ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସଇଁନ୍ତଲା: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅଧିନସ୍ଥ କୁଟୁରାମୁଣ୍ଡା ଗାଁ ମହୁଲପଡ଼ା ନିକଟରେ ଥିବା କେନ୍ଦୁବାହାଲୀର ଏକ ଗଛରୁ ବୁଧବାର ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ସଇଁନ୍ତଲା ପୁଲିସ। କଳାହାଣ୍ଡି ଜିଲ୍ଲା ବୁଢ଼ୀପଦର ଗାଁର ସାବେତ୍ରୀ ଭୋଇ ତୁଷୁରା କଲେଜରେ ଛାତ୍ରୀ ଭାବେ ପାଠ ପଢ଼ୁଥିଲେ। ସେ କଲେଜରୁ ପାଠପଢା ସାରିବା ପରେ କମ୍ପ୍ୟୁଟର କ୍ଳାସ କରୁଥିଲେ। ଗତକାଲି ଯୁବତୀ ଜଣକ କଲେଜ ସରିବା ପରେ ଘରକୁ ଯାଇନଥିଲେ। ପରେ ପରିବାର ଲୋକେ ଝିଅ ଘରକୁ ନଫେରିବାରୁ ବ୍ୟସ୍ତ ହୋଇ ତାଙ୍କୁ ଖୋଜାଖୋଜି କରିଥିଲେ, ହେଲେ ଯୁବତୀଙ୍କ ସନ୍ଧାନ ପାଇନଥିଲେ। ଆଜି ପାଖାପାଖି ଦିନ ୧୧ଟା ସମୟରେ ସଇଁତଲା ଥାନା ଅଧିନସ୍ଥ କୁଟୁରାମୁଣ୍ଡା ଗାଁର ମହୁଳପଡା ନିକଟରେ ଥିବା କେନ୍ଦୁବାହାଲିରେ ଏକ ଗଛରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ସ୍ଥାନୀୟ ଲୋକେ। ଏନେଇ ସେମାନେ ସଇଁନ୍ତଲା ପୁଲିସକୁ ଖବର ଦେଇଥିଲେ। ସଇଁତଲା ଥାନା ଅଧିକାରୀ ଅବନୀ ସାହୁ ଖବର ପାଇ ସଦଳବଳ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ତୁଷୁରା ଡାକ୍ତରଖାନାକୁ ପଠାଇ ଦେଇଥିବା ଜଣାପଡିଛି।

Comments are closed.