ନବୀନଙ୍କୁ ବିଚ୍ଛିନ୍ନାଞ୍ଚଳ ଷଢ଼େଇକଳା-ଖରସୁଆଁବାସୀଙ୍କ ନିବେଦନ

0

ରାଇରଙ୍ଗପୁର : ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଗୁଜୁରାଟର ଓଡିଆ ବହୁଳ ନଗରୀ ସୁରତରେ ଏକ ବିଶାଳ ଓଡିଆ ସମାବେଶରେ ଉଦ୍‌ବୋଧନ ଦେଇ ସେଠାରେ କାର୍ଯ୍ୟରତ ପ୍ରବାସୀ ଓଡିଆଙ୍କ ପାଇଁ ବିଭିନ୍ନ ପ୍ୟାକେଜ୍‌ ଘୋଷଣା କରି ପ୍ରଶଂସାଭାଜନ ହୋଇପାରିଛନ୍ତି। ସୁରତରେ ଦଶ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ବୃହତ୍‌ ଓଡିଆ ସାଂସ୍କୃତିକ କେନ୍ଦ୍ର ପ୍ରତିଷ୍ଠା ଏବଂ ରାଜ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ଅନୁଦାନରେ ୨ଟି +୨ ଜୁନିଅର କଲେଜ ପ୍ରତିଷ୍ଠା ହେବାର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ସେଠାକାର ଓଡିଆ ଅଧିବାସୀ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି ହୋଇଥିବାର ଜଣାପଡିଛି।
ମୁଖ୍ୟମନ୍ତ୍ରୀ ନବୀନଙ୍କ ସୁରତ ଗସ୍ତ ଓ ପ୍ୟାକେଜ ଘୋଷଣା ପରେ ଝାଡ଼ଖଣ୍ଡ ବିଚ୍ଛିନ୍ନାଂଚଳର ଓଡିଆ ଅଧ୍ୟୁଷିତ ଷଢ଼େଇକଳା-ଖରସୁଆଁ ଜିଲାର ଓଡିଆ ଭାଷାଭାଷୀ ଲୋକଙ୍କ ମଧ୍ୟରେ ନୂତନ ଆଶାର ସଂଚାର ହୋଇଥିବା ସୂଚନା ମିଳିଛି। ଓଡିଶା ସରକାରଙ୍କ ନବଗଠିତ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଦୁଇ ପୂର୍ବତନ ଓଡିଆବହୁଳ ଗଡ଼ଜାତ ରାଜ୍ୟ ଷଢ଼େଇକଳା-ଖରସୁଆଁ (ଏବେ ଏକ ସ୍ୱତନ୍ତ୍ର ରାଜସ୍ୱ ଜିଲା)ର ମୁଖ୍ୟାଳୟ ଷଢ଼େଇକଳାରେ ଏକ ବିଶାଳ ଓଡିଆ ସମାବେଶ ଆୟୋଜନ କରି ସୁରତ ପରି ସେଠାରେ ଏକ ଓଡିଆ ସାଂସ୍କୃତିକ କେନ୍ଦ୍ର ଏବଂ ଓଡିଶା ସରକାରଙ୍କ ସମ୍ପୂର୍ଣ୍ଣ ଅନୁଦାନରେ ଷଢ଼େଇକଳା ଓ ଖରସୁଆଁରେ ୨ଟି ଓଡିଆ ମାଧ୍ୟମ +୨ ଜୁନିଅର କଲେଜ ପ୍ରତିଷ୍ଠା କରିବାର ଘୋଷଣା କରିବା ନିମନ୍ତେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିବେଦନ କରି ସ୍ମାରକପତ୍ର ପ୍ରଦାନ କରିବା ପାଇଁ ସେଠାକାର ଓଡିଆଙ୍କ ପକ୍ଷରୁ ଦସ୍ତଖତ
ଅଭିଯାନର ଶୁଭାରମ୍ଭ ହୋଇଥିବା ଷଢ଼େଇକଳାର ସକ୍ରିୟ ଓଡିଆ ସଂଗଠକ କାର୍ତ୍ତିକ କୁମାର ପରିଚ୍ଛା ‘ସମାଜ’କୁ ସୂଚନା ଦେଇଛନ୍ତି।
