ୍ତାଇଥିଲେ ହେଁ ଏହା ସେ କାହାରିକୁ ଜଣାଇ ନଥିଲେ। ଫଳରେ ସେ ବର୍ଷେ ବାସନ୍ଦ ହୋଇଥିଲେ। ପରେ ସାକିବ୍ ତାଙ୍କ ଦୋଷ ସ୍ବୀକାର କରିଥିଲେ। ୩୩ ବର୍ଷ ବୟସ୍କ ସାକିବ୍ ଏବେ ପରିବାର ସଦସ୍ୟଙ୍କ ସହ ଆମେରିକାରେ ଛୁଟି କାଟୁଛନ୍ତି। ସପ୍ତାହେ ପରେ ସେ ବାଂଲାଦେଶ ଫେରିପାରନ୍ତି। ତାଙ୍କ ବାସନ୍ଦ ଅବଧି ସରିବା ପରେ ସାକିବ୍‌ଙ୍କୁ ଟ୍ବିଟର ଜରିଆରେ ସ୍ବାଗତ କରିଛନ୍ତି ଜାତୀୟ ଦଳରେ ତାଙ୍କର ସାଥୀ ଖେଳାଳିମାନେ।

Comments are closed.