କୃଷି ବିଜ୍ଞାନ କେନ୍ଦ୍ର, ପୁରୀର ସପ୍ତଦଶ ବୈଜ୍ଞାନିକ ପରାମର୍ଶଦାତା ମଣ୍ଡଳୀ ବୈଠକ

ସାକ୍ଷୀଗୋପାଳ :  କୃଷି ବିଜ୍ଞାନ କେନ୍ଦ୍ର, ପୁରୀ, ସାକ୍ଷୀଗୋପାଳ ପରିସର ଠାରେ କେନ୍ଦ୍ରର ସପ୍ତଦଶ ବୈଜ୍ଞାନିକ ପରାମର୍ଶଦାତା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପ୍ରାରମ୍ଭରେ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡା. ସଞ୍ଜୟ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ବୈଠକର ଆଭିମୁଖ୍ୟ ବିଷୟରେ ଗୃହକୁ ସୂଚନା ପ୍ରଦାନ କରିବା ପାଇଁ ଓୟୁଏଟି କୃଷି ସମ୍ପ୍ରସାରଣ ନିର୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରସଞ୍ଜିତ ମିଶ୍ରଙ୍କୁ ଅନୁରୋଧ କରିଥିଲେ। ସଭାପତିଙ୍କ ନିର୍ଦେଶ କ୍ରମେ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡା. ମହାନ୍ତି ପୂର୍ବବର୍ଷ ବୈଠକରେ ଆସିଥିବା ପରାମର୍ଶ ଅନୁଯାୟୀ ପୁରୀ କେ.ଭି.କେ. ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।
କାର୍ଯ୍ୟକ୍ରମ ଗୁଡିକ ଗୃହରେ ଉପସ୍ଥିତ ସଭ୍ୟସଭ୍ୟା ମାନଙ୍କ ଦ୍ୱାରା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ଏହା ପରେ ବରିଷ୍ଠ ବୈଜ୍ଞାନିକ ଡା. ମହାନ୍ତି କେନ୍ଦ୍ର ଦ୍ୱାରା କରାଯାଇଥିବା ବିଗତ ବର୍ଷ ରବି ୠତୁର କାର୍ଯ୍ୟକ୍ରମ, ୨୦୨୧-୨୨ ଆର୍ଥିକ ବର୍ଷର ସମସ୍ତ କାର୍ଯ୍ୟକ୍ରମ ଏବଂ ଆଗାମୀ ୨୦୨୨-୨୩ ବର୍ଷରେ  ହେବାକୁ ଥିବା କାର୍ଯ୍ୟକ୍ରମ ଗୁଡ଼ିକୁ ଉପସ୍ଥାପନ କରିଥିଲେ। ଭାରତୀୟ କୃଷି ଗବେଷଣା ପରିଷଦ – ଆଟାରୀ, କଲିକତାର ପ୍ରମୂଖ ବୈଜ୍ଞାନିକ ଡା. ଅଭିଜିତ ହାଲଦାର କୃଷି ବିଜ୍ଞାନ କେନ୍ଦ୍ର ପୁରୀ ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମ ଗୁଡିକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମୀ ଦିନ ରେ ଏହି କେନ୍ଦ୍ର କୁ ଏକ କୃଷି ପର୍ଯ୍ୟଟନ ଭିତିକ କେନ୍ଦ୍ର ଭାବେ ଗଢି ତୋଳିବା ପାଇଁ କେନ୍ଦ୍ର ରେ ଉପସ୍ଥିତ ବୈଜ୍ଞାନିକ ମାନଙ୍କୁ ପରାମର୍ଶ ଦେଇଥିଲେ।
ପ୍ରଫେସର ପ୍ରସଂଞ୍ଜିତ ମିଶ୍ର , କୃଷି ବିଜ୍ଞନ କେନ୍ଦ୍ର , ପୁରୀ ଚଳିତ ବର୍ଷ ଓୟୁଏଟି ର ଶ୍ରେଷ୍ଠ କେନ୍ଦ୍ର ଭାବେ ବିବେଚିତ ହୋଇଛି ବୋଲି ଗୃହ କୁ ଅବଗତ କରାଇଥିଲେ। କେନ୍ଦ୍ର ଏହାର ଲୋକାଭିମୁଖୀ କାର୍ଯ୍ୟକ୍ରମ ଗୁଡିକୁ ଆହୁରି ବ୍ୟାପକ କରି ସାରା ଭାରତ ବର୍ଷ ରେ ସୁନାମ ଆଣୁ ବୋଲି ଆଶାବ୍ୟକ୍ତ କରିଥିଲେ।
ଓୟୁଏଟି, ଭୁବନେଶ୍ୱର ସହକାରୀ ଗବେଷଣା ନିର୍ଦେଶକ ପ୍ରଫେସର ଚିନ୍ତାମଣି ଖଣ୍ଡା କହିଥଲେ , ପୁରୀ କୃଷି ବିଜ୍ଞାନ କେନ୍ଦ୍ର ଅଧିକ ରୁ ଅଧିକ ନୂତନ ଜ୍ଞାନ କୌଶଳ ଗୁଡିକୁ ସୃଜନାତ୍ମକ ଶୈଳୀରେ ଚାଷୀ ଙ୍କ ନିକଟ ରେ ପହଞ୍ଚାଉ ଯଦ୍ୱାରା କି ଜିଲ୍ଲାରେ କୃଷି ର ସାମଗ୍ରିକ ବୃଦ୍ଧିରେ ଏହା ସହାୟକ ହେବ। ବୈଠକରେ ପୁରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀଯୁକ୍ତ ରମେଶଚନ୍ଦ୍ର ରାୟ, ଜିଲ୍ଲା ଉଦ୍ୟାନ ବିଭାଗର ଅତିରିକ୍ତ ନିର୍ଦେଶକ ଅଜୟ କୁମାର ପ୍ରଧାନ , ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଜି ନରେଶ କୁମାର , ପୁରୀ ଜିଲ୍ଲା ର ମତ୍ସ୍ୟ ବିଭାଗ ର ଉପନିର୍ଦେଶକ କୁଅଁର ମାରାଣ୍ଡି, ଜଳଛାୟା ପ୍ରକଳ୍ପ ର ନିର୍ଦେଶକ ଦାମୋଦର ପାଣିଗ୍ରାହୀ ଓ ଚାଷୀ ପ୍ରତିନିଧିମାନେ ଏବଂ ଅନ୍ୟାନ୍ୟ ବିଭାଗ ର ଅଧିକାରୀ ମାନେ ସଭା ରେ ଉପସ୍ଥିତ ରହି କୃଷି ବିଜ୍ଞାନ କେନ୍ଦ୍ର ଉଦେଶ୍ୟ ରେ କିପରି ଆଗାମୀ ଦିନରେ ଆହୁରି ଭଲ କାମ କରି ହେବ , ସେମାନଙ୍କର ମତ ରଖିଥିଲେ। କୃଷି ବିଜ୍ଞାନ କେନ୍ଦ୍ର ର ଡ଼ା ଅମ୍ବିକା ପ୍ରସାଦ ନାୟକ, ନିଭା ମହାପାତ୍ର, ସୁମିତା ଆଚାର୍ଯ୍ୟ , ଡ଼ା ଦୀପସିକା ପରଂଜିତା,  ସୋନିତା ରାଣୀ ସେଠି, ବିଭୁତି ପ୍ରସାଦ ଦାଶ, ପୁଷ୍ପାଞ୍ଜଳି ମିଶ୍ର, ମଧୁସ୍ମିତା ସାହୂ, ଚନ୍ଦନା ମହାପାତ୍ର ଏବଂ ଅନ୍ୟ କାର୍ଯ୍ୟକର୍ତାଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ପୁରୀ କୃଷି ବିଜ୍ଞାନ କେନ୍ଦ୍ର ଆଜି ସଫଳତା ର ସହ ବୈଠକ ସଂପନ୍ନ କରିଛି ଏବଂ ବହୁ ପ୍ରଶଂସା ର ପାତ୍ର ହୋଇଛି।

Comments are closed.