ଶ୍ରୀଗଙ୍ଗାଧର ରଥ ଫାଉଣ୍ଡେସନର ସମ୍ମାନ ଘୋଷିତ : ଦେବଦାସ ଛୋଟରାୟ ପାଇବେ ‘ସାହିତ୍ୟ ଭାରତୀ ସମ୍ମାନ’

-ଯଦୁନାଥ ପ୍ରସାଦ ଦାସଙ୍କୁ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’, -ଚିତ୍ତରଞ୍ଜନ ଚିରଞ୍ଜିତ ଓ ମନୋଜ ମେହେରଙ୍କୁ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’
କଟକ : ପ୍ରଖ୍ୟାତ ସାହିତ୍ୟିକ ଦେବଦାସ ଛୋଟରାୟ ଚଳିତବର୍ଷ ମର୍ଯ୍ୟାଦାଜନକ ‘ସାହିତ୍ୟ ଭାରତୀ ସମ୍ମାନ: ୨୦୨୧’ ପାଇବାକୁ ମନୋନୀତ ହୋଇଛନ୍ତି। ଫାଉଣ୍ଡେସନ ପକ୍ଷରୁ ତାଙ୍କୁ କୋଣାର୍କ ମନ୍ଦିିରର ଏକ ରୌପ୍ୟ ପ୍ରତିରୂପ ସହିତ ଏକ ଲକ୍ଷ ଟଙ୍କାର ଉପାୟନ ପ୍ରଦାନ କରାଯିବ। ଏଥିସହ ଫାଉଣ୍ଡେସନର ପ୍ରତିଷ୍ଠାତାଙ୍କ ନାମରେ ପ୍ରଦତ୍ତ ‘ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ’ ବିଶିଷ୍ଟ ହୃଦରୋଗ ବିଶେଷଜ୍ଞ ତଥା ଚିତ୍ରଶିଳ୍ପୀ ଡକ୍ଟର ଯଦୁନାଥ ପ୍ରସାଦ ଦାସଙ୍କୁ ପ୍ରଦାନ କରାଯିବ। ଡକ୍ଟର ଦାସଙ୍କୁ ଏହି ସମ୍ମାନ ସହ ଏକ ରୌପ୍ୟ ଫଳକ ଓ ମାନପତ୍ର ଅର୍ପଣ କରାଯିବ। କାବ୍ୟ ସାହିତ୍ୟରେ କବି ସଦାଶିବ ଦାଶଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’ ଏବଂ କଥାକାର ସରୋଜିନୀ ସାହୁଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ରେ ପ୍ରତ୍ୟେକଙ୍କୁ ୨୫ହଜାର ଟଙ୍କା ଓ ରୌପ୍ୟ ଉପଢୌକନ ପ୍ରଦାନ କରାଯିବ। କଥାକାର ଚିତ୍ତରଞ୍ଜନ ଚିରଞ୍ଜିତ ଓ କବି ମନୋଜ ମେହେରଙ୍କୁ ସାହିତ୍ୟ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ ସ୍ୱରୂପ ପ୍ରତ୍ୟେକଙ୍କୁ ୧୦ହଜାର ଟଙ୍କା ପ୍ରଦାନ କରଯିବ।
ଏପ୍ରିଲ ୪ରେ କଳାବିକାଶ କେନ୍ଦ୍ରଠାରେ ଆୟୋଜିତ ସାରସ୍ୱତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ମୁଖ୍ୟ ଅତିଥି ଭାବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ. ମୁରଲୀଧର ଯୋଗଦେଇ ପ୍ରତିଭାଧାରୀଙ୍କୁ ସମ୍ମାନିତ କରିବେ ବୋଲି ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ ପକ୍ଷରୁ ଶୁକ୍ରବାର ଦରଘାବଜାରସ୍ଥିତ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଫାଉଣ୍ଡେସନର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥ, ସମ୍ପାଦିକା ସୁସ୍ମିତା ରଥଙ୍କ ସମେତ କବି ଅମରେଶ ପଟ୍ଟନାୟକ, ଡ. ବିଜୟାନନ୍ଦ ସିଂହ, ଆଡ୍‍ଭୋକେଟ ସଞ୍ଜୟ ରଥ, ଡ. ଅଳକା ରଥ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

Comments are closed.