ଫସଲବୀମା ସହାୟତା ରାଶି ପ୍ରଦାନରେ ଅନିୟମିତତା, ତହସିଲ କାର୍ଯ୍ୟାଳୟ ଘେରାଉ କଲେ ଝିକିଡ଼ୁଙ୍ଗୁରୀ ପଞ୍ଚାୟତବାସୀ

ସଇନ୍ତଲା:ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଚାଷୀ ମାନଙ୍କୁ ବୀମାରାଶି ପ୍ରଦାନରେ ବ୍ୟାପକ ଅନିୟମିତତା ପ୍ରତିବାଦରେ ସଇନ୍ତଲା ବ୍ଳକ ଝିକିଡ଼ୁଙ୍ଗୁରୀ ପଞ୍ଚାୟତର ଚାଷୀମାନେ ସରପଞ୍ଚ ବଜରଙ୍ଗ ଜୈନଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ କୁ ଆସି ଧାରଣା ଦେବା ସହ ତହସିଲଦାର ସୁମନ କିଶୋର ଡ଼ୁଙ୍ଗଡ଼ୁଙ୍ଗଙ୍କୁ ୨ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଧାରଣାରେ ଚାଷୀମାନଙ୍କ ସହ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ସାମିଲ ହୋଇ ଚାଷୀ ମାରଣ ନୀତିକୁ ତୀବ୍ର ନିନ୍ଦା କରିବା ସହ ଚାଷୀ ଭାଇଭଉଣୀ ମାନଙ୍କ ହକ୍ ପାଇଁ ସର୍ବଦା ଲଢ଼େଇ ଜାରୀ ରହିବ ବୋଲି ମତବ୍ୟକ୍ତ କରିଥିଲେ। ସୂଚନାମତେ ୨୦୧୯ ମସିହାରେ ଉକ୍ତ ପଞ୍ଚାୟତର ଚାଷୀମାନେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ରୋୟାଲ ସୁନ୍ଦରମ୍ ନାମକ ଏକ ବୀମା କମ୍ପାନୀରେ ନିଜର କୃଷିବୀମା କରିଥିଲେ। ସମସ୍ତ ତଥ୍ୟ ଠିକ୍ ଥିଲେ ସୁଦ୍ଧା ଉକ୍ତ କମ୍ପାନୀ ସରକାରୀ ନିୟମକୁ ଉଲଂଘନ କରି ନିଜ ଅନୁସାରେ ଚାଷୀ ମାନଙ୍କୁ ବୀମାରାଶି ପ୍ରଦାନ କରୁଛି ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି । ଏଣୁ ଯଥାଶୀଘ୍ର ଉକ୍ତ ବୀମା କମ୍ପାନୀ କେନ୍ଦ୍ରସରକାରଙ୍କ ନିର୍ଦ୍ଧାରିତ ନିୟମାବଳୀ ଅନୁଯାୟୀ ତୁରନ୍ତ ବୀମାରାଶି ପ୍ରଦାନ କମା ନ ଗଲେ ଏବଂ ଉକ୍ତ ଦାବିର ପୁର୍ନବିଚାର କରାନଗଲେ ପଞ୍ଚାୟତବାସୀ ଉକ୍ତ ବୀମା କମ୍ପାନୀ ବିରୋଧରେ ଜନ ଆନ୍ଦୋଳନ କରିବାସହ ରାଜରାସ୍ତାକୁ ଓହ୍ଲାଇବାପାଇଁ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମିତିସଭ୍ୟ ଅନନ୍ତ କାଲସାଏ,ଦିପକ ଅଗ୍ରୱାଲ,ବ୍ଳକ କଂଗ୍ରେସ ସଭାପତି ଗୁଣସାଗର ମାଝୀ,ଶଙ୍କର ମାଝୀ,ପ୍ରକାଶ ବଗର୍ତ୍ତୀ,ଗଙ୍ଗାଧର ଠାକୁର,ଦେବରାଜ ପ୍ରଧାନ,ସାମନ୍ତ ପ୍ରଧାନୀଙ୍କ ସମେତ ବହୁତ ଚାଷୀ ଉପସ୍ଥିତ ଥିଲେ।

Comments are closed.