ସୁରକ୍ଷିତ ଓ ନିରାପଦ ଦୀପାବଳି ପାଇଁ ପୁଲିସ ପକ୍ଷରୁ ପ୍ରସ୍ତୁତି : କଣ୍ଟ୍ରୋଲ୍‍ ରୁମ୍‍ ପାଇଁ ୧୦୦, ଅଗ୍ନିଶମ ବିଭାଗ ପାଇଁ ୧୦୧

ଭୁବନେଶ୍ବର : ସୁରକ୍ଷିତ ଓ ନିରାପଦ ଦୀପାବଳି ପାଳନ ପାଇଁ ସମସ୍ତଙ୍କୁ ପରାମର୍ଶ ଦିଆଯାଉଛି।  ଦୀପାବଳି ଓ କାଳୀପୂଜା ଅବସରରେ ବାଣ ଫୁଟାଇ ଲୋକେ ସେମାନଙ୍କର ଖୁସି ପାଳନ କରୁଥିବା ବେଳେ ଏହି ଅବସରରେ କେତେକ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ଛୋଟ ପିଲାମାନଙ୍କୁ ବାଣଫୁଟା ସ୍ଥାନରୁ ଦୂରରେ ରଖିବା ସହ ବାଣ ଫୁଟାଇବା ବେଳେ ପାଖରେ ପର୍ଯ୍ୟାପ୍ତ ପରିମାଣର ପାଣି ଓ ବାଲି ଆଦି ରଖିବା ଉଚିତ। ସେହିଭଳି ଉଚ୍ଚ ଶବ୍ଦଯୁକ୍ତ ବାଣ ବ୍ୟବହାର କରିବା ମଧ୍ୟ ନିଷେଧ। ଯଦି କୌଣସି ଅଘଟଣର ଶିକାର ହେଉଛନ୍ତି, ତେବେ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ଯାଇ ସେଠାରେ ଚିକିତ୍ସିତ ହେବା ବାଞ୍ଛନୀୟ।

ତେବେ କମିଶନରେଟ ପୋଲିସ ପକ୍ଷରୁ ଜାରି ଏକ ପ୍ରେସ୍‍ ବିଜ୍ଞପ୍ତି ଅନୁଯାୟୀ ଆଜି ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବା ଲାଗି କୁହାଯାଇଥିବାବେଳେ ଚାଇନା ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି କରାଯାଇଛି। ସେହିପରି ୧୨୫ ଡେସିବଲ୍‍ରୁ ଅଧିକ ଶବ୍ଦର ବାଣ ନ ଫୁଟାଇବାକୁ ପରାମର୍ଶ ଦିଆଯାଇଛି। ହସ୍ପିଟାଲ୍‍ ଭଳି ସମ୍ବେଦନଶୀଳ ଅଞ୍ଚଳରେ ବାଣ ଫୁଟାଇବା ଲାଗି ବାରଣ କରାଯାଇଛି। ଜରୁରୀ ପରିସ୍ଥିତିରେ ପୁଲିସ୍‍ କଣ୍ଟ୍ରୋଲ୍‍ ରୁମ୍‍ ଫୋନ୍‍ ନମ୍ବର ୧୦୦ କିମ୍ବା ଅଗ୍ନିଶମ ବିଭାଗ ନମ୍ବର
୧୦୧ରେ ଫୋନ୍‍ କରିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି କୌଣସି ଅଘଟଣ ରୋକିବା ପାଇଁ ଅଗ୍ନିଶମ ବିଭାଗ ପ୍ରସ୍ତୁତ ଥିବା ଜଣାପଡ଼ିଛି।

କଟକରେ ୫ଟି, ଭୁବନେଶ୍ୱରରେ ୩ଟି ଏବଂ ବରଗଡ଼, ବାଲେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ଅସ୍ଥାୟୀ ଅଗ୍ନିଶମ କେନ୍ଦ୍ରମାନ ଖୋଲାଯାଇଛି। ବିଭିନ୍ନ ଗଳିକନ୍ଦି ଏବଂ ଅଣଓସାରିଆ ଅଞ୍ଚଳ ଗୁଡ଼ିକରେ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବାଇକ୍‍ର ବ୍ୟବସ୍ଥା କରାଯାଇଛି।

Comments are closed.