ବାଟ ଓଗାଳୁଛି ସହିଦନଗର ସ୍ମାର୍ଟ ପାର୍କ

ଭୁବନେଶ୍ବର: କେଇ ସମୟରେ ପ୍ରାତଃ ଭ୍ରମଣ ନିମନ୍ତେ ଜନସାଧାରଣଙ୍କ ନିତ୍ୟ ବ୍ୟବହୃତ ୨ଟି ରାସ୍ତା (ସର୍ଭିସ୍‌ ରୋଡ଼)କୁ ଅବରୋଧ କରି ସ୍ମାର୍ଟପାର୍କ ନିର୍ମାଣ କରାଯାଇଛି। ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ଉପଯୁକ୍ତ ରୂପରେଖ ତଥା ଦୂରଦୃଷ୍ଟି ଅଭାବରୁ ସହିଦନଗର ବାସିନ୍ଦା ଅକଥନୀୟ ଦୁର୍ଦଶାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ସମୟରେ ଅଗ୍ନିଶମ ଗାଡ଼ି, ଆମ୍ବୁଲାନ୍ସ, ପିସିଆର ଭ୍ୟାନ୍‌ ପହଞ୍ଚି ପାରୁନାହିଁ। ସ୍କୁଲ ବସ୍‌ ମଧ୍ୟ ଯାଇପାରୁ ନାହିଁ। ଉଭୟ ପାର୍ଶ୍ବର ବାସିନ୍ଦାଙ୍କ ମଧ୍ୟରେ ବାଧକ ସାଜିଛି ଏହି ପାର୍କ। ତୁରନ୍ତ ଉକ୍ତ ରାସ୍ତାକୁ ଖୋଲି ସ୍ଥାନୀୟ ବାସିନ୍ଦାଙ୍କ ଜୀବନଯାତ୍ରା ସ୍ବାଭାବିକ କରିବା ନିମନ୍ତେ ଦାବି ଜୋର୍‌ ଧରିଛି।

ଗୋଟିଏ ପଟେ ସହିଦନଗର ସ୍ମାର୍ଟପାର୍କ ସ୍ଥାନୀୟ ଜନଜୀବନକୁ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ କରୁଥିବା ବେଳେ ଅନ୍ୟପଟେ ପାର୍କରେ ଅସାମାଜିକଙ୍କ ଆଡ୍ଡା ଅଞ୍ଚଳବାସୀଙ୍କୁ ଅତିଷ୍ଠ କରୁଛି। ଅନେକ କଲେଜ ପଢ଼ୁଆ ଯୁବକ ନିଶା ସେବନ କରି ଲୋକଙ୍କୁ ଦୁର୍ବ୍ୟବହାର କରୁଥିବାରୁ ଅପ୍ରୀତିକର ପରିବେଶ ସୃଷ୍ଟି ହେଉଛି। ଦୁଇଟି ପାର୍କକୁ ସଂଯୋଗ ନିମନ୍ତେ ସର୍ଭିସ୍‌ ରୋଡ଼ ବନ୍ଦ କରାଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଉକ୍ତ ସର୍ଭିସ ରୋଡ଼ରେ ନିର୍ମାଣ ହୋଇଥିବା ସୁଉଚ୍ଚ ସେଡ୍‌ (କାନୋପି) ହଟାଇବା ଦାବି ଜୋର୍‌ ଧରିଛି। ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ବହୁବାର ଦାବି ଜଣାଇବା ପ‌ରେ ମଙ୍ଗଳବାର ସ୍ମାର୍ଟସିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଘଟଣାସ୍ଥଳ ବୁଲି ଦେଖିଛନ୍ତି। ସ୍ଥିତି ଅନୁଧ୍ୟାନ ସହିତ ଉପଯୁକ୍ତ କାର୍ଯ୍ୟ ନିମନ୍ତେ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

