ଏକାଠି ହେବେ ଦୁଇ ଯୋଡି ସାଇନା-କଶ୍ୟପ

0

ହାଇଦରାବାଦ : ବହୁତଦିନ ଧରି ସେମାନଙ୍କ ସମ୍ପର୍କକୁ ଲୁଚାଇବା ପରେ ଭାରତୀୟ ବ୍ୟାଡ୍‍ମିଣ୍ଟନର ଦୁଇ ନାମୀ ତାରକା ସାଇନା ନେହୱାଲ ଓ ପାରୁପଲ୍ଲି କଶ୍ୟପ ଶେଷରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଡିସେମ୍ବର ୧୬ରେ ସାଇନା-କଶ୍ୟପ ବାହାଘର ହାଇଦରାବାଦରେ ଅନୁଷ୍ଠିତ ହେବ ବୋଲି ଉଭୟ ପରିବାରଙ୍କ ଘନିଷ୍ଠ ସୂତ୍ରରୁ ପ୍ରକାଶ। ତେବେ ବିବାହ ଉତ୍ସବରେ କେବଳ ଅତି ନିକଟତର ବ୍ୟକ୍ତିଙ୍କୁ ଡକାଯିବ। ଅତିବେଶିରେ ୧୦୦ ଜଣ ବିବାହ ଉତ୍ସବରେ ଉପସ୍ଥିତ ରହିବେ। ତେବେ ଡିସେମ୍ବର ୨୧ରେ ଆଡ଼ମ୍ବରପୂର୍ଣ୍ଣ ବିବାହଭୋଜି ଆୟୋଜନ କରାଯାଇଛି। ଉଭୟ ସାଇନା ଓ କଶ୍ୟପଙ୍କ ପରିବାର ଡିସେମ୍ବର ୧୬ରେ ବିବାହ ଉତ୍ସବ ପାଇଁ ଆୟୋଜନରେ ଲାଗି ପଡ଼ିଛନ୍ତି।
୨୮ ବର୍ଷ ବୟସ୍କା ସାଇନା ନେହୱାଲ ଓ ୩୨ ବର୍ଷ ବୟସ୍କ ପାରୁପଲ୍ଲି କଶ୍ୟପଙ୍କ ମଧ୍ୟରେ ବହୁବର୍ଷ ହେଲା ପ୍ରେମସମ୍ପର୍କ ଥିଲେ ହେଁ ଦୁହେଁ ଏହାକୁ ଲୁଚାଇ ରଖିଥିଲେ। ୨୦୦୫ରେ ସାଇନା ଓ କଶ୍ୟପ ଏକ ସମୟରେ ପୁଲୈଲା ଗୋପୀଚାନ୍ଦ ଏକାଡେମୀରେ ବ୍ୟାଡ୍‍ମିଣ୍ଟନ ତାଲିମ ପାଇଁ ଯୋଗ ଦେଇଥିଲେ। ସେତେବେଳେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା। ଦୁହେଁ ପରସ୍ପରଙ୍କ ଅଭ୍ୟାସ ଯୋଡ଼ି ଥିଲେ। ତେବେ ୨୦୧୨ ଲଣ୍ଡନ ଅଲିମ୍ପିକ୍‍ସ ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ତେବେ ଏହା ପଦାକୁ ଆସିନଥିଲା। ୨୦୧୪ରେ ବିମଳ କୁମାରଙ୍କ ଏକାଡେମୀରେ ଅଭ୍ୟାସ କରିବା ଲାଗି ସାଇନା ବାଙ୍ଗାଲୋର ଯିବା ପରେ କଶ୍ୟପଙ୍କ ସହ ତାଙ୍କର ସମ୍ପର୍କ ଛିନ୍ନ ହୋଇଯିବ ବୋଲି ଆଲୋଚନା ହୋଇଥିଲା। ହେଲେ କଶ୍ୟପ ନିୟମିତ ଭାବେ ବାଙ୍ଗାଲୋର ଯାଇ ସାଇନାଙ୍କୁ ଭେଟୁଥିଲେ। ପରେ କଶ୍ୟପଙ୍କ ଯୋଗୁଁ ସେ ପୁଣି ଗୋପୀଚାନ୍ଦ ଏକାଡେମୀକୁ ଫେରିଥିଲେ। ଚଳିତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିବା ପରେ ଏହାର ଶ୍ରେୟ କଶ୍ୟପଙ୍କୁ ଦେଇଥିଲେ ସାଇନା। ପୂରା ପ୍ରତିଯୋଗିତାରେ କଶ୍ୟପ ତାଙ୍କୁ ଉତ୍ସାହିତ କରିଥିଲେ ବୋଲି ସାଇନା କହିଥିଲେ। ପରେ ସାମାଜିକ ଗଣମାଧ୍ୟମରେ କଶ୍ୟପଙ୍କ ସହ ତାଙ୍କର ବହୁ ଫଟୋ ସାଇନା ଛାଡ଼ିଥିଲେ। ପରେ କ୍ରୀଡ଼ାଦୁନିଆ ଉଭୟଙ୍କ ସମ୍ପର୍କ ନେଇ ଜାଣି ପାରିଥିଲା। ଭାରତୀୟ ବ୍ୟାଡ୍‍ମିଣ୍ଟନ ଇତିହାସରେ ଅନ୍ୟତମ ଶ୍ରେଷ୍ଠ ଖେଳାଳି ସାଇନା ନେହୱାଲ ଅଦ୍ୟାବଧି ୨୦ଟି ବିଶ୍ୱସ୍ତରୀୟ ଟାଇଟଲ ଜିତିବା ସହ ଅଲିମ୍ପିକ୍‍ସ ବ୍ରୋଞ୍ଜ୍‍ ଓ ବିଶ୍ୱ ଚମ୍ପିଆନ୍‍ସିପ୍‍ ରୌପ୍ୟପଦକ ଜିତିଛନ୍ତି। ସାଇନା ବିଶ୍ୱର ପୂର୍ବତନ ୧ନଂ ଖେଳାଳି। କଶ୍ୟପ ମଧ୍ୟ ଜଣେ ଭଲ ଖେଳାଳି ଏବଂ ଏକଦା ତାଙ୍କ ସିଙ୍ଗଲ୍‍ସ ମାନ୍ୟତା ୬ନଂ ଥିଲା। ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କଶ୍ୟପ ସ୍ୱର୍ଣ୍ଣପଦକ ଜିତିଥିଲେ।
ଭାରତୀୟ ବ୍ୟାଡ୍‍ମିଣ୍ଟନରେ ଦୁଇ ଆନ୍ତର୍ଜାତିକ ଖେଳାଳି ବିବାହ ବନ୍ଧନରେ ଆବଦ୍ଧ ହେବା ନୂଆ କଥା ନୁହେଁ। ପୂର୍ବରୁ ବ୍ୟାଡ୍‍ମିଣ୍ଟନ ଯୋଡ଼ି ମଧୁମିତା ଗୋସ୍ୱାମୀ-ବିକ୍ରମ ସିଂହ ବିସ୍ତ୍‍ ଓ ସୟଦ୍‍ ମୋଦି-ଅମିତା କୁଲକର୍ଣ୍ଣୀ ବିବାହ କରିଥିଲେ। କେବଳ ଭାରତ ନୁହେଁ; ବିଦେଶରେ ମଧ୍ୟ ଦୁଇ ବ୍ୟାଡ୍‍ମିଣ୍ଟନ ଖେଳାଳି ବିବାହ କରିବାର ନଜିର ରହିଛି। ଇଣ୍ଡୋନେସିଆର ସୁସି ସୁଶାନ୍ତି-ଆଲାନ୍‍ ବୁଡିକୁସୁମ, ଚୀନ୍‍ର ଲିନ୍‍ ଡାନ୍‍-ଜିଏ ଜିଙ୍ଗ୍‍ଫାଙ୍ଗ୍‍, ବ୍ରିଟେନ୍‍ର କ୍ରିସ୍‍-ଗାବି ଆଡକ୍‍ ପ୍ରଭୃତି ବିବାହ କରିଛନ୍ତି। ପୁଣି ଆମଦେଶରେ ଦୁଇ କ୍ରୀଡ଼ାବିତ୍‍ ଜୀବନସାଥୀ ପାଲଟିଛନ୍ତି। ସେମାନଙ୍କ ମଧ୍ୟରେ ପ୍ରମୁଖ ହେଲେ ଦିନେଶ କାର୍ତ୍ତିକ ଓ ଦୀପିକା ପାଲ୍ଲିକଲ, ଈଶାନ୍ତ ଶର୍ମା-ପ୍ରତିମା ସିଂହ, ଗୀତା ଫୋଗତ୍‍-ପବନ କୁମାର ଏବଂ ସାକ୍ଷୀ ମଲ୍ଲିକ-ସତ୍ୟବ୍ରତ କାଦିଆଁ।

Leave A Reply