ପିଏମ୍‌ଓର ସବୁଜ ସଙ୍କେତ ! : ବିକ୍ରି ହେବ ୩ ରାଷ୍ଟ୍ରାୟତ୍ତ ଷ୍ଟିଲ୍‌ ପ୍ଲାଣ୍ଟ

ରାଉରକେଲା : ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌) ଅଧୀନରେ ଥିବା ତିନିଟି ଇସ୍ପାତ କାରଖାନା ଘରୋଇକରଣ ବା ବିକ୍ରି ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ଏ ନେଇ ସବୁଜ ସଙ୍କେତ ମିଳିବା ସୂଚନା ପ୍ରସାରିତ ହେବାପରେ ସେଲ୍‌ କର୍ମଚାରୀଙ୍କ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ବିଭିନ୍ନ ଟ୍ରେଡ ୟୁନିୟନ ପକ୍ଷରୁ ଏଭଳି ଘରୋଇକରଣ ନେଇ କିଛିବର୍ଷ ତଳୁ ଆଶଙ୍କା କରାଯାଉଥିବା ବେଳେ ଏବେ ଏହା ସତ୍ୟରେ ପରିଣତ ହେବାକୁ ଯାଉଛି। ତେବେ, ଏହି ବିକ୍ରି ବା ଘରୋଇକରଣକୁ ତୀବ୍ର ବିରୋଧ କରାଯିବା ବୋଲି ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ କୁହାଯାଇଛି।
‘ସେଲ୍‌’ ଅଧୀନରେ ଥିବା ତିନିଟି ଇସ୍ପାତ କାରଖାନା ଘରୋଇକରଣ ବା ବିକ୍ରି ହେବାକୁ ଯାଉଛି। ଏହି କାରଖାନା ଗୁଡ଼ିକ ହେଲା, ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ଥିବା ଆଲୟ ଷ୍ଟିଲ ପ୍ଲା୍‌ଣ୍ଟ,ତାମିଲନାଡୁର ସାଲେମ ଷ୍ଟିଲ ପ୍ଲାଣ୍ଟ ଏବଂ କର୍ଣ୍ଣାଟକର ଭଦ୍ରାବତୀ ଠାରେ ଥିବା ବିଶ୍ୱେଶ୍ୱାରାୟ ଆଇରନ୍‌ ଆଣ୍ଡ ଷ୍ଟିଲ ପ୍ଲାଣ୍ଟ। କ୍ରମାଗତ କ୍ଷତିରେ ଚାଲୁଥିବାରୁ ବିକ୍ରି ବା ଘରୋଇକରଣ ହିଁ ଏକମାତ୍ର ବିକଳ୍ପ ଭାବେ ସରକାର ମନେ କରୁଛନ୍ତି। ତେଣୁ ଏହି କାରଖାନା ଗୁଡ଼ିକରୁ ଯଥାଶୀଘ୍ର ପୁଞ୍ଜିପ୍ରତ୍ୟାହାର ପାଇଁ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଦୀପମ୍‌ (ଡିପାର୍ଟମେଣ୍ଟ ଅଫ୍‌ ଇନଭେଷ୍ଟମେଣ୍ଟ ଆଣ୍ଡ ପବ୍ଲିକ ଆସେଟ୍‌ ମେନେଜମେଣ୍ଟ)କୁ ନିର୍ଦ୍ଦେଶ ଦିଆଯାଇଛି। ଦୁଇଟି ପର୍ଯ୍ୟାୟର ନିଲାମ ଆଧାରରେ ଏହି ପ୍ଲାଣ୍ଟ ଗୁଡ଼ିକୁ ବିକ୍ରି କରାଯିବା ଲକ୍ଷ୍ୟ ରଖାଯାଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଇସ୍ପାତ ବଜାରରେ ପୁଣି ଧୀରେ ଧୀରେ ଅଭିବୃଦ୍ଧି ହେଉଥିବାରୁ ଏହି ପ୍ଲାଣ୍ଟ ଗୁଡ଼ିକ ଭଲ ମୂଲ୍ୟରେ ଯିବାନେଇ ଆଶାପ୍ରକଟ କରାଯାଇଛି। ଜେଏସ୍‌ଡବ୍ଲ୍ରୁ ଷ୍ଟିଲ, ବେଦାନ୍ତ, ଟାଟା ଷ୍ଟିଲ ଓ ଅର୍ସେଲର୍‌ ମିତ୍ତଲ ଭଳି କମ୍ପାନୀ ଏହି ପ୍ଳାଣ୍ଟ ଗୁଡ଼ିକ ଉପରେ ନଜର ରଖିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଦୁର୍ଗାପୁରର ଠାରେ ଥିବା ଆଲୟ ପ୍ଲାଣ୍ଟ ଏକ ପୁରୁଣା ରାଷ୍ଟ୍ରାୟତ୍ତ ପ୍ଲାଣ୍ଟ ହୋଇଥିବା ବେଳେ ଭଦ୍ରାବତୀରେ ଥିବା ପ୍ଲାଣ୍ଟଟି ଏମ.ବିଶ୍ୱେଶ୍ୱାରାୟ ନାମକ ମଇଶୂର ରାଜାଙ୍କ ଜଣେ ଦୀୱାନ୍‌ଙ୍କ ଦ୍ୱାରା ୧୯୨୩ରେ ମଇଶୂର ଆଇରନ୍‌ ୱାର୍କସ୍‌ ନାମରେ ଆରମ୍ଭ ହେବାପରେ ୧୯୯୭ ମସିହାରେ ସେଲ୍‌ ଏହାକୁ ଅଧିଗ୍ରହଣ କରିଥିଲା। ଏହାପରେ ବିଶ୍ୱେଶ୍ୱାରାୟ ଆୟରନ୍‌ ଆଣ୍ଡ ଷ୍ଟିଲ ଲିମିଟେଡ଼ ଭଦ୍ରାବତୀ ନାମରେ ଏହା ଚାଲିଥିଲା। ଏହି ପ୍ଲାଣ୍ଟରେ ମୁଖ୍ୟତଃ ଆଲୟ ଷ୍ଟିଲ ଓ ପିଗ୍‌ ଆଇରନ୍‌ ଉତ୍ପାଦିତ ହୋଇଥାଏ।
ସେହିପରି ସାଲେମ ଷ୍ଟିଲ ପ୍ଲାଣ୍ଟ ମଧ୍ୟ ଏକ ପୁରୁଣା ପ୍ଲାଣ୍ଟ ଯାହା ଉଚ୍ଚ ମାନର ଷ୍ଟେନଲେସ୍‌ ଷ୍ଟିଲ୍‌ ଉତ୍ପାଦନ କରିଥାଏ। ଅତୀତରେ ଷ୍ଟିଲ ବାସନବର୍ତ୍ତନ କ୍ଷେତ୍ରରେ ଏହି ସାଲେମ ଷ୍ଟିଲ ଘରେ ଘରେ ପରିଚିତ ଥିଲା। ଏହି ତିନି ଇସ୍ପାତ କାରଖାନାକୁ ବିକ୍ରି କରି କେନ୍ଦ୍ର ସରକାର ୨୦୧୯ ସୁଦ୍ଧା ୮୦ହଜାର କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ହାସଲ କରିବା ଯୋଜନାରେ ରହିଥିବା ଖବର ମିଳିଛି। ଏବେ ସେଲ୍‌ର ଆର୍ଥିକ ବୋଝ ପ୍ରାୟ ୪୫ହଜାର କୋଟି ଟପିଥିବା ବେଳେ ସେଲ୍‌ ପକ୍ଷରୁ କେତେକ ପ୍ଲାଣ୍ଟର ଆଧୁନିକୀକରଣ ଏବଂ ନୂତନ ଲାଭକାରୀ ୟୁନିଟ୍‌ ସ୍ଥାପନ ଯୋଜନା କରାଯାଉଥିବା ପରିପ୍ରେକ୍ଷୀରେ ଏହି ତିିନି ପ୍ଲାଣ୍ଟର ବିକ୍ରି ସେଲ୍‌ ପାଇଁ ସହାୟକ ହେବ ବୋଲି ଆଶା ରଖାଯାଇଛି। ପୁଞ୍ଜି ପ୍ରତ୍ୟାହାର ତଥା ମାତ୍ରାଧିକ କ୍ଷତିକାରୀ ୟୁନିଟ୍‌ ଗୁଡ଼ିକୁ ଘରୋଇକରଣ କରିବା ସକାଶେ ପୂର୍ବରୁ ନୀତିଆୟୋଗର ଉପାଧ୍ୟକ୍ଷ ମଧ୍ୟ ସୁପାରିଶ କରିଥିଲେ। ଏବେ ତିନିଟି ପ୍ଲାଣ୍ଟର ବିକ୍ରିନେଇ ପ୍ରଧାନମନ୍ତ୍ରୀଙ୍କ ଦପ୍ତର (ପିଏମ୍‌ଓ)ରୁ ସବୁଜ ସଙ୍କେତ ମିଳିଥିବା ଖବର ପ୍ରଚାରିତ ହେବାପରେ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ମହଲରେ ମଧ୍ୟ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି। ତିନି ପ୍ଲାଣ୍ଟର ଘରୋଇକରଣକୁ ଦେଶବ୍ୟାପୀ ବିରୋଧ କରାଯିବା ସମ୍ଭାବନା ଥିବା ବେଳେ ସରକାର ନିଜ ନିଷ୍ପତ୍ତିରେ ଅଟଳ ରହିବେ ନା ଚାପ ପରେ ନିଷ୍ପତ୍ତି ପରିବର୍ତ୍ତନ କରିବେ, ତାହା ଦେଖିବାକୁ ବାକି ରହିଛି। ତେଣେ ଆସନ୍ତା ୧୬ ତାରିଖ ଏହି ପ୍ରସଙ୍ଗରେ ଏକ ଉଚ୍ଚସ୍ତରୀୟ ବୈଠକ ବସୁଥିବା ମଧ୍ୟ ଖବର ମିଳିଛି। ଏପଟେ ସିଆଇଟିୟୁର ରାଷ୍ଟ୍ରୀୟ ଉପ ସଭାପତି ବିଷ୍ଣୁ ମହାନ୍ତି ଏହି ଘରୋଇ କରଣକୁ ତୀବ୍ର ବିରୋଧ କରାଯିବାକୁ ପ୍ରସ୍ତୁତି ବୈଠକ ଡକା ସରିଥିବା କହିଛନ୍ତି। ଏଭଳି ଘରୋଇକରଣ ହେଲେ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ଭାରତୀୟ ମଜଦୁର ସଂଘ ସହବନ୍ଧିତ ତଥା ରାଷ୍ଟ୍ରାୟତ୍ତ ଇସ୍ପାତ କ୍ଷେତ୍ରର ପ୍ରଥମ ଓ ଏକମାତ୍ର ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘର ସାଧାରଣ ସମ୍ପାଦକ ହିମାଂଶୁ ବଳ କହିଛନ୍ତି।

Comments are closed.