କୋଟି କୋଟି ଟଙ୍କା ଖର୍ଚ୍ଚରେ ସ୍ମାର୍ଟସିଟି ସହିଦନଗରରେ ଦୁଇଟି ସ୍ମାର୍ଟ ପାର୍କ ବିକଶିତ କରିଛି। ବିଡିଏ ପୁରୁଣା ପାର୍କ ସ୍ଥାନରେ ଏହାକୁ ଆଧୁନିକ ପାର୍କର ରୂପ ଦିଆଯାଇଛି। ହେଲେ ଉପଯୁକ୍ତ ରୂପରେଖ(ଡିଜାଇନ୍‌) ଅଭାବରୁ ଉକ୍ତ ପାର୍କ ସ୍ଥାନୀୟ ବାସିନ୍ଦାଙ୍କ ବ୍ୟବହାର ପରିବ​‌େ​‌ର୍ତ୍ତ ଯୋଗାଯୋଗରେ ବାଧକ ହୋଇଛି। ସ୍ମାର୍ଟ ପାର୍କ ହେବା ପୂର୍ବରୁ ଥିବା ଦୁଇଟି ସର୍ଭିସ୍‌ ରୋଡ଼ ( ଚଳପ୍ରଚଳ ରାସ୍ତା) ବନ୍ଦ ହୋଇଯାଇଥିବାରୁ ସ୍ଥାନୀୟ ବାସିନ୍ଦା ନାହିଁ ନ ଥିବା ସମସ୍ୟାରେ ପଡୁଛନ୍ତି। ଉକ୍ତ ଦୁଇଟି ରାସ୍ତାରେ ସୁଉଚ୍ଚ ସେଡ୍‌ ନିର୍ମାଣ ହେବା ସହିତ ରାସ୍ତା ଉପ‌େ‌ର ଲୁହାବାଡ଼ ଲାଗିଛି। ଦୁଇଟି ପାର୍କକୁ ସଂଯୋଗ ସ୍ଥଳ ଭାବେ ବିକଶିତ କରାଯିବା ଫଳରେ ଲୋକଙ୍କ ଯା’ଆସ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଜରୁରୀକାଳୀନ ସମୟରେ ଅଗ୍ନିଶମ ଗାଡ଼ି, ଆମ୍ବୁଲାନ୍ସ, ପିସିଆର ଭ୍ୟାନ୍‌ ପହଞ୍ଚି ପାରୁନାହିଁ। ସ୍କୁଲ ବସ୍‌ ମଧ୍ୟ ଯାଇପାରୁ ନାହିଁ। ପାର୍କ ଉଭୟ ପାର୍ଶ୍ବର ବାସିନ୍ଦାଙ୍କ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହେଉଛି। ଉକ୍ତ ଦୁଇଟି ରାସ୍ତାରେ ସୁଉଚ୍ଚ ସେଡ୍ ନିର୍ମାଣ ବାଧକ ସାଜିଛି।

ଏଠାରେ ଆଲୋକ ବ୍ୟବସ୍ଥା ନ ଥିବାରୁ ଅନେକ ଯୁବକ ନିଶାଦ୍ରବ୍ୟ ସେବନ କରିବା ସହିତ ଆଡ୍ଡା ଜମାଉଛନ୍ତି। ଏଠାରୁ ଚୋରି, ଡକାୟତି ଭଳି ବହୁ ଅସାମାଜିକ କାର୍ଯ୍ୟକଳାପର ଯୋଜନା ପ୍ରସ୍ତୁତି ହେଉଛି। କିଛି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଖଟି କରି ମହିଳା, ବାଳିକାଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏହାସହିତ ନିକଟରେ ଥିବା ୱାଚ୍‌ ଟାୱାର ଅସାମାଜିକଙ୍କ ଅାଡ୍ଡା ସ୍ଥଳୀ ପାଲଟିଛି। ନିକଟସ୍ଥ ଦୋକାନଗୁଡ଼ିକରେ ମିଳୁଥିବା ନିଶାଦ୍ରବ୍ୟ ଅସାମାଜିକଙ୍କୁ ଖୋରାକ ଯୋଗାଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଉକ୍ତ ଚଳପ୍ରଚଳ ରାସ୍ତାରୁ ତୁରନ୍ତ ସେଡ୍‌ ହଟାଇବା ନିମନ୍ତେ ସ୍ମାର୍ଟସିଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀଙ୍କ ନିକଟରେ ବାସିନ୍ଦା ଦାବି ରଖିଛନ୍ତି। ପୂର୍ବରୁ ଏ ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ପୂର୍ବତନ ମେୟର ତଥା ବର୍ତ୍ତମାନର ମଧ୍ୟ ବିଧାୟକଙ୍କୁ ଜଣାଇ ସର୍ଭିସ ରୋଡ଼ରୁ ସେଡ୍‌ ହଟାଇବାକୁ ଦାବି ରଖିଥିଲେ।

