ସାହିନବାଗ ମାମଲା – ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ସପକ୍ଷରେ ସୁପ୍ରିମକୋର୍ଟ

ସମାଜ ପୋର୍ଟାଲ ଡେସ୍କ: ସୁପ୍ରିମକୋର୍ଟ କହିଛନ୍ତି ଯେ ଜନସାଧାରଣଙ୍କର ଶାନ୍ତିପୂର୍ଣ୍ଣ ଉପାୟରେ ପ୍ରତିବାଦ କରିବାର ମୌଳିକ ଅଧିକାର ରହିଛି କିନ୍ତୁ ସେମାନେ ଏହା କରିବା ବେଳେ ସର୍ବସାଧାରଣ ରାସ୍ତା ଅବରୋଧ କରିପାରିବେ ନାହିଁ। ରାସ୍ତା ଅବରୋଧ ଭଳି କାର୍ଯ୍ୟ ଦ୍ୱାରା ଅରାଜକତା ଓ ହିଂସାକାଣ୍ଡ ସୃଷ୍ଟିର ଆଶଙ୍କା ରହିଥିବାରୁ ବିକ୍ଷୋଭକାରୀ ଓ ବିରୋଧୀମାନେ ଆନ୍ଦୋଳନକୁ ଶାନ୍ତିପୂର୍ଣ୍ଣ କରିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ସବୁ କାମରେ ଏକ ଭାରସାମ୍ୟ ରହିବା ଉଚିତ୍‍। ପ୍ରତିବାଦ କରିବା ବେଳେ ତାହା ମଧ୍ୟ ଏକପାଖିଆ ହେବା ଅନୁଚିତ।

ଦିଲ୍ଲୀର ସାହିନବାଗଠାରେ ସି.ଏ.ଏ. ବିରୋଧୀ ଆନ୍ଦୋଳନକାରୀମାନେ ସଡ଼କ ଅବରୋଧ କରି ବସିଥିବାରୁ ଏହା ବିରୁଦ୍ଧରେ ଏକାଧିକ ମାମଲା ସୁପ୍ରିମକୋର୍ଟରେ ଦାଏର ହୋଇଛି। ଏହାର ଶୁଣାଣି କରିବା ବେଳେ ସର୍ବୋଚ୍ଚ ଅଦାଲତ ଏହ କହିଛନ୍ତି। ଜଷ୍ଟିସ୍‍ ଏସ୍‍.କେ. କାଉଲ୍‍, କେ.ଏମ୍‍. ଜୋସେଫ୍‍ଙ୍କୁ ନେଇ ଗଠିତ ପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ମତ ପ୍ରକାଶ ମାଧ୍ୟମରେ ଗଣତନ୍ତ୍ର କାର୍ଯ୍ୟକ୍ଷମ ହୁଏ। ତେବେ ଏହାର ମଧ୍ୟ ସୀମା ସରହଦ ରହିଛି। ରାସ୍ତା ଅବରୋଧରୁ ହଟିଯାଇ ଆନ୍ଦୋଳନକାରୀମାନେ ଏକ ବିକଳ୍ପ ସ୍ଥାନରେ ବସିବାକୁ ସେମାନଙ୍କୁ ପ୍ରବର୍ତ୍ତାଇବା ପାଇଁ ଅଦାଲତ ବରିଷ୍ଠ ଆଇନ୍‍ଜୀବୀ ସଂଜୟ ହେଗଡେଙ୍କୁ କହିଛନ୍ତି। ଏଥିପାଇଁ ସେ ଆଡଭୋକେଟ୍‍ ସାଧନା ରାମଚନ୍ଦ୍ରନ ଏବଂ ପୂର୍ବତନ ମୁଖ୍ୟ ସୂଚନା କମିଶନର ୱାଜହତ ହବିବୁଲ୍ଲାଙ୍କ ସାହାଯ୍ୟ ସହଯୋଗ ନେଇପାରିବେ। ତିନି ଜଣଯାକ ମିଶି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୪ ତାରିଖରେ କରାଯିବ।

Comments are closed.