୧୭ ଦିନ ତଳେ ବାପା ହୋଇଥିଲେ ସୀମାରେ ସହିଦ କୁନ୍ଦନ ଓଝା; ଦେଖି ପାରିଲେ ନାହିଁ ଝିଅ ମୁହଁ

ନୂଆଦିଲ୍ଲୀ: ଲାଦାଖର ଗାଲବନ ଘାଟିରେ ସୋମବାର ରାତିରେ ଭାରତ-ଚୀନ ସେନା ମଧ୍ୟରେ ହୋଇଥିବା ହିଂସ୍ର ଗଣ୍ଡଗୋଳରେ ୧୮ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର କର୍ନେଲ ସନ୍ତୋଷ ବାବୁଙ୍କ ସମେତ ବିହାର ରେଜିମେଣ୍ଟର ୩ ଯବାନ ସହିଦ ହୋଇଛନ୍ତି । କର୍ନେଲ ସନ୍ତୋଷ ୧୮ ମାସ ତଳେ ଲାଦାଖରେ ଭାରତୀୟ ସେନା ସୁରକ୍ଷାରେ ନିଯୁକ୍ତ ହୋଇଥିଲେ । ସହିଦ କୁନ୍ଦନ ଓଝା ୧୭ ଦିନ ପୂର୍ବରୁ ବାପା ହୋଇଥିଲେ, ମାତ୍ର ନିଜର ନବଜାତ ଶିଶୁ କନ୍ୟାର ଚେହେରା ସୁଦ୍ଧା ଦେଖି ପାରିଲେ ନାହିଁ । ତୃତୀୟ ସହିଦଙ୍କ ନାମ ହାବିଲଦାର ପଲାନୀ ବୋଲି ଜଣାପଡ଼ିଛି ।

colonel Santosh babu with family

ସୂଚନା ଅନୁସାରେ ଲାଦାଖରେ ପେଟ୍ରୋଲିଂ ପଏଣ୍ଟ ୧୪ରେ ସନ୍ତୋଷ, କୁନ୍ଦନ ଓ ପଲାନୀଙ୍କ ସହ ଚୀନ ସେନାଙ୍କର ଗଣ୍ଡଗୋଳ ହୋଇଥିଲା । ସହିଦ ସନ୍ତୋଷ ବାବୁ ତେଲଙ୍ଗାନାର ସୂର୍ଯ୍ୟାପେଟର ବାସିନ୍ଦା । ସେଠାରେ ତାଙ୍କର ପତ୍ନୀଙ୍କ ସହ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କର ବାପା ଜଣେ ପିଇଟି । ସେ ହାଇଦ୍ରାବାଦ ସୈନିକ ସ୍କୁଲରେ ପାଠ ପଢ଼ୁଥିଲେ ଓ ପରେ ଏନଡ଼ିଏରେ ଭର୍ତି ହୋଇଥିଲେ ।

ସହିଦ କୁନ୍ଦନଙ୍କ ଘର ଝାଡ଼ଖଣ୍ଡରେ  । କୁନ୍ଦନଙ୍କ ବୟସ ୨୬ ବର୍ଷ ଓ ସେ ୧୭ ଦିନ ପୂର୍ବରୁ ବାପା ହୋଇଥିଲେ । ତାଙ୍କର ବାପାଙ୍କ ନାମ ରବିଶଙ୍କର ଓଝା ଓ ସେ ଜଣେ କୃଷକ । କୁନ୍ଦନ ୨୦୧୧ରେ ବିହାର ରେଜିମେଣ୍ଟର କଟିହାରରେ ଭର୍ତି ହୋଇଥିଲେ । ୩ ବର୍ଷ ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ପରିବାର ସୂତ୍ରରୁ ଜଣାପଡ଼ଇଛି ଯେ କୁନ୍ଦନ ୫ ମାସ ପୂର୍ବରୁ ଘରକୁ ଆସିଥିଲେ ଓ ୧୫ ଦିନ ପୂର୍ବରୁ ଘରକୁ ଫୋନ କରିଥିଲେ ।

୪୫ ବର୍ଷ ପରେ ପୁଣି ରକ୍ତାକ୍ତ ସଂଘର୍ଷ 

୨୦ ଅକ୍ଟୋବର ୧୯୭୫ରେ ଚୀନ ଓ ଭାରତୀୟ ସେନାଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏହାପରେ ଆଉ ସେପରି ଗଣ୍ଡଗୋଳ ଉଭୟ ଦେଶ ମଧ୍ୟରେ ହୋଇ ନ ଥିଲା । ଅରୁଣାଚଳ ପ୍ରଦେଶର ତୁଲୁଙ୍ଗ ଅଞ୍ଚଳରେ ଆସାମ ରାଇଫଲ ବାହିନୀର ପେଟ୍ରୋଲିଂ ଦଳ ଉପରେ ଚୀନ ସେନା ଆକ୍ରମଣ କରିଥିଲେ ଏବଂ ଏଥିରେ ୪ ଜଣ ସେନା ସହିଦ ହୋଇଥିଲେ ।

ମେ ମାସଠାରୁ ଆରମ୍ଭ ହୋଇଛି ଉତ୍ତେଜନା

ଭାରତ -ଚୀନ ମଧ୍ୟରେ ଗତ ୪୧ ଦିନ ଧରି ଉତ୍ତେଜନା ଲାଗି ରହିଛି । ଗତ ମେ ୫ ତାରିଖରେ ଏହାର ଆରମ୍ଭ ହୋଇଥିଲା। ଏହାପରେ ଦୁଇ ଦେଶର ସେନା ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଳା । ଏପରିକି ଜୁନ୍ ମାସରେ ୪ଥର ଉଭୟ ପକ୍ଷ ମଧ୍ୟରେ ବୈଠକ ହୋଇଥିଲା । ବୈଠକ ସମୟରେ ଦୁଇ ସେନାଙ୍କ ମଧ୍ୟରେ ଉତ୍ତେଜନା ହ୍ରାସ ନେଇ ସହମତି ପ୍ରକାଶ ପାଇଥିଲା। ଏପରିକି ଡ଼ି-ଏକ୍ସଲେନ୍ସ କରାଯାଇଥିଲା । ଏହି କାରଣରୁ ଦୁଇ ସେନା ବିବାଦସ୍ଥଳରୁ ପଛକୁ ହଟିଥିଲେ ।

ସୂଚନାଯୋଗ୍ୟ ଯେ ୧୯୬୨ ଭାରତ-ଚୀନ ଯୁଦ୍ଧର ୫ ବର୍ଷ ପରେ ପୁଣିଥରେ ଉଭୟ ସେନା ସିକିମରେ ମୁହାଁମୁହିଁ ହୋଇଥିଲେ। ସେତେବେଳେ ଚୀନର ୩୪୦ ସେନା ମୃତ୍ୟୁବରଣ କରିଥିଲେ ।

Comments are closed.