ପୂର୍ବତନ କର୍ପୋରେଟର ଶାଶ୍ବତୀ ମିଶ୍ର କହିଛନ୍ତି, ସ୍ମାର୍ଟ ପାର୍କ ନିକଟରେ ଅସାମାଜିକଙ୍କ ଆଡ୍ଡା ଜମୁଛି। ଏ ସମ୍ପର୍କରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଛି। ଏହାର ସ୍ଥାୟୀ ପ୍ରତିକାର ହେଉ ନ ଥିବାରୁ ବାସିନ୍ଦା ଅତିଷ୍ଠ ହୋଇପଡ଼ିଛନ୍ତି।
ସ୍ଥାନୀୟ ବାସିନ୍ଦା ସୁରେଶ ସ୍ବାଇଁ କହିଛନ୍ତି, ସ୍ମାର୍ଟ ପାର୍କ ଏବଂ ଏହାର ଆଖପାଖରେ ଗୁଣ୍ଡାଶ୍ରେଣୀର ଲୋକଙ୍କ ଆତଙ୍କରାଜ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ତିନିକୋଣିଆ ସ୍ଥାନରେ ଉଠାଦୋକାନୀଙ୍କ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜଟିଳ ପରିସ୍ଥିତି ସୃଷ୍ଟି ହେଉଛି।

ବିଜେଡି ଭୁବନେଶ୍ବର ଜିଲା ସମ୍ପାଦକ ତଥାା ସ୍ଥାନୀୟ ବାସିନ୍ଦା ରାଜକିଶୋର ଦାସ କହିଛନ୍ତି, ଦୁଇଟି ପାର୍କକୁ ସଂଯୋଗ ନିମନ୍ତେ ପୂର୍ବରୁ ଥିବା ସର୍ଭିସ ରୋଡ଼ରେ ଲୋକଙ୍କ ଗମନାଗମନ ବନ୍ଦ ହୋଇଯାଇଛି। ନିର୍ମାଣ ହୋଇଥିବା ସେଡ୍‌ ନିକଟରେ ଅସାମାଜିକଙ୍କ ଖଟି ସାଙ୍ଗକୁ ନିଶାଦ୍ରବ୍ୟ ସେବନ ଦ୍ବାରା ସ୍ଥାନୀୟ ଅଞ୍ଚଳରେ ଅପ୍ରୀତିକର ପରିବେଶ ସୃଷ୍ଟି ହେଉଛି। ସର୍ଭିସ ରୋଡ଼କୁ ମୁକ୍ତ କରିବା ସହିତ ସେଡ୍‌ ହଟାଇବାକୁ ବିଏମ୍‌ସି କମିସନରଙ୍କ ନିକଟରେ ଦାବି କରାଯାଇଛି। ଘଟଣାର ଯାଞ୍ଚ କରି ପଦକ୍ଷେପ ନେବାକୁ କମିସନର ଆଶ୍ବାସନା ଦେଇଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ପୁଲିସ ମଧ୍ୟ ଅବଗତ ଅଛି।

ସ୍ଥାନୀୟ ବାସିନ୍ଦା ସତ୍ୟଜିତ ସିଂହ କହିଛନ୍ତି, ସ୍ମାର୍ଟ ପାର୍କରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବା ସହିତ ୱାଚ୍‌ ଟାୱାର ଆଲୋକୀକରଣ ନିମନ୍ତେ ପଦକ୍ଷେପ ନେବାକୁ ବିଏମ୍‌ସି କମିସନର ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ସ୍ମାର୍ଟ ପାର୍କ ନିକଟସ୍ଥ ତିନିକୋଣିଆ ସ୍ଥାନ (ପୂର୍ବର ବିଡିଏ ପାର୍କ) ଜବରଦଖଲ ହେବା ଫଳରେ ରାସ୍ତା ସଂକୁଚିତ ହୋଇ ଚଳପ୍ରଚଳ ବାଧାପ୍ରାପ୍ତ ହେଉଛି। ଆବଶ୍ୟକତାଠାରୁ ଅଧିକ ଦୋକାନୀ ପସରା ମେଲାଇଥିବାରୁ ଏଭଳି ସ୍ଥିତି ଉପୁଜିଛି। ଏଠାରୁ ତୁରନ୍ତ ଜବରଦଖଲ ଉଚ୍ଛେଦ ନିମନ୍ତେ ସ୍ଥାନୀୟ ବାସିିନ୍ଦା ଦାବି କରିଛନ୍ତି।

Comments are closed.