ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲୀ ସୋରାବଜୀଙ୍କ ପରଲୋକ

ନୂଆଦିଲ୍ଳୀ : ପ୍ରଖ୍ୟାତ ଆଇନଜୀବୀ ତଥା ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲୀ ସୋରାବଜୀଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। କିଛି ଦିନ ତଳେ ସୋଲି ସୋରାବଜୀ ଓ ତାଙ୍କ ପତ୍ନୀ କରୋନା ଆକ୍ରାନ୍ତ ହୋଇଥିଲେ। ତେବେ ତାଙ୍କ ପତ୍ନୀ ଆରୋଗ୍ୟ ଲାଭ କରିଥିବା ବେଳେ ସୋରାବଜୀଙ୍କ ଚିକିତ୍ସା ଚାଲିଥିଲା।
ସୋରାବଜୀ ୧୯୮୯ ରୁ ୧୯୯୦ ପର୍ୟ୍ୟନ୍ତ ଆଟର୍ଣ୍ଣି ଜେନେରାଲ ଥିଲେ। ଏହା ପରେ ସେ ୧୯୯୮ ରୁ ୨୦୦୪ ପର୍ୟ୍ୟନ୍ତ ଏହି ଦାୟିତ୍ବ ଗ୍ରହଣ କରିଥିଲେ। ସୋଲି ସୋରାବଜୀଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ସୋଲି ଜାହାଙ୍ଗୀର ସୋରାବଜୀ। ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ସୋଲୀ ସୋରାବଜୀଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋଲୀ ସୋରାବଜୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଟୁଇଟ୍‌ରେ ରାଷ୍ଟ୍ରପତି କହିଛନ୍ତି, “ଆମେ ଭାରତର ଆଇନ ବ୍ୟବସ୍ଥାର ଜଣେ ଅନନ୍ୟ ବ୍ୟକ୍ତିତ୍ବଙ୍କୁ ହରାଇଛୁ। ସେ ସାମ୍ବିଧାନିକ, ଆଇନ ଏବଂ ନ୍ୟାୟ ବ୍ୟବସ୍ଥାକୁ ଗଭୀର ଭାବେ ଅନୁଶୀଳନ କରିଥିବା କେତେକ ବ୍ୟକ୍ତତ୍ବଙ୍କ ମଧ୍ୟରୁ ଜଣେ ଥିଲେ।”

Comments are closed.