ସହିଦ ହେମନ୍ତ କରକରେଙ୍କୁ ନେଇ ସାଧ୍ୱୀ ପ୍ରଜ୍ଞାଙ୍କ ବିବାଦୀୟ ବୟାନ

ଭୋପାଳ : ମାଲେଗାଁଓ ବୋମା ବିସ୍ଫୋରଣ ଅଭିଯୁକ୍ତ ତଥା ଭୋପାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥିନୀ ସାଧ୍ୱୀ ପ୍ରଜ୍ଞା ଠାକୁର ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ସହିଦ ଏଟିଏସ୍‍ ମୁଖ୍ୟ ହେମନ୍ତ କରକରେଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସାଧ୍ୱୀ ପ୍ରଜ୍ଞା କହିଛନ୍ତି ଯେ ହେମନ୍ତ କରକରେଙ୍କୁ ସେ ସର୍ବନାଶର ଅଭିଷାପ ଦେଇଥିଲେ। ଫଳରେ ଆତଙ୍କବାଦୀ ଆକ୍ରମଣରେ ହେମନ୍ତଙ୍କ ମୃତ୍ୟୁ ଘଟିଥିଲା।
ସାଧ୍ୱୀ ପ୍ରଜ୍ଞାଙ୍କ କହିବା ଅନୁସାରେ ହେମନ୍ତ କରକରେ ମାଲେଗାଁଓ ବୋମା ବିସ୍ଫୋରଣ ତଦନ୍ତ କରୁଥିଲେ। ତେବେ ତଦନ୍ତ ଆୟୋଗ ପ୍ରମାଣ ନଥିଲେ ତାଙ୍କୁ ଛାଡ଼ି ଦେବାକୁ ହେମନ୍ତ କରକରେଙ୍କୁ କହିଥିଲେ। ପ୍ରମାଣ ନଥିଲେ ତାଙ୍କୁ ଜେଲରେ ବେଆଇନ ଭାବେ ନରଖିବାକୁ କୁହାଯାଇଥିଲା। ମାତ୍ର ହେମନ୍ତ କରକରେ ତାଙ୍କୁ ଛାଡ଼ିନଥିଲେ। ହେମନ୍ତ କରକରେ ଯେଉଁଠୁ ହେଲେବି ପ୍ରମାଣ ଆଣିବେ ଓ ସାଧ୍ୱୀଙ୍କୁ ଦଣ୍ଡ ଦେବେ ବୋଲି ତଦନ୍ତ ଆୟୋଗକୁ କହିଥିଲେ। ମୋତେ ବିସ୍ଫୋରଣ କେମିତି ହେଲା, କାହିଁକି ହେଲା ବୋଲି ପ୍ରଶ୍ନ କରୁଥିଲା। ମୁଁ ଜାଣିନାହିଁ ଓ ଭଗବାନ ଜାଣନ୍ତି ବୋଲି କହିବା ପରେ ମୋତେ ଭଗବାନଙ୍କ ନିକଟକୁ ପଠାଇଦେବ ବୋଲି ହେମନ୍ତ କରକରେ ଧମକ ଦେଉଥିଲେ। ଏହାପରେ ତୋର ସର୍ବନାଶ ହେଉଁ ବୋଲି ମୁଁ ଅଭିଷାପ ଦେଇଥିଲି। ଏହାର କିଛି ଦିନ ପରେ ତାକୁ ତାର କର୍ମର ଦଣ୍ଡ ମିଳିଥିଲା। ସେ ଜଣେ ଧର୍ମ ବିରୋଧୀ, ଦେଶଦ୍ରୋହୀ ଥିଲା।
ପ୍ରକାଶଯୋଗ୍ୟ ଯେ ୨୬/୧୧ ମୁମ୍ବଇ ଆତଙ୍କବାଦୀ ଆକ୍ରମଣରେ ମହାରାଷ୍ଟ୍ର ଏଟିଏସ୍‍ ମୁଖ୍ୟ ହେମନ୍ତ କରକରେ ସହିଦ ହୋଇଥିଲେ। କରକରେ ମାଲେଗାଁଓ ବୋମା ବିସ୍ଫୋରଣ ମାମଲାର ତଦନ୍ତ କରୁଥିଲେ। ୨୦୦୯ ନଭେମ୍ବର ୨୬ରେ ଭାରତ ସରକାର ତାଙ୍କୁ ମରଣୋତ୍ତର ଅଶୋକ ଚକ୍ରରେ ସମ୍ମାନିତ କରିଥିଲେ।

Comments are closed.