କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା : ବାଲ୍‌ ସାହିତ୍ୟରେ ରାମଚନ୍ଦ୍ର ଓ ଯୁବ ସାହିତ୍ୟରେ ଚନ୍ଦ୍ରଶେଖର

କଟକ/ଘସିପୁରା/କେନ୍ଦୁଝରଗଡ଼/ନୂଆଦିଲ୍ଲୀ : କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ ମର୍ଯ୍ୟାଦାଜନକ ବାଲ୍‌ ସାହିତ୍ୟ ପୁରସ୍କାର ପାଇବା ପାଇଁ ବିଶିଷ୍ଟ ଶିଶୁ ସାହିତ୍ୟିକ ଡକ୍ଟର ରାମଚନ୍ଦ୍ର ନାୟକ ଏବଂ ବିଶିଷ୍ଟ ଯୁବ ପ୍ରାବନ୍ଧିକ ଚନ୍ଦ୍ରଶେଖର ହୋତା ଯୋଗ୍ୟ ବିବେଚିତ ହୋଇଛନ୍ତି। ଶ୍ରୀ ନାୟକ ଶିଶୁଗଳ୍ପ ପୁସ୍ତକ ‘ବଣ ଦେଉଳରେ ସୁନା ନେଉଳ’ ପୁସ୍ତକ ଓ ଶ୍ରୀ ହୋତା ପ୍ରବନ୍ଧ ପୁସ୍ତକ ‘ଚେତନାର ଅନ୍ବେଷଣ’ ପାଇଁ ଏହି ପୁରସ୍କାର ପାଇବେ। ସେହିଭଳି ମୟୂରଭଞ୍ଜ ଜିଲା କୁଳିଅଣା ମୂଳ ନିବାସୀ ତଥା ସମ୍ପ୍ରତି ରାଉରକେଲାରେ ରହୁଥିବା ସାନ୍ତାଳୀ ଲେଖକ ଜୟରାମ ଟୁଡୁଙ୍କୁ ମଧ୍ୟ ସାନ୍ତାଳୀ ସାହିତ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଦିଆଯିବ। ସାହିତ୍ୟ ଏକାଡେମୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆଜି ଏକାଡେମୀର କାର୍ଯ୍ୟକାରୀ କମିଟିର ବୈଠକରେ ଏହି ପୁରସ୍କାର ଘୋଷଣା କରାଯାଇଥିଲା। ଏକାଡେମୀର ୧୮ଟି ଭାଷାର ମୁଖ୍ୟ ପୁରସ୍କାର ଘୋଷିତ ହୋଇଥିବାବେଳେ ଓଡ଼ିଆ, ମାଲାୟାମ, ନେପାଳୀ ରାଜସ୍ଥାନୀ ଭାଷା ପାଇଁ ପୁରସ୍କାର ଘୋଷଣା ହୋଇପାରି ନାହିଁ। ବାଲ ସାହିତ୍ୟ ବିଭାଗ ପାଇଁ ୨୧ ଓ ଯୁବ ସାହିତ୍ୟ ପୁରସ୍କାର ପାଇଁ ୧୮ଟି ଭାଷା ପାଇଁ ପୁରସ୍କାର ଘୋଷଣା କରାଯାଇଥିଲା। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଓଡ଼ିଆ ପରାମର୍ଶ ବୋର୍ଡର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ ଉପସ୍ଥିତ ଥିଲେ। ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଉଭୟ ସାରସ୍ବତ ସାଧକଙ୍କୁ ନଗଦ ୫୦ ହଜାର ଟଙ୍କା, ଉତ୍ତରୀୟ ଓ ଉପଢ଼ୌକନ ଦେଇ ପୁରସ୍କାର ପ୍ରଦାନ କରାଯିବ।
ବାଲ୍‌ ସାହିତ୍ୟ ପୁରସ୍କାର ଲାଗି ଏଗାରଟି ପୁସ୍ତକ ବିଷୟରେ ବିଚାରକମଣ୍ଡଳୀ ଚର୍ଚ୍ଚା କରିଥିଲେ। ବସନ୍ତ କିଶୋର ସାହୁଙ୍କ କବିତା ପିଲା ଦିନ ଆମ ଫେରାଇ ଦିଅ, ଦିଗରାଜ ବ୍ରହ୍ମାଙ୍କ କବିତା ଗୀତ କାଳେ ମୈତ୍ର କଥା, ଜ୍ୟୋର୍ତିମୟୀ ମହାନ୍ତିଙ୍କ କ୍ଷୁଦ୍ର ଗଳ୍ପ ବିଜ୍ଞାନ କଥା ଘୁରଇ ମଥା, ମନୋରମା ବିଶ୍ୱାଳ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ପରୀର କୁନି କଣ୍ମେଇ ଓ ଅଗଣ୍ୟ ଗଳ୍ପ, ନରେନ୍ଦ୍ର ପ୍ରସାଦ ଦାସଙ୍କ କ୍ଷୁଦ୍ରଗଳ୍ପ କୋଳାହଳ ନା ହଳାହଳ, ପଣ୍ଡିତ୍‍ ଲକ୍ଷ୍ମୀଧର ରାଉତଙ୍କ କ୍ଷୁଦ୍ରଗଳ୍ପ ତିପିରି ହାତୀ, ରାଜକିଶୋର ପାଢ଼ୀଙ୍କ କବିତା ଦୁଃଖୀ ସଂଙ୍ଖାଳି, ରାମଚନ୍ଦ୍ର ନାୟକଙ୍କ କବିତା ବନ ଦେଉଳରେ ସୁନା ନେଉଳ, ରମେଶ ପତ୍ରୀଙ୍କ ଲୋକକଥା ସୁବର୍ଣ୍ଣପୁରର ଲୋକକଥା, ଶୁଭ୍ର ହୋତାଙ୍କ କ୍ଷୁଦ୍ରଗଳ୍ପ ହସୁଥିବ ଠାକୁର ଓ ସୁନାମଣି ରାଉତଙ୍କ କବିତା ଆମେ ପିଲାଏ ଭଉଣୀ ଭାଇ। ସେହିପରି ଯୁବ ସାହିତ୍ୟ ପୁରସ୍କାର ଲାଗି ଆଠଟି ପୁସ୍ତକୁ ବିଚାରକ ମଣ୍ଡଳୀ ବିଚାରକୁ ନେଇଥିଲେ। ଅପର୍ଣ୍ଣା ତ୍ରିପାଠୀଙ୍କ କ୍ଷୁଦ୍ରଗଳ୍ପ ସଂକଳନ ଅନାବୃତ୍ତ, ଚନ୍ଦ୍ରଶେଖର ହୋତାଙ୍କ ଦୁଇଟି ରଚନା ଯଥା ଚେତନାର ଅନ୍ବେଷଣ ଏବଂ କଳ୍ପନା ଅନୁଭବ ଓ ସାହିତ୍ୟ, ଦେବବ୍ରତ ଦାସଙ୍କ ଉପନ୍ୟାସ ମାୟା, କ୍ଷୀରୋଦ ବିହାରୀ ବିଶ୍ୱାଳଙ୍କ କ୍ଷୁଦ୍ରଗଳ୍ପ ଅଇଁଠା ପତର, ନିଖିଲେଶ ମିଶ୍ରଙ୍କ କବିତା କେହି ଜଣେ କେଜାଣି କେଉଁଠି, ସୁଧିର କୁମାର ଧାଙ୍ଗଡ଼ାମାଝିଙ୍କ କ୍ଷୁଦ୍ରଗଳ୍ପ ଖାନଗର ଓ ତୃପ୍ତି ରଞ୍ଜନ ଦାସଙ୍କ କବିତା ଆଦି ରହିଥିଲା। ଓଡ଼ିଆ ଭାଷାରେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ୨୦୨୦ ପରବର୍ତ୍ତୀ ସମୟରେ ଘେ।।ଷଣା ହେବ ବୋଲି ଜଣାପଡ଼ିଛି।
କେନ୍ଦୁଝର ଜିଲା ଘସିପୁରା ବ୍ଲକ ବଳରାମପୁର ପଞ୍ଚାୟତ ଅତାସାହି ଗ୍ରାମରେ ଜନ୍ମିତ ଡ.ନାୟକ ଉଚ୍ଚଶିକ୍ଷା ଲାଭ ପରେ ହାଇସ୍କୁଲ ଶିକ୍ଷକ ଭାବେ ଯୋଗଦାନ କରି ଜୁନ ୨୦୦୮ରେ ପ୍ରଧାନଶିକ୍ଷକ ପଦରେ ଅବସର ଗ୍ରହଣ କରିଛନ୍ତି। ଅବସରଗ୍ରହଣ ପରେ ଡ.