‘ସାଗର ଅନ୍ୱେଷିକା’କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ ଡଃ ହର୍ଷବର୍ଦ୍ଧନ

କେନ୍ଦ୍ରମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ସରକାର ପ୍ରତ୍ୟେକ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସାଗର ଅନ୍ୱେଷିକାକୁ ଚେନ୍ନାଇ ପୋର୍ଟ ଟ୍ରଷ୍ଟ୍‍ଠାରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ସେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଯୋଜନା ଭାରତୀୟ ବୈଜ୍ଞାନିକମାନଙ୍କୁ ଗଭୀର ସାମୁଦ୍ରିକ ଗବେଷଣା କାର୍ଯ୍ୟରେ ସହାୟତା କରୁଛି ବୋଲି କହିଛନ୍ତି। କରୋନା ଭୂତାଣୁକୁ ବିଚ୍ଛିନ୍ନ କରିବାରେ ଭାରତୀୟ ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ବୈଜ୍ଞାନିକ ହେବାର ଗୌରବ ଅର୍ଜନ କରିଛନ୍ତି। ସେ କହିଛନ୍ତି, ଭାରତ ଏହାର ନିଜର ଗବେଷଣାଗାର ଗୁଡ଼ିକରେ ୧୦ ଲକ୍ଷରୁ ଅଧିକ ଦେଶୀୟ କିଟ୍‍ ଉତ୍ପାଦନ କରିପାରିଛି।

କୋଭିଡ୍‍ ୧୯ର ମୁକାବିଲାରେ ସମ୍ମୁଖରେ ରହି କାର୍ଯ୍ୟ କରୁଥିବା କର୍ମୀମାନଙ୍କୁ ପ୍ରଶଂସା କରି ସେ କହିଛନ୍ତି, ୧ କୋଟିରୁ ଊର୍ଦ୍ଧ୍ବ ନାଗରିକ ଆରୋଗ୍ୟ ଲାଭ କରି ସେମାନଙ୍କର ନିଜ ନିଜର ବାସସ୍ଥାନକୁ ଫେରିଯିବାରେ ସେହି କର୍ମୀମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ତରଙ୍ଗ ଶକ୍ତିର ବ୍ୟବହାର କରିବାରେ ଭାରତ ବିଶ୍ୱର କିଛି ଦେଶ ମଧ୍ୟରେ ସ୍ଥାନ ପାଇଛି ଓ ମାଙ୍ଗାନିଜ୍‍, କୋବାଲ୍‍ଟ୍‍ ଏବଂ ନିକେଲ୍‍ ଭଳି ପଦାର୍ଥର ଉତ୍ସ ସନ୍ଧାନ କରିପାରିଛି। ମନ୍ତ୍ରୀ କହିଛନ୍ତି, ଭାରତ ଏହାର ସାମୁଦ୍ରିକ ଗବେଷଣା ଦକ୍ଷତା ବୃଦ୍ଧି କରି ବିଶ୍ୱର ଉନ୍ନତ ଦେଶଗୁଡ଼ିକର ସମକକ୍ଷ ହୋଇପାରିଛି।

ମନ୍ତ୍ରୀ କହିଛନ୍ତି, ଭାରତୀୟ ବୈଜ୍ଞାନିକମାନେ ସଠିକତାର ସହ ପାଣିପାଗ ସମ୍ବନ୍ଧୀୟ ବିବରଣୀ ପ୍ରଦାନ କରୁଛନ୍ତି। ଏଥିରୁ ଦେଶର ୪୩ ନିୟୁତ କୃଷକ ଉପକୃତ ହେଉଛନ୍ତି। କୃଷିକାର୍ଯ୍ୟ ପାଇଁ ଅନୁକୂଳ ପାଗ ସମ୍ବନ୍ଧୀୟ ସେବାରୁ କୃଷକମାନେ ୫୦ ଗୁଣ ଅଧିକ ଲାଭବାନ୍‍ ହୋଇଛନ୍ତି। ସେ କହିଛନ୍ତି, ୨୦୦୪ରେ ଆସିଥିବା ସୁନାମୀ ବିଷୟରେ ଦେଶ ସମ୍ପୂର୍ଣ୍ଣ ଅଜ୍ଞ ଥିଲା; କିନ୍ତୁ ସାମୁଦ୍ରିକ ଗବେଷଣା ଭେହିକିଲ୍‍ର ମୁତୟନ ହେବା ପରେ ବୈଜ୍ଞାନିକମାନେ ଯେକୌଣସି ପ୍ରାକୃତିକ ଦୁର୍ବିପାକ ବିଷୟରେ ଆଗୁଆ ସତର୍କ ସୂଚନା ଜାରି କରିପାରୁଛନ୍ତି। ଏହାଯୋଗୁଁ ଅନେକ ଜୀବନ ରକ୍ଷା ପାଇଯାଇ ପାରୁଛି। ମନ୍ତ୍ରୀ କହିଛନ୍ତି, ସାମୁଦ୍ରିକ ବିଜ୍ଞାନୀମାନେ ସମୁଦ୍ର ଭିତରେ ୬ କିଲୋମିଟର ପର୍ଯ୍ୟନ୍ତ ଗଭୀରକୁ ଯାଇପାରିବେ ଓ ସେଠାରେ ୧୬ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ରହି ଗବେଷଣା କରିପାରିବେ। ସାଗର ଅନ୍ୱେଷିକା ବୈଜ୍ଞାନିକମାନଙ୍କୁ ସମୁଦ୍ର ସମ୍ବନ୍ଧୀୟ ବିଭିନ୍ନ ଗବେଷଣା ଓ ମିଶନରେ ସହାୟତା କରିବ। ସାଗର ଅନ୍ୱେଷିକାରେ ଅତ୍ୟାଧୁନିକ ଗବେଷଣାଗାର ଓ ବିଜ୍ଞାନ ଯନ୍ତ୍ରପାତିମାନ ରହିଛି।

Comments are closed.