ପଶ୍ଚିମବଙ୍ଗ ପୁଲିସ ଗାଡି ଧକ୍କାରେ ମହିଳା ମୃତ

ସାକ୍ଷୀଗୋପାଳ: ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସତ୍ୟବାଦୀ ଥାନା ଅନ୍ତର୍ଗତ ସତ୍ୟବାଦୀ ବ୍ଲକ ଛକ ନିକଟସ୍ଥ ବାଟ ମହାବୀର ମନ୍ଦିର ସମ୍ମୁଖରେ ଆଜି ଅପରାହ୍ନ ୫ଟା ସମୟରେ ପଶ୍ଚିମ ବଙ୍ଗ ପୋଲିସ ଗାଡି ଧକ୍କାରେ ଜନୈକା ମହିଳାଙ୍କର ମୃତ୍ୟୁ ଘଟିଛି। ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀର ରାମଚନ୍ଦ୍ର ପୁର ପଞ୍ଚାୟତର ତାଳପଡ଼ା ଗ୍ରାମର ଲିଟି ସ୍ୱାଇଁ (୩୨) ରାଜପଥ ପାର୍ଶ୍ୱରେ ଇ-ଶ୍ରମ ପଞ୍ଜିକରଣ ନିମନ୍ତେ ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟକୁ ଚାଲିକରି ଯାଉଥିଲେ। ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ପଶ୍ଚିମବଙ୍ଗ ରାଜ୍ୟର ପୁଲିସ ଗାଡି WB -02-AR -2002 ତାଙ୍କୁ ରାଜପଥ ଉପରେ ଧକ୍କା ଦେଇଥିଲା। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସତ୍ୟବାଦୀ ପୋଲିସ ଶବଟିକୁ ଜବତ କରି ପୁରୀ ପଠାଇଛନ୍ତି। ଆସନ୍ତା କାଲି ଶବର ପଞ୍ଚନାମା ଓ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି।

ମୃତା ମହିଳାଙ୍କର ଘରେ ରୋଗୀଣା ସ୍ୱାମୀ, ବୃଦ୍ଧା ଶାଶୁ ଓ ୧୨ ବର୍ଷର ଶିଶୁ ପୁତ୍ର ରହିଛନ୍ତି। ଏହି ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବା ନିମନ୍ତେ ସାଧାରଣରେ ମତ ପ୍ରକାଶ ପାଇଛି। ସତ୍ୟବାଦୀ ପୁଲିସ ଦୁର୍ଘଟଣାଗ୍ରସ୍ତ ଯାନଟିକୁ ଜବତ କରିଛି। ୩ ଜଣ ଅଟକ ଅଛନ୍ତି। ତଦନ୍ତ ଚାଲୁ ରହିଛି।

Comments are closed.