ଗ୍ରାମରେ ପହଞ୍ଚିଲା ସହିଦ ଅଚ୍ୟୁତାନନ୍ଦଙ୍କ ପାର୍ଥିବ ଶରୀର

0

ବଲାଙ୍ଗୀର: ଛତିଶଗଡ ଦନ୍ତେୱାଡାରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଡିଡି ନ୍ୟୁଜର ଓଡିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ପାର୍ଥିବ ଶରୀର ତାଙ୍କ ଜନ୍ମମାଟି ବଲାଙ୍ଗିର ଘୁଷୁରାମୁଣ୍ଡାରେ ଆସି ପହଞ୍ଚିଛି । ତାଙ୍କ ମରଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକର ଛାୟା ଖେଳି ଯାଇଛି। ଗ୍ରାମରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ।ସୂଚନାଯୋଗ୍ୟ ଯେ, ଛତିଶଗଡର ଦନ୍ତେୱାଡା ଜିଲା ଆରନପୁର ଠାରେ ଦୂରଦର୍ଶନ ଟିମ ନିର୍ବାଚନ ଖବର ସଂଗ୍ରହ ପାଇଁ ଯାଇଥିଲେ। ସେହି ସମୟରେ ନକ୍ସଲମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ କ୍ୟାମେରାମ୍ୟାନଙ୍କ ମୃତ୍ୟୁ ହୋଇଯାଇଥିଲା। ନକ୍ସଲଙ୍କ ସହ ଗୁଳି ବିନିମୟରେ ଦୁଇଜଣ ପୁଲିସ ସହିଦ ହୋଇଥିଲେ। ଏନେଇ ଛତିଶଗଡ ଆଣ୍ଟିନକ୍ସଲ ଅପରେସନ ଡିଆଇଜି ପି.ସୁନ୍ଦରରାଜ ସୂଚନା ଦେଇଥିଲେ। ଅଚ୍ୟୁତାନନ୍ଦ ପ୍ରଥମେ ଭାରତୀୟ ସେନାରେ କାର୍ଯ୍ୟରତ ଥିଲେ। ଚାକିରୀର କିଛି ବର୍ଷ ପରେ ସେ ସେନାରୁ ଇଚ୍ଛାକୃତ ଅବସର ନେଇଥିଲେ। ତା ପରେ ସେ କଟକର ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟରେ ପଢିଥିଲେ। ୨୦୧୩ ମସିହାରେ ସେ ନୂଆଦିଲ୍ଲୀରେ ଦୂରଦର୍ଶନର କ୍ୟାମେରାମ୍ୟାନ ଭାବେ କାର୍ଯ୍ୟରତ ଥିଲେ। ଦୁଇ ବର୍ଷ ତଳେ ତାଙ୍କର ବିବାହ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇଛନ୍ତି।

Leave A Reply