ସାଇନାଙ୍କୁ ବ୍ରୋଞ୍ଜ; ସିନ୍ଧୁ ଫାଇନାଲରେ

0

ଜାକର୍ତ୍ତା : ଭାରତର ପିଭି ସିନ୍ଧୁ ଚଳିତ ଏସୀୟ କ୍ରୀଡାର ମହିଳା ବ୍ୟାଡମିଣ୍ଟନ ଇଭେଣ୍ଟରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ମହିଳା ସିଙ୍ଗଲ୍‍ସ ସେମିଫାଇନାଲରେ ପରାସ୍ତ ହେବାରୁ ସାଇନା ନେହୱାଲଙ୍କୁ ବ୍ରୋଞ୍ଜପଦକରେ ସନ୍ତୁଷ୍ଟ ହେବାକୁ ପଡିଛି। ସୂଚନାଯୋଗ୍ୟ, ଏସୀୟ କ୍ରୀଡାର ବ୍ୟାଡମିଣ୍ଟନ ଫାଇନାଲକୁ ଉନ୍ନୀତ ହେବାରେ ସିନ୍ଧୁ ପ୍ରଥମ ଭାରତୀୟ ଖେଳାଳି। ମଙ୍ଗଳବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ସିନ୍ଧୁ ବିଶ୍ୱର ୧ ନମ୍ବର ଖେଳାଳି ଚାଇନିଜ୍‍ ତାଇପେର ତାଇ ଜୁ ୟିଙ୍ଗ୍‍ଙ୍କୁ ଭେଟିବେ। ସୋମବାର ମହିଳା ସିଙ୍ଗଲ୍‍ସ ସେମିଫାଇନାଲରେ ୩ୟ ସିଡ୍‍ ସିନ୍ଧୁ ୨୧-୧୭, ୧୫-୨୧, ୨୧-୧୦ ଗେମରେ ବିଶ୍ୱର ୨ ନମ୍ବର ଖେଳାଳି ଜାପାନର ଆକାନେ ୟାମାଗୁଚିଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୬ ମିନିଟ ଧରି ଚାଲିଥିଲା। ପ୍ରଥମ ଗେମରେ ସିନ୍ଧୁ ୧୭-୧୨ ପଏଣ୍ଟରେ ଆଗୁଆ ରହିଥିଲେ ସୁଦ୍ଧା ୟାମାଗୁଚି କ୍ରମାଗତ ତିନି ପଏଣ୍ଟ ହାସଲ କରି ଏହି ବ୍ୟବଧାନ ୧୭-୧୫କୁ ହ୍ରାସ କରିଥିଲେ। ତେବେ ସିନ୍ଧୁ ଏହି ଗେମକୁ ୨୧-୧୭ରେ ଜିତି ୧-୦ରେ ଆଗୁଆ ରହିଥିଲେ। ୨ୟ ଗେମ ପ୍ରାରମ୍ଭରେ ସିନ୍ଧୁ ଏକାଧିକ ତ୍ରୁଟି ଦର୍ଶାଇଥିଲେ ସୁଦ୍ଧା ମଧ୍ୟାନ୍ତର ସୁଦ୍ଧା ୟାମାଗୁଚି ୧୧-୧୦ ପଏଣ୍ଟରେ ଆଗୁଆ ରହିଥିଲେ। ବିରତି ପରେ ୟାମାଗୁଚି ଚମତ୍କାର ପ୍ରଦର୍ଶନ ଜାରି ରଖି ଗୋଟିଏ ପରେ ଗୋଟିଏ ପଏଣ୍ଟ ହାତେଇ ନେଇଥିଲେ। ଏହି ଗେମରେ ୟାମାଗୁଚିଙ୍କ ସାତଟି ସଟ୍‍ ନେଟ୍‍ରେ ବାଜି ଅପରପାର୍ଶ୍ବରେ ପଡିଥିଲା। ୟାମାଗୁଚି ଏହି ଗେମକୁ ୨୧-୧୫ରେ ଜିତି ମ୍ୟାଚକୁ ୧-୧ ସ୍ଥିତିକୁ ଆଣିଥିଲେ। ନିର୍ଣ୍ଣାୟକ ୩ୟ ଗେମରେ ସିନ୍ଧୁ ମଧ୍ୟାନ୍ତର ସୁଦ୍ଧା ୧୧-୭ ପଏଣ୍ଟରେ ଆଗୁଆ ରହିଥିଲେ। କ୍ଲାନ୍ତ ହୋଇ ପଡିଥିବା ୟାମାଗୁଚି ସିନ୍ଧୁଙ୍କ ଲମ୍ବା ରାଲିର ମୁକାବିଲା କରିବାରେ ଅସମର୍ଥ ହୋଇଥିଲେ। ଏହି ଗେମରେ ୟାମାଗୁଚି ଆଉ ତିନି ପଏଣ୍ଟ ହାସଲ କରିଥିଲେ ସୁଦ୍ଧା ସିନ୍ଧୁ ୨୧-୧୦ରେ ବିଜୟୀ ହୋଇ ଫାଇନାଲରେ ପହଞ୍ଚିଥିଲେ। ସୂଚନାଯୋଗ୍ୟ; ଚଳିତବର୍ଷ ବିଶ୍ୱ ବ୍ୟାଡମିଣ୍ଟନ ଚମ୍ପିଆନସିପ୍‍ ସେମିଫାଇନାଲରେ ମଧ୍ୟ ସିନ୍ଧୁ ୟାମାଗୁଚିଙ୍କୁ ପରାସ୍ତ କରିଥିଲେ।
ଅପରପକ୍ଷରେ ଅନ୍ୟ ସେମିଫାଇନାଲରେ ଚାଇନିଜ୍‍ ତାଇପେର ତାଇ ଜୁ ୟିଙ୍ଗ୍‍ ସିଧାସଳଖ ୨୧-୧୭, ୨୧-୧୪ ଗେମରେ ସାଇନା ନେହୱାଲଙ୍କୁ ପରାସ୍ତ କରିଛନ୍ତି। ଏହି ମୁକାବିଲା ୩୬ ମିନିଟ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଗେମରେ ସାଇନା ଏକଦା ୧୫-୧୬ ପଏଣ୍ଟ ପର୍ଯ୍ୟନ୍ତ ସଂଘର୍ଷ ଜାରି ରଖିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ୟିଙ୍ଗ୍‍ଙ୍କ ମୁକାବିଲା କରିବାରେ ବିଫଳ ହୋଇଥିଲେ। ୨ୟ ଗେମରେ ୟିଙ୍ଗ୍‍ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ୟିଙ୍ଗ୍‍ ଏକଦା ୫-୧ ପଏଣ୍ଟରେ ଆଗୁଆ ରହିଥିଲେ। ସାଇନା ଏହି ବ୍ୟବଧାନକୁ ହ୍ରାସ କରିବା ସହ ଏକଦା ୧୩-୧୨ ପଏଣ୍ଟରେ ଆଗୁଆ ରହିଥିଲେ। ତେବେ ଏହି ଗେମ ୧୫-୧୪ ପଏଣ୍ଟ ସ୍ଥିତିରେ ଥିବାବେଳେ ୟିଙ୍ଗ୍‍ କ୍ରମାଗତ ୬ ପଏଣ୍ଟ ହାସଲ କରି ଗେମକୁ ୨୧-୧୪ରେ ହାତେଇ ନେଇଥିଲେ।

 

Leave A Reply