ଶାହାଙ୍କ ’’ମିଶନ ବଙ୍ଗ’’: ଦଳୀୟ କର୍ମୀଙ୍କୁ ଦେଲେ ୨୦୦ ଆସନ ବିଜୟ ଲକ୍ଷ୍ୟ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଆରମ୍ଭ କରିଛନ୍ତି ‘‘ମିଶନ ବଙ୍ଗ’’ । ଆସନ୍ତା ୨୦୨୧ ନିର୍ବାଚନରେ ଦଳକୁ ୨୦୦ ଆସନରେ ବିଜୟୀ କରିବା ପାଇଁ କାର୍ଯ୍ୟ କରିବା ନିମନ୍ତେ କର୍ମୀମାନଙ୍କୁ ସେ ଆହ୍ବାନ ଦେଇଛନ୍ତି । ସ୍ଥାନୀୟ ପ୍ରସଙ୍ଗକୁ ଆଧାର କରି କେନ୍ଦ୍ର ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଶାହା ପରାମର୍ଶ ଦେଇଛନ୍ତି ।

ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ୍ ଶାହା କରୋନା ମହାମାରୀ କାଳରେ ପ୍ରଥମଥର ପାଇଁ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ବାଙ୍କୁରାରେ ବିର୍ସାମୁଣ୍ଡା ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ପରେ ଏକ ଆଦିବାସୀ ପରିବାର ଘରେ ମଧ୍ୟାହ୍ନ ଭୋଜନ କରିଛନ୍ତି । ଏହାପୂର୍ବରୁ ଶାହା ରବୀନ୍ଦ୍ର ଭବନରେ ବିଜେପି ନେତା ଓ କର୍ମୀଙ୍କ ସହ ଏକ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଦଳର ସାଧାରଣ ସମ୍ପାଦକ ତଥା ରାଜ୍ୟ ପ୍ରଭାରୀ କୈଳାସ ବିଜୟବର୍ଗୀୟ,  ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ମୁକୁଲ ରୟ ଏବଂ କିଛି ସାଂସଦ ଉପସ୍ଥିତ ଥିଲେ ।

ବୈଠକରେ ଶାହା କର୍ମୀ ଓ ନେତାମାନଙ୍କୁ ଦେଇଥିଲେ ବିଜୟ ମନ୍ତ୍ର । ମମତା ସରକାର ଉପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି ଓ ଏହାକୁ ନିଜ ସପକ୍ଷରେ ନେବା ପାଇଁ ଯେ କର୍ମୀମାନଙ୍କୁ ପରାମର୍ଶ ଦେଇଛନ୍ତି ।  ଲୋକମାନେ ମମତା ସରକାର ପରିବର୍ତ୍ତନ କରିବାକୁ ଅପେକ୍ଷା କରିଛନ୍ତି। ଆମକୁ ଲୋକଙ୍କ ପାଇଁ କାମ କରିବାକୁ ହେବ ଏବଂ ସେମାନଙ୍କର ସମସ୍ୟା ସମାଧାନ ଲାଗି କାର୍ଯ୍ୟ କରିବାକୁ ପଡ଼ିବ । ସ୍ଥାନୀୟ ପ୍ରସଙ୍ଗ ଓ ଲୋକଙ୍କ ସମସ୍ୟାକୁ ନେଇ କାର୍ଯ୍ୟ କଲେ ୨୦୦ ଆସନ ବିଜୟରୁ ବିଜେପିକୁ କେହି ରୋକି ପାରିବେ ନାହିଁ । ଅନ୍ୟପକ୍ଷରେ ବିଜେପି ନିର୍ବାଚନରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଉପସ୍ଥାପନ କରିବ ନାହିଁ । ନରେନ୍ଦ୍ର ମୋଦୀ ଦଳର ନେତା ଓ ତାଙ୍କୁ ଆଗରେ ରଖି ଦଳ ନିର୍ବାଚନ ଲଢ଼ିବ ବୋଲି ଶ୍ରୀ ଶାହା କରିଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ୨୦୧୬ ବିଧାନସଭା ନିର୍ବାଚନରେ ୨୯୫ ଆସନ ମଧ୍ୟରୁ ବିଜେପିକୁ ମାତ୍ର ୩ଟି ଆସନ ମିଳିଥିଲା । ଦଳ ୧୦.୧୬% ଭୋଟ ପାଇଥିଲା । ଶାସକ ତୃଣମୂଳ କଂଗ୍ରେସକୁ ୪୪.୯୧% ଭୋଟ ସହ ୨୨୪ ଆସନ, କଂଗ୍ରେସକୁ ୧୨.୨୫% ଭୋଟ ସହ ୨୫ ଆସନ ଓ ସିପିଏମକୁ ୧୯.୭୫ % ଭୋଟ ସହ ୨୪ ଆସନ ମିଳିଥିଲା । ମାତ୍ର ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୪୨ରୁ ୨୨ ଆସନ ବିଜୟୀ ହେବା ଲକ୍ଷ୍ୟରେ ଶାହା ଯୋଜନା ପ୍ରସ୍ତୁତ କରିଥିଲେ ଓ ୧୮ଟି ଆସନରେ ବିଜେପି ବିଜୟୀ ହୋଇଥିଲା ।

Comments are closed.