ଶଯ୍ୟାଶାୟୀ ମେଧାବୀ ଛାତ୍ର – ପାଠ ପଢାରେ ଡୋରୀ

ବଙ୍ଗୋମୁଣ୍ଡା : ସେ ଜଣେ ମେଧାବୀ ଛାତ୍ର । ବଲାଙ୍ଗୀର ଜିଲା ଡିଏଭି କଲେଜ କଳା ବିଭାଗର ତୃତୀୟ ବର୍ଷ ଛାତ୍ର । ଆଶା ଥିଲା ପାଠ ପଢି ଚାକିରି କରି ପରିବାର ର ଆର୍ଥିକ ସମସ୍ୟା ଦୂର କରିବେ ହେଲେ ବିଧିର ବିଧାନ ଥିଲା ଆଉ କିଛି । ମୂହୁର୍ତ୍ତକେ ବଦଳିଗଲା ସବୁକିଛି। ବିଦ୍ୟୁତ ସଂସ୍ପର୍ଶରେ ଆସି ମାସାଧିକ କାଳ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଅର୍ଥ ଅଭାବରୁ ଏବେ ଶଯ୍ୟାଶାୟୀ ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ଗାଁର ହରି ରଣା ଙ୍କ ପୁଅ ଗଣେଶ ରଣା (୨୧)।

ଗତ ବର୍ଷ ସେପ୍ଟେମ୍ବର ୩୦ ତାରିଖରେ କୌଣସି କାରଣ ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ଗଣେଶ। ପରେ ତାଙ୍କୁ ଉଦ୍ଧାର କରି ପରିବାର ଲୋକେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରିଥିଲେ। ମାସାଧିକ କାଳ ଡାକ୍ତରଖାନରେ ଚିକିତ୍ସା କରିଥିଲେ ମଧ୍ୟ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସି ନଥିଲା। ଏବେ ଘରେ ଶଯ୍ୟାଶାୟୀ ହୋଇ ପଡିରହିଛନ୍ତି ସେ। ସ୍ୱାସ୍ଥ୍ୟ ବୀମା କାର୍ଡ ଥିଲେ ମଧ୍ୟ ଚିକିତ୍ସା ସମୟରେ ତାହା କାମରେ ଆସିନଥିଲା । ପୁଅର ଚିକିତ୍ସା ପାଇଁ ଧାର ଉଧାର କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ସଂପୂର୍ଣ୍ଣ ଭଲ ହୋଇନାହାନ୍ତି ଗଣେଶ। ଚିକିତ୍ସା ପାଇଁ ପରିବାର ଲୋକଙ୍କ ପାଖରେ ଆଉ ସମ୍ବଳ ମଧ୍ୟ ନାହିଁ। ଚିକିତ୍ସା ପାଇଁ କୌଣସି ସରକାରୀ ସୁବିଧା ମଧ୍ୟ ପାଇ ନଥିବା ବେଳେ ଏହି ଗରିବ ପରିବାର ଲୋକେ ସରକାରୀ ଯୋଜନା ରୁ ମଧ୍ୟ ବଞ୍ôଚତ ରହିଥିବା ଜଣାପଡିଛି। ବର୍ତ୍ତମାନ ଗଣେଶ ଚାଲି ବୁଲି ପାରୁନଥିବା ବେଳେ ବିଛଣା ହିଁ ଏକମାତ୍ର ସାହାରା। ପରିବାର ଲୋକେ ନିଜ ସାମର୍ଥ୍ୟ ଅନୁସାରେ ଚିକିତ୍ସା କରିଥିବା ବେଳେ ଗରିବ ଶ୍ରେଣୀର ହୋଇ ଥିବାରୁ ଆଉ ଅଧିକ ଚିକିତ୍ସା କରି ପାରୁନାହାନ୍ତି। ଏବେ ଚିକିତ୍ସା ପାଇଁ ଏକମାତ୍ର ବିକଳ୍ପ ସରକାରୀ ସହାୟତା। ଚିକିତ୍ସା ପାଇଁ ସରକାରୀ ସହାୟତା ଯୋଗାଇ ଦେବା ସହିତ ଗଣେଶଙ୍କୁ ବିକଳାଙ୍ଗ ଭତ୍ତା ଏବଂ ସରକାରୀ ଘର ଖଣ୍ଡେ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments are closed.