ଶହୀଦଙ୍କ ପାର୍ଥିବ ଶରୀରରେ ବିଜେଡ଼ି ପତାକା ଘଟଣା ; ୩ ଦଳୀୟ କର୍ମୀ ନିଲମ୍ବିତ

ଭୁବନେଶ୍ବର : ଶହୀଦ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀରରେ ବିଜେଡ଼ିର ଦଳୀୟ ପତାକା ଢଙ୍କାଯିବା ଘଟଣାରେ ଶୁକ୍ରବାର ତିନି ଜଣଙ୍କୁ ବିଜୁ ଜନତା ଦଳରୁ ନିଲମ୍ବନ କରାଯାଇଛି। ବିନୋଦ ମାଝି, ସନ୍ତୋଷ ସାହୁ ଓ ଗୋବର୍ଦ୍ଧନ ଦାସଙ୍କୁ ଦଳରୁ ନିଲମ୍ବନ କରାଯାଇଥିବା ବିଜେଡି ସାଧାରଣ ସଂପାଦକ ବିଜୟ କୁମାର ନାୟକ ଏକ ପ୍ରେସ୍ ଇସ୍ତାହାରରେ ଜଣାଇଛନ୍ତି। ପୂର୍ବରୁ ବିଜୁ ଜନତା ଦଳ ତରଫରୁ ତର୍ଜମା କରାଯାଇଥିଲା। ତର୍ଜମାକୁ ଭିତ୍ତି କରି କଟକ ଜିଲ୍ଲାର ବିନୋଦ, ସନ୍ତୋଷ ଓ ଗୋବର୍ଦ୍ଧନ ଦାସଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରାଯାଇଛି।
ସୂଚନାଯୋଗ୍ୟ, ଜୁନ୍ ୧୭ରେ ଜମ୍ମୁ-କାଶ୍ମୀର ପୁଲୱାମାରେ ଆତଙ୍କବାଦୀଙ୍କ ଆଇଇଡି ବିସ୍ଫୋରଣରେ ଓଡିଆ ଯବାନ ଅଜିତ ସାହୁ ଶହୀଦ ହୋଇଥିଲେ । ବୁଧବାର ମଧ୍ୟରାତ୍ରିରେ ଶହୀଦ ଅଜିତଙ୍କ ମୃତଦେହ ଭୁବନେଶ୍ବର ମିମାନ ବନ୍ଦରରେ ପହଞ୍ଚିଥିଲା । ପରେ ସେଠାରୁ ୧୨୦ ବାଟାଲିୟାନକୁ ନିଆଯାଇ ସେନା ପକ୍ଷରୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଗୁରୁବାର ସକାଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପରେ ତାଙ୍କ ଜନ୍ମମାଟି ଢେଙ୍କାନାଳର କାମାକ୍ଷାନାଗର ଅଭିମୁଖେ ନିଆଯାଇଥିଲା । ଏହି ସମୟରେ ଖୁଣ୍ଟୁଣୀ ନିକଟରେ କିଛି ବିଜେଡି କର୍ମୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାର୍ଥିବ ଶରୀର ଥିବା କଫିନ୍ ଉପରେ ଦଳୀୟ ପତାକା ଢାଙ୍କିଥିଲେ । କିଛି ସମୟ ମଧ୍ୟରେ ଏହାର ଫଟୋ ଭାଇରାଲ ହୋଇଥିଲା, ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।
ଏହି ପ୍ରସଙ୍ଗରେ ମୁହଁ ଖୋଲି ଶହୀଦଙ୍କ ଭାଇ ପ୍ରତିକ୍ରିୟା ଦେଇ କହିଥିଲେ, ଖୁଣ୍ଟୁଣୀରେ ବିଜେଡି କର୍ମୀ କଫିନରେ ତ୍ରିରଙ୍ଗା ପତାକା ଉପରେ ଦଳୀୟ ପତାକା ପକାଇଥିଲେ । ଯାହା ମୋତେ ଭଲ ଲାଗିନଥିଲା । ମୁଁ ତାହାକୁ କାଢ଼ି ଦେଇଥିଲି । ମୋ ଭାଇ ଦେଶ ପାଇଁ ଶହୀଦ ହୋଇଛି, କୌଣସି ଦଳ ପାଇଁ ନୁହେଁ । ଏହି ଫଟୋଟିକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ନ କରିବାକୁ ଏବଂ ଏହି ଘଟଣାକୁ ନେଇ ରାଜନୀତି ନ କରିବାକୁ ସେ ଅନୁରୋଧ କରିଥିଲେ।

Comments are closed.