ପ୍ରକାଶଥାଉକି, ଦେଶ ସ୍ୱାଧୀନ ହେବାପରେ ଓଡିଶା ପ୍ରଦେଶ ସହ ୨୬ଟି ଓଡିଆ ବହୁଳ ଗଡ଼ଜାତ ରାଜ୍ୟର ରାଜା/ମହାରାଜାମାନେ ଓଡିଶା ପ୍ରଦେଶ ସହ ମିଶ୍ରଣ ପାଇଁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଉଦ୍ୟମ କ୍ରମେ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ଓଡିଶା ପ୍ରଦେଶ ସହ ୨ ଖାଣ୍ଟି ଓଡିଆ ଗଡ଼ଜାତ ରାଜ୍ୟ ଷଢ଼େଇକଳା ଓ ଖରସୁଆଁ ଓଡିଶା ସହିତ ମିଶ୍ରଣ ପାଇଁ ଯଥାକ୍ରମେ ୧୪ ଓ ୧୫ ଡିସେମ୍ବର ୧୯୪୭ରେ କଟକଠାରେ ସର୍ଦ୍ଦାର ପଟେଲଙ୍କ ପରାମର୍ଶ କ୍ରମେ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ହେଲେ ୧୭ ମେ ୧୯୪୮ ପର୍ଯ୍ୟନ୍ତ ଅଳ୍ପଦିନ ପାଇଁ ଓଡିଶା ଶାସନାଧୀନ ରହିବା ପରେ ତତ୍କାଳୀନ ପ୍ରଭାବଶାଳୀ ବିହାରୀ ରାଜ୍ୟ ଓ ଜାତୀୟ ନେତାଙ୍କ ସୁଚିନ୍ତିତ ଚକ୍ରାନ୍ତ ଏବଂ ତତ୍କାଳୀନ ଓଡିଶାର ଦୁର୍ବଳ ରାଜନୈତିକ ନେତୃତ୍ୱ ପାଇଁ ୧୮ ମେ ୧୯୪୮ରେ ମୟୂରଭଞ୍ଜର ଓଡିଶା ସହ ମିଶ୍ରଣ ହେବା ପର୍ଯ୍ୟନ୍ତ ସାମୟିକ ଭାବେ ବିହାର ଶାସନରେ ରଖାଯାଇଥିଲା। କିନ୍ତୁ ମୟୂରଭଞ୍ଜ ବର୍ଷେରୁ ଊଦ୍ଧ୍ୱର୍କାଳ ସ୍ୱାଧୀନ ରାଜ୍ୟ ହୋଇ ରହିଯିବାରୁ ସର୍ଦ୍ଦାର ପଟେଲଙ୍କ ଉଦ୍ୟମକ୍ରମେ ୧.୧.୪୯ରେ ଓଡିଶା ସହ ମିଶିବା ପରେ ମଧ୍ୟ ଦୁଇ ଓଡିଆ ବହୁଳ ଗଡ଼ଜାତ ରାଜ୍ୟ ଷଢେଇକଳା ଓ ଖରସୁଆଁ ଓଡିଶା ଶାସନକୁ ଆଉ ଫେରିପାରିଲା ନାହିଁ। ବିହାରସହ ମିଶ୍ରଣ ଦିନଠାରୁ ଷଢେଇକଳା ଓ ଖରସୁଆଁ ରାଜ୍ୟ ଦୁଇଟିର ଓଡିଆ ଭାଷା, ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ଚରମ ସଙ୍କଟରେ ପଡିଯାଇଛି। ବିହାରୀ ପଦାଧିକାରୀଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଓଡିଆ ମାଧ୍ୟମ ସ୍କୁଲ ଓ କଲେଜଗୁଡିକର ଧୀରେ ଧୀରେ ହିନ୍ଦୀକରଣ କରାଯାଉଥିବାରୁ ଏବଂ ଝାଡ଼ଖଣ୍ଡ ଓ ଓଡିଶା ସରକାର ଏଥିପ୍ରତି ଉଦାସୀନ ରହିଥିବାରୁ ଓଡିଆ ଭାଷାଭାଷୀ ଲୋକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାର ଖବର ମିଳିଛି। ୧୫ ନଭେମ୍ବର ୨୦୦୦ରେ ବିହାରଠାରୁ ଅଲଗା ହୋଇ ସ୍ୱତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନ ହେଲାପରେ ମଧ୍ୟ ଓଡିଆ ଭାଷା, ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର କୌଣସି ଉନ୍ନତିସାଧନ ହୋଇପାରିନାହିଁ। ଝାଡ଼ଖଣ୍ଡରେ ଓଡିଆକୁ ଦ୍ୱିତୀୟ ରାଜଭାଷାର ମାନ୍ୟତା ମିଳିଥିଲେ ମଧ୍ୟ ଏହାର କାର୍ଯ୍ୟକ୍ରମ କେବଳ କାଗଜକଲମରେ ହିଁ ସୀମିତ ରହିଥିବା ଅଭିଯୋଗ କରିଛନ୍ତି ପ୍ରଭାବିତ ଓ ଉପେକ୍ଷିତ ଓଡିଆ ଜନସାଧାରଣ।
ସୁରତ ପରି ହେଉ…

Leave A Reply