ପୁଲୱାମା ଆକ୍ରମଣର ପ୍ରତିଶୋଧ; କାର ଯୋଗାଇଥିବା ଜୈଶ କମାଣ୍ଡର ସଜ୍ଜାଦ ଭଟ୍ଟ ନିହତ

ଶ୍ରୀନଗର: ଫେବୃୟାରୀ ୧୪ ପୁଲୱାମା ଆକ୍ରମଣର ୪ମାସ ପରେ ଭାରତୀୟ ସେନା ପ୍ରତିଶୋଧ ପୂରା କରିଛି। ଆକ୍ରମଣରେ ସମ୍ପୃକ୍ତ ଅନ୍ୟ ଆତଙ୍କୀବାନେ ଯବାନଙ୍କ ଗୁଳିରେ ନିହତ ହୋଇସାରିଥିବାବେଳେ ବିସ୍ଫୋରଣ ପାଇଁ କାର ଯୋଗାଇଥିବା ଆତଙ୍କବାଦୀ ସାଜିଦ ଭଟ୍ଟ ମଙ୍ଗଳବାର ପ୍ରାଣ ହରାଇଛି। ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲାରେ ହୋଇଥିବା ଏନକାଉଣ୍ଟରରେ ନିହତ ୨ ଆତଙ୍କୀଙ୍କ ମଧ୍ୟରେ ସାଜିଦ ରହିଛି। ସେ ଜୈଶ ଆତଙ୍କବାଦୀ ସଂଗଠନର କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା। ଏହା ସହିତ ଗତ ୧୭ ତାରିଖରେ ପୁଲୱାମାରେ ସେନାର ଗାଡ଼ି ଉପରକୁ ହୋଇଥିବା ଆଇଇଡି ବିସ୍ଫୋରଣର ମାଷ୍ଟରମାଇଣ୍ଡକୁ ମଧ୍ୟ ଯବାନମାନେ ନିପାତ କରିଛନ୍ତି।

ଗତ ଫେବୃୟାରୀ ୧୪ରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ଶହୀଦ ହୋଇଥିଲେ। ଏହି ଆକ୍ରମଣରେ ବ୍ୟବହାର ହୋଇଥିବା କାର ସାଜିଦଙ୍କର ବୋଲି ଜଣାପଡ଼ିଥିଲା। ସେବେଠାରୁ ପୁଲିସ ଏବଂ ସେନା ସାଜିଦଙ୍କୁ ଖୋଜୁଥିଲା। ଅନନ୍ତନାଗର ୱାଘମ ଗାଁରେ ମଙ୍ଗଳବାର ଭୋର ସମୟରେ ଆତଙ୍କବାଦୀ ଏବଂ ଯବାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ନିହତଙ୍କ ମଧ୍ୟରେ ସାଜି ରହିଥିବା ସୂଚନା ମିଳିଛି।

Comments are closed.