ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ଶହୀଦ ଅଜିତଙ୍କ ଶେଷକୃତ୍ୟ

ଢେଙ୍କାନାଳ: ଶୋକାକୂଳ ପରିବେଶ ଭିତରେ ଗୁରୁବାର ଅପରାହ୍ନରେ ଓଡ଼ିଆ ଯବାନ ଅଜିତ କୁମାର ସାହୁଙ୍କ ପାର୍ଥିବ ଶରୀରର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ତାଙ୍କ ପାର୍ଥିବ ଶରୀର ପୂର୍ବାହ୍ନରେ ଜନ୍ମମାଟିରେ ପହଞ୍ଚିଥିଲା।  ଢେଙ୍କାନାଳ ମିନିଷ୍ଟାଡିୟମଠାରେ ଶହୀଦଙ୍କ ମରଶରୀର ପହଞ୍ଚିବା ପରେ ସେଠାରେ ଗାର୍ଡ ଅଫ ଅନର ଦିଆଯିବା ସହିତ ଶେଷ ଦର୍ଶନ ଲାଗି କିଛି ସମୟ ରଖାଯାଇଥିଲା। ବହୁ ବିଶିଷ୍ଟ ବ୍ୟକ୍ତି ପହଞ୍ଚି ଅଜିତଙ୍କ ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ସେଠାରୁ ଅଜିତଙ୍କ ମରଶରୀରକୁ ବିରାଟ ଶୋଭାଯାତ୍ରାରେ ତାଙ୍କ ଜନ୍ମମାଟି ଢେଙ୍କାନାଳ ଜିଲା କାମାକ୍ଷାନଗରର ବଡ଼ସୁଆଁଳ ଗ୍ରାମକୁ ନିଆଯାଇଥିଲା। ପାର୍ଥିବ ଶରୀର ନିଆଯାଉଥିବା ଗାଡ଼ି ଚାରିପଟେ ଏବଂ ଆଗ ଓ ପଛରେ ହଜାର ହଜାର ଲୋକ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା। ମରଶରୀର ପହଞ୍ଚିବା ପରେ ପରିବାର ଏବଂ ଆତ୍ମୀୟସ୍ବଜନଙ୍କ କାନ୍ଦବୋବାଳିରେ ଗାଁ ଫାଟି ପଡ଼ିଥିଲା। ପରେ ପୁଲିସ ଏବଂ ସେନା ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହେବ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ବୁଧବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏରେ ଅଜିତଙ୍କ ମରଶରୀର ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରୁ ମରଶରୀରକୁ ୧୨୦ ବାଟାଲିୟନକୁ ନିଆଯାଇଥିଲା। ସେଠାରେ ସେନା ପକ୍ଷରୁ ଗାର୍ଡ ଅଫ ଅନର ପ୍ରଦାନ କରାଯିବା ସହ ରାଜ୍ୟପାଳଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ରାଜନେତା ଅଜିତଙ୍କ ଶେଷ ଦର୍ଶନ କରିଥିଲେ। ପରେ ପାର୍ଥିବ ଶରୀରକୁ ଢେଙ୍କାନାଳ ଅଭିମୁଖେ ନିଆଯାଇଥିଲା।

Comments are closed.