ସାକ୍ଷୀଗୋପାଳ ରେଳ ଓଭର ବ୍ରିଜ ସ୍ଥାନାନ୍ତର ନିମନ୍ତେ ସାକ୍ଷୀଗୋପାଳ ବଡ଼ ବଜାର ବ୍ୟବସାୟୀ ସଂଘ ତରଫରୁ ଦାବି

ସାକ୍ଷୀଗୋପାଳ: ଆସନ୍ତା ୨୯ ତାରିଖ ଦିନ ସାକ୍ଷୀଗୋପାଳ ବଜାରରେ ରେଳ ଓଭର ବ୍ରିଜ ନିର୍ମାଣ ନିମନ୍ତେ ପ୍ରଶାସନ ତରଫରୁ ଆବଶ୍ୟକ ଜମି ସୀମା ଚି଼ହ୍ନଟ କରାଯିବ। ଏହି ଘଟଣା ଜଣା ପଡିବା ପରେ ସାକ୍ଷୀଗୋପାଳ ବଡ଼ ବଜାର ବ୍ୟବସାୟୀ ସଂଘ ତରଫରୁ ଏକ ଜରୁରୀ ବୈଠକ ଆଜି ଅପରାହ୍ନରେ ସ୍ଥାନୀୟ ମା ମଉନେଇଁ ଠାକୁରାଣୀଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପ୍ରସ୍ତାବିତ ରେଳ ଓଭର ବ୍ରିଜ ସ୍ଥାନାନ୍ତର ନିମନ୍ତେ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଥିଲା।  ସାକ୍ଷୀଗୋପାଳ ବଡ଼ ବଜାର ବ୍ୟବସାୟୀ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡିଶା ଓ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଦାବୀ ପତ୍ର ଓ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ, ନୂଆଦିଲ୍ଲୀଙ୍କ ଇଜିଲାସରେ ବିଚାରାଧୀନ ଥିବା ମୋକଦ୍ଦମା ସମ୍ପର୍କିତ ନଥିପତ୍ର ଆସନ୍ତା ୨୫ ତାରିଖ ଦିନ ଜିଲ୍ଲାପାଳ, ପୁରୀଙ୍କୁ ପ୍ରଦାନ କରାଯିବ। ୨୮ ତାରିଖ ଦିନ ବ୍ୟବସାୟୀ ସଂଘ ତରଫରୁ ସତ୍ୟବାଦୀ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବ। ୨୯ତାରିଖ ଦିନ ଅଳଗୁମ ଅଟୋ ଷ୍ଟାଣ୍ଡ ନିକଟରେ ବ୍ୟବସାୟୀ ମାନଙ୍କ ତରଫରୁ ଗଣଧାରଣା ଦିଆଯିବ।

 

ଏହି ବୈଠକରେ ସଭାପତି ବୀରେନ୍ଦ୍ର ଭୂଷଣ ହୋତା, ଉପସଭାପତି ଶଙ୍କର ପ୍ରଧାନ, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ, ସହ ସମ୍ପାଦକ ବିଷ୍ଣୁ ପ୍ରସାଦ ମିଶ୍ର, ପୂର୍ବତନ ସରପଞ୍ଚ ଦେବ ମହାପାତ୍ର ଓ ଆଇନଜୀବୀ ବିନୟ  ନୃସିଂହ ମହାପାତ୍ରଙ୍କ ସମେତ ଶତାଧିକ ବ୍ୟବସାୟୀ ଯୋଗ ଦେଇଥିଲେ।

Comments are closed.