‘ସେଲ୍‌’ ଚେୟାର୍‌ମ୍ୟାନ୍‌ଙ୍କୁ କରୋନା, ନୂଆଦିଲ୍ଲୀ ଲୋଧିରୋଡ୍‌ କମ୍ପାନୀ ମୁଖ୍ୟ କାର୍ଯ୍ୟାଳୟ ବନ୍ଦ

ନୂଆଦିଲ୍ଲୀ:ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌(ସେଲ୍‌) ଚେୟାର୍‌ମ୍ୟାନ ଅନୀଲ୍‌ କୁମାର ଚୌଧୁରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଶନିବାର ‘ସେଲ୍‌’ ଚେୟାର୍‌ମ୍ୟାନ୍‌ଙ୍କୁ କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା। ତାଙ୍କର କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ଏହାପରେ ‘ସେଲ୍‌’ କର୍ପୋରେଟ୍‌ କାର୍ଯ୍ୟାଳୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି ବୋଲି ଜଣାପଡ଼ିଛି।
‘ସେଲ୍‌’ ଚେୟାର୍‌ମ୍ୟାନ୍‌ ଅନୀଲ୍‌ କୁମାର ଚୌଧୁରୀ କରୋନା ଆକ୍ରାନ୍ତ ହେବା ପରେ ତାଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବା ପାଇଁ କୁହାଯାଇଛି। ଜଣେ କରୋନା ଆକ୍ରାନ୍ତ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ସେହି କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବାରୁ ଜୁନ୍‌ ୧ରେ ‘ସେଲ୍‌’ ଚେୟାର୍‌ମ୍ୟାନ୍‌ଙ୍କ କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା। ଏହାପରେ ଲଗାତାର ଭାବେ ତିନି ଥର ତାଙ୍କର କରୋନା ପରୀକ୍ଷା ହୋଇଥିଲା।
ସେହିପରି ‘ସେଲ୍‌’ କର୍ପୋରେଟ୍‌ କାର୍ଯ୍ୟାଳୟର ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ କରୋନା ପରୀକ୍ଷା କରାଯାଇଥିଲା ଏବଂ ସେମାନଙ୍କଠାରେ ମଧ୍ୟ କୋଭିଡ୍‌-୧୯ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଏବେ ‘ସେଲ୍‌’ କର୍ପୋରେଟ୍‌ କାର୍ଯ୍ୟାଳୟ କର୍ମଚାରୀଙ୍କଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫ରେ ପହଞ୍ଚିଛି। ତେବେ ‘ସେଲ୍‌’ କର୍ପୋରେଟ୍‌ କାର୍ଯ୍ୟାଳୟ କର୍ମଚାରୀ କିଭଳି ଅଧିକ ସଂଖ୍ୟାରେ କରୋନା ଆକ୍ରାନ୍ତ ନ ହେବେ ସେଥିପାଇଁ କମ୍ପାନୀ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।
ସେଲ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରତିଦିନ କମ୍ପାନୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ କୋଭିଡ୍‌-୧୯ ଗଣ ପରୀକ୍ଷା କରାଯାଉଛି। ସେମାନଙ୍କ ମଧ୍ୟରୁ ୨୫ରୁ୩୦ଜଣଙ୍କଠାରେ କୋଭିଡ୍‌-୧୯ ପରୀକ୍ଷା ରିପୋର୍ଟ ପଜିଟିଭ୍‌ ଆସିଛି। ସେମାନେ ସମସ୍ତେ ଆଇସୋଲେସ୍‌ରେ ରହିଛନ୍ତି। ନୂଆଦିଲ୍ଲୀର ଲୋଧିରୋଡ୍‌ସ୍ଥିତ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟଠାରେ କେତେକ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଏହାପରେ କମ୍ପାନୀ ପକ୍ଷରୁ ତୁରନ୍ତ ମୁଖ୍ୟ କାର୍ଯ୍ୟାଳୟକୁ ବନ୍ଦ କରିଦିଆଯାଇଥିଲା। ବୁଧବାର ନିର୍ଦେଶକ(ପର୍ସନେଲ୍‌) ଅତୁଲ୍‌ ଶ୍ରୀବାସ୍ତବ ଆପୋଲୋ ହସ୍‌ପିଟାଲ୍‌ରେ ମୃତ୍ୟୁବରଣ କରିଛନ୍ତି। କରୋନା ମହାମାରୀରୁ ରକ୍ଷା କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଶ୍ରୀ ଶ୍ରୀବାସ୍ତବ ଓ ତାଙ୍କର ପରିବାର ସଦସ୍ୟଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ନିର୍ଦେଶକ ଅତୁଲ ଶ୍ରୀବାସ୍ତବ ନିଃସ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ସେ ଜ୍ବରରେ ପୀଡ଼ିତ ଥିଲେ ଏବଂ ତାଙ୍କ ଶରୀରରେ ଅତ୍ୟଧିକ ଉତ୍ତାପ ପରିଲକ୍ଷିତ ହୋଇଥିଲା। ତେବେ ଅତୁଲ ଶ୍ରୀବାସ୍ତବଙ୍କ କୋଭିଡ୍‌-୧୯ ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି।

Comments are closed.