ନାୟକ ସର୍ବାଧିକ ସମୟ ଶିଶୁ ସାହିତ୍ୟ ଗବେଷଣା ଓ ଶିଶୁଙ୍କ ପ୍ରଗତି ପାଇଁ ମନୋନିବେଶ ଜାରି ରଖିଥିବା ସେ କହିଛନ୍ତି। ଡ. ନାୟକ ତାଙ୍କର ସାହିତ୍ୟ କୃତି ପାଇଁ ପ୍ରଜାତନ୍ତ୍ର ବିଷୁବମିଳନ ମୀନାବଜାର ପୁରସ୍କାର, ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ଭୂମିପୁତ୍ର ସମ୍ମାନ, ଓଡିଶା ଶିଶୁ ଲେଖକ ସମିତି ପୁରସ୍କାର, ଓଡିଆ ଶିଶୁ ସାହିତ୍ୟ ଗବେଷଣା ପରିଷଦ ପୁରସ୍କାର, ମିଳନୀ ସାହିତ୍ୟ ସଂସଦ ପୁରସ୍କାର, ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସମ୍ମାନ ଆଦି ୪୫ରୁ ଊର୍ଦ୍ଧ୍ବ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ଡ. ନାୟକ ଓଡିଶା ସାହିତ୍ୟ ଏକାଡେମୀ କେନ୍ଦୁଝରର ସଦସ୍ୟ ଥିଲେ। ସେ ଅଦ୍ୟାବଧି ଦୁଇଟି ପ୍ରବନ୍ଧ ସାହିତ୍ୟ, ଦୁଇଟି ଆଲୋଚନା, ଅନୁବାଦ ଏବଂ ୧୨ଟି ଶିଶୁ ସାହିତ୍ୟକୁ ମିଶାଇ ମୋଟ ୨୦ଟି ପୁସ୍ତକ ରଚନା କରି ସାରିଛନ୍ତି।
ଚନ୍ଦ୍ରଶେଖର ହୋତାଙ୍କ ଜନ୍ମ ବଲାଙ୍ଗିର ଜିଲା ଅନ୍ତର୍ଗତ ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟା ଗ୍ରାମରେ ୧ ଜୁନ ୧୯୮୫ରେ। କଳ୍ପନାର ଅନୁଭବ ଓ ସାହିତ୍ୟ, ଚେତନାର ଅନ୍ବେଷଣ, ଷଡ଼ଜ, ଗାନ୍ଧୀ କବିତା, ଗାନ୍ଧୀ ପ୍ରବନ୍ଧ, କୋଣାର୍କ ପତ୍ରିକାର ନିର୍ବାଚିତ ପ୍ରବନ୍ଧ,ରାଧାମୋହନ ଗଡ଼ନାୟକ ମନୋଗ୍ରାଫ ପୁସ୍ତକ ତାଙ୍କ ସାରସ୍ବତ ସାଧନାର ଉଲ୍ଲେଖନୀୟ ଦଲିଲ। ପୂର୍ବରୁ ସେ ଗୋକର୍ଣ୍ଣିକା ପ୍ରବନ୍ଧ ସମ୍ମାନ, ଅଖିଳ ଜଗନ୍ନାଥ ଦାସ ସମ୍ମାନ, ମହୁରି ସମ୍ମାନ, କୃଷ୍ଣେନ୍ଦୁ ସ୍ମୃତି ସମ୍ମାନ, ବ୍ରହ୍ମପୁର ପୁସ୍ତକମେଳା ପ୍ରବନ୍ଧ ସମ୍ମାନ ଆଦି ଲାଭ କରିଛନ୍ତି। ହାଇଦରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରୁ ଏମଏ ଓ ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟରୁ ସ୍ବାମୀ ବିବେକାନନ୍ଦଙ୍କ ଉପରେ ଏମ୍‌ଫିଲ ଓ ପିଏଚଡି କରିଥିବା ଭାରତୀୟ ରାଜନୈତକ ଦର୍ଶନର ଛାତ୍ର। ଓଡ଼ିଶା ଅର୍ଥସେବାରେ ପ୍ରଥମେ ଚାକିରି କରୁଥିଲେ। ସମ୍ପ୍ରତି ଓଡ଼ିଶା ପୁଲିସ ବିଭାଗରେ ଡିଏସପି ଭାବେ କାର୍ଯ୍ୟରତ। ସମକାଳୀନ ପ୍ରମୁଖ ପତ୍ରପତ୍ରିକାରେ ନିୟମିତ ତାଙ୍କର ପ୍ରବନ୍ଧ ଓ ସମାଲୋଚନା ପ୍ରକାଶ ପାଇଆସୁଛି।

Comments